୨୦୧୯ରେ ଭୁବନେଶ୍ୱରରେ ଜାତୀୟ ପ୍ରତିଯୋଗିତା

ସ୍ପୋର୍ଟସ୍‌ କ୍ଲାଇମ୍ବିଂ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର,: କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ଆୟୋଜିତ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ଶିବିରରୁ ମହାରାଷ୍ଟ୍ରର ଶ୍ରେୟା ନାନକର, ମଣିପୁରର ଚିଙ୍ଗ୍‌ଖେଇ ନାଗ୍‌ମା ମୌବମ ଏବଂ କର୍ଣ୍ଣାଟକର ଭରତ ପେରେରା ଏସୀୟ କ୍ରୀଡ଼ା ଲାଗି ମନୋନୀତ ହୋଇଥିଲେ। ପ୍ରଶିକ୍ଷକମାନଙ୍କ ସହ ଆଇଏମ୍‌ଏଫ୍‌ର ସଭାପତି ଏମ୍‌ପି ଯାଦବ ଏବଂ ପୂର୍ବାଞ୍ଚଳ ସଂସ୍ଥାର ସଭାପତି ଉଜ୍ଜଳ ଗାଙ୍ଗୁଲି ଭାରତୀୟ ଦଳ ଚୟନ କରିଥିଲେ। ୧୫ ଜଣ ଶିବିରାର୍ଥୀଙ୍କ ମଧ୍ୟରୁ ଆମେ ଶ୍ରେଷ୍ଠ ୩ ଜଣଙ୍କୁ ଏସୀୟ କ୍ରୀଡ଼ା ଲାଗି ମନୋନୀତ କରିଛୁ। ମୋର ଆଶା ଏହି ୩ ଜଣ ନିଶ୍ଚିତ ପଦକ ଜିତିବେ ବୋଲି ପ୍ରଶିକ୍ଷକ କ୍ରିଷ୍ଟୋଫର ପିଟର୍ସ କହିଛନ୍ତି। ବିଦେଶୀ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ଭଲ ଅଭ୍ୟାସ ହୋଇପାରିଛି। ୨୦ ଦିନ ଯାକ ଆମେ ପୁରା ପରିଶ୍ରମ କରିଛୁ। ଆଶା ରଖିଛି ନିଶ୍ଚିତ ପଦକ ଜିତିବି ବୋଲି ଚିଙ୍ଗ୍‌ଖେଇ ନାଗ୍‌ମା ମୌବମ କହିଛନ୍ତି। ୫ ବର୍ଷ ଧରି ସ୍ପୋର୍ଟସ କ୍ଲାଇମ୍ବିଂ କରି ଆସୁଛି। ଏବେ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଥିବାରୁ ବହୁତ ଖୁସୀ ଲାଗୁଛି। ପଦକ ଜିତିବାକୁ ଚେଷ୍ଟା କରିବି। ଆମର ମୁଖ୍ୟ ପ୍ରତିଦ୍ୱନ୍ଦୀ ଜାପାନ୍‌, କୋରିଆ ଖେଳାଳି ହେବେ ବୋଲି ଶ୍ରେୟା ନାନକର କହିଛନ୍ତି। ଏଠାର କ୍ଲାଇମ୍ବି ଓ୍ଵାଲ୍‌ ବିଶ୍ୱସ୍ତରୀୟ ଥିବାରୁ ଭଲ ଅଭ୍ୟାସ ହୋଇଛି। ବିଦେଶୀ ପ୍ରଶିକ୍ଷକଙ୍କ ତତ୍ୱବଧାନରେ ଅଧିକ କୌଶଳ ଶିଖି ପାରିଛୁ। ଏହାକୁ କାମରେ ଲଗାଇ ଏସୀୟ କ୍ରୀଡ଼ାରେ ପଦକ ଜିତି ପାରିବି ବୋଲି ଭରତ ପେରେରା ପ୍ରକାଶ କରିଛନ୍ତି।

ଭାରତୀୟ ପର୍ବତାରୋହଣ ସଂସ୍ଥା (ଆଇଏମ୍‌ଏଫ୍‌) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ୩ ସପ୍ତାହ ଧରି ଶିବିର ଚାଲିଥିଲା। ଆମେରିକୀୟ ପ୍ରଶିକ୍ଷକ କ୍ରିଷ୍ଟୋଫର ପିଟର୍ସଙ୍କ ସହ ୪ ଜଣ ଭାରତୀୟ ପ୍ରଶିକ୍ଷକ ଏହାକୁ ପରିଚାଳନା କରିଥିଲେ। ଆଇଏମ୍‌ଏଫ୍‌ ପୂର୍ବାଞ୍ଚଳ ସଂସ୍ଥା ଏବଂ ଓଡ଼ିଶା ସ୍ପୋର୍ଟସ କ୍ଲାଇମ୍ବିଂ ସଂଘ ଏଥିରେ ସହାୟତା କରିଥିଲେ। ଶିବିରାର୍ଥୀମାନଙ୍କ ଶାରୀରିକ ଦକ୍ଷତା ପରୀକ୍ଷା କରାଟେ ସ୍କୁଲ୍‌ଠାରେ ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ବିଭାଗ ଓଏସ୍‌ଡି ଚଞ୍ଚଲ ରାଣା ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗର ଦେବବନ୍ଧୁ ମିଶ୍ର ଓ ହରେଶ ମିଶ୍ର ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ। ଆସନ୍ତା ବର୍ଷ ଫେବ୍ରୁଆରିରେ ଭୁବନେଶ୍ୱରରେ ଜାତୀୟ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ଆଇଏମ୍‌ଏଫ୍‌ର ସଭାପତି ଶ୍ରୀ ଯାଦବ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର