ଇଂଲଣ୍ଡ ୫୮ରେ ଆଉଟ୍‌

ଅକ୍‌ଲାଣ୍ଡ୍‌: ନ୍ୟୁଜିଲାଣ୍ଡ୍‌ ଗସ୍ତକୁ ଅତି ଲଜ୍ଜାଜନକ ଭାବେ ଆରମ୍ଭ କରିଛି ଇଂଲଣ୍ଡ। ଦିବାରାତ୍ର ପରିବେଶରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‍ର ପ୍ରଥମ ପାଳିରେ ଭ୍ରମଣକାରୀ ଇଂଲିସ୍‌ ଦଳ ମାତ୍ର ୫୮ ରନ୍‌ରେ ଅଲଆଉଟ୍‌ ହୋଇ ନିଜ କ୍ରିକେଟ୍‌ ଇତିହାସରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ସର୍ବନିମ୍ନ ସ୍କୋର୍‌ କରିଛି। ଜବାବରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ନ୍ୟୁଜିଲାଣ୍ଡ୍‌ ୩ ଓ୍ଵିକେଟ୍‌ରେ ୧୭୫ ରନ୍‌ କରି ସ୍ଥିତି ଦୃଢ଼ କରି ନେଇଛି। ଇଡେନ୍‌ ପାର୍କରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଇଂଲଣ୍ଡ ୨୦.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ୫ ଜଣ ଶୂନରେ ଆଉଟ୍‌ ହୋଇଥିଲେ। ମାତ୍ର ୨ ଜଣ ଦୁଇ ଅଙ୍କ ଛୁଇଁଥିଲେ। ସେମାନେ ହେଲେ ପ୍ରାରମ୍ଭିକ ଖେଳାଳି ମାର୍କ ଷ୍ଟୋନ୍‌ମ୍ୟାନ୍‌ (୧୧) ଏବଂ ୧୦ ନମ୍ବର କ୍ରେଗ୍‌ ଓଭରର୍ଟନ୍‌ (୩୩*, ୨୫ ବଲ୍‌, ୫ ଚୌକା, ୧ ଛକା)। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ମାତ୍ର ୨ ଜଣ ବୋଲର ବୋଲିଂ କରିଥିଲେ। ଟ୍ରେଣ୍ଟ ବୋଲ୍‌ଟ (୧୦.୪-୩-୩୨-୬) ଏବଂ ଟିମ୍‌ ସାଉଦି (୧୦-୩-୨୫-୪) ଓ୍ଵିକେଟ୍‌ ପୋଛି ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୯୧*, ୧୭୭ ବଲ୍‌, ୧୦ ଚୌକା, ୧ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ସୁରକ୍ଷିତ ରହିଛି। ଜେମ୍‌ସ ଆଣ୍ଡରସନ୍‌ ୨ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ୧ ଓ୍ଵିକେଟ୍‌ ନେଇ ମଧ୍ୟ ନିଜ ନିଜ ବ୍ୟକ୍ତିଗତ ମାଇଲଖୁଣ୍ଟ୍‌ ଛୁଇଁଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୨୦.୪ ଓଭରରେ ୫୮ (କ୍ରେଗ୍‌ ଓଭରର୍ଟନ୍‌-୩୩*, ଟ୍ରେଣ୍ଟ ବୋଲ୍‌ଟ-୬/୩୨, ଟିମ୍‌ ସାଉଦି-୪/୨୫)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୬୯ ଓଭରରେ ୧୭୫/୩ (କେନ୍‌ ଓ୍ଵିଲିୟମ୍‌ସନ୍‌-୯୧*, ଏଚ୍‌ ନିକଲ୍‌ସ-୨୪*, ଜେମ୍‌ସ ଆଣ୍ଡର୍‌ସନ୍‌-୨/୩୨, ଷ୍ଟୁଆର୍ଟ ବ୍ରଡ୍‌-୧/୨୪)।

ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ସର୍ବନିମ୍ନ
ଅକ୍‌ଲାଣ୍ଡ୍‌: ଇଂଲଣ୍ଡ ୫୮ ରନରେ ଅଲ୍‌ଆଉଟ୍‌ ହେବା ଫଳରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ନିଜର ସର୍ବନିମ୍ନ ଦଳଗତ ସ୍କୋର୍‌ କରିଛି। ଇଂଲଣ୍ଡ ପାଇଁ କିନ୍ତୁ ଏହା ଷଷ୍ଠ ସର୍ବନିମ୍ନ ସ୍କୋର୍‌। ଇଂଲିସ୍‌ ଦଳର ସବୁଠୁ ସର୍ବନିମ୍ନ ସ୍କୋର୍‌ ହେଉଛି ୪୫ ରନ୍‌। ଯାହାକି ଦଳ ୧୮୮୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ ମଧ୍ୟ ସେହି ଟେଷ୍ଟ୍‍ରେ ୧୩ ରନ୍‌ରେ ବିଜୟୀ ହୋଇଥିଲା। ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ୍‌ର ସର୍ବନିମ୍ନ ସ୍କୋର୍‌ ଥିଲା ୬୪ ରନ୍‌।

ଇଂଲଣ୍ଡ ମାତ୍ର ୨୦.୪ ଓଭର ଖେଳିବା ୧୯୦୦ ମସିହା ପରେ ତୃତୀୟ ସ୍ୱଳ୍ପ ଓଭର ଅଲଆଉଟ୍‌। ୧୯୫୦ ପରଠାରୁ ଦେଖିଲେ ଏହା ଅଷ୍ଟମ।
ଇଂଲଣ୍ଡର ୫ ଜଣ ଶୂନରେ ଆଉଟ୍‌ ହୋଇଥିଲେ। ଯାହାକି ଦେଶ ପାଇଁ ଏହା ତୃତୀୟ ସର୍ବାଧିକ। ଅଦ୍ୟାବଧି ୩ ଥର ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ଏକ ପାଳିରେ ବିନା ରନ୍‌ରେ ଆଉଟ୍‌ ହୋଇଛନ୍ତି। ଶେଷ ଥର ପାଇଁ ୧୯୭୬ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏଭଳି ଘଟିଥିଲା।
ଏକ ଟେଷ୍ଟ୍‍ରେ ମାତ୍ର ୨ ଜଣ ବୋଲର ପ୍ରତିପକ୍ଷ ପାଳିକୁ ଶେଷ କରିଦେବା ଥିଲା ୧୫ତମ ଉଦାହରଣ। ଅପରିବର୍ତିତ ଭାବେ ବୋଲ୍‌ଟ ଓ ସାଉଦି ୨୦.୪ ଓଭର ବୋଲିଂ କରି ଗୁରୁବାର ଇଂଲଣ୍ଡ ପାଳିକୁ ଶେଷ କରି ଦେଇଥିଲେ। ଶେଷ ଥର ପାଇଁ ୧୯୯୪ ମସିହାରେ ଓ୍ଵାସିମ୍‌ ଆକ୍ରମ ଏବଂ ଓ୍ଵାକର୍‌ ୟୁନିସ ମିଳିତ ଭାବେ ଅପରିବର୍ତିତ ବୋଲିଂ କରି ଶ୍ରୀଲଙ୍କାକୁ ୭୧ ରନ୍‌ରେ ସୀମିତ ରଖିଥିଲେ। ୧୯୨୦ ମସିହା ପରେ ମାତ୍ର ୪ ଥର ପ୍ରାରମ୍ଭିକ ବୋଲିଂ ଯୋଡ଼ି ପ୍ରତିପକ୍ଷଙ୍କୁ ଅଲ୍‌ଆଉଟ୍‌ କରିବାରେ ସକ୍ଷମ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ ମାଟିରେ କିନ୍ତୁ ପ୍ରଥମ ଥର ଏଭଳି ଘଟିଛି।
ଇଂଲଣ୍ଡ ପାଳିରେ ଦଶମ ଓ୍ଵିକେଟ୍‌ ଭାଗୀଦାରିରୁ ସଂଗୃହିତ ୩୧ ରନ୍‌ ଥିଲା ଅନ୍ୟ ୯ ଓ୍ଵିକେଟ୍‌ ଭାଗୀଦାରିଠାରୁ ସର୍ବାଧିକ। କାରଣ ୨୭ ରନ୍‌ରେ ଇଂଲଣ୍ଡ ୯ ଓ୍ଵିକେଟ୍‌ ହରାଇବା ପରେ ଶେଷକୁ ୫୮ ରନ୍‌ କରିଥିଲା। ଶେଷ ଥର ପାଇଁ ୨୦୧୩ ମସିହାରେ ନଟିଂହାମ ଟେଷ୍ଟ୍‍ରେ ଶେଷ ଓ୍ଵିକେଟ୍‌ ପାଇଁ ଆଷ୍ଟନ୍‌ ଆଗର ଏବଂ ଫିଲ୍‌ ହ୍ୟୁଗ୍‌ସ ୧୬୩ ରନ୍‌ ଯୋଡ଼ିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୧୭ ରନ୍‌ରେ ୯ ଓ୍ଵିକେଟ୍‌ ହରାଇଥିଲେ ମଧ୍ୟ ୨୮୦ ରନ୍‌ କରିଥିଲା।
ଟ୍ରେଣ୍ଟ୍‌ ବୋଲ୍‌ଟ (୬/୩୨) ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ କରିଥିଲେ। ତାଙ୍କ ପୂର୍ବ ଶ୍ରେଷ୍ଠ ଥିଲା ୬/୪୦ (ବନାମ େଓ୍ଵଷ୍ଟଇଣ୍ଡିଜ୍‌, େଓ୍ଵଲିଂଟନ୍‌, ୨୦୧୩)।

୪୦୦ ଓ୍ଵିକେଟ୍‌ କ୍ଲବରେ ବ୍ରଡ୍‌ ସର୍ବକନିଷ୍ଠ ଦ୍ରୁତ ବୋଲର

ଅକ୍‌ଲାଣ୍ଡ୍‌: ଟେଷ୍ଟ୍‍ କ୍ରିକେଟ୍‌ରେ ୪୦୦ ଓ୍ଵିକେଟ୍‌ ପୂର୍ଣ୍ଣ କରିବାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ସର୍ବକନିଷ୍ଠ ଦ୍ରୁତ ବୋଲର ହୋଇଛନ୍ତି। ୩୧ ବର୍ଷ ୨୭୧ ଦିନରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଟମ୍‌ ଲଥାମଙ୍କୁ କ୍ରିସ୍‌ ଓ୍ଵକ୍‌ସଙ୍କ ହାତରେ କ୍ୟାଚ୍‌ କରାଇ ସେ ଏହି କୃତିତ୍ୱ ପାଇଥିଲେ। ପୂର୍ବରୁ ଡେଲ୍‌ ଷ୍ଟେନ୍‌ ୩୨ ବର୍ଷ ୩୩ ଦିନରେ ୪୦୦ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିଲେ। ଜେମ୍‌ସ ଆଣ୍ଡରସନ୍‌ ବିଶ୍ୱର ପଞ୍ଚଦଶ ଖେଳାଳି ଭାବେ ୪୦୦ ଓ୍ଵିକେଟ୍‌ ଛୁଇଁଛନ୍ତି। ସର୍ବମୋଟ ଭାବେ ଦେଖିଲେ ବ୍ରଡଙ୍କଠାରୁ କମ୍‌ ବୟସରେ ମୁଥୟା ମୁରଲୀଧରନ ଏବଂ ହରଭଜନ ସିଂହ ଏଭଳି କୃତିତ୍ୱ ଅର୍ଜନ କରିଥିଲେ। ମୁରଲୀଧରନ ୨୯ ବର୍ଷ ୨୭୦ ଦିନରେ ୪୦୦ ଓ୍ଵିକେଟ୍‌ ଅତିକ୍ରମ କରିଥିଲେ। ଜେମସ୍‌ ଆଣ୍ଡରସନ୍‌ଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ବୋଲର ଭାବେ ମଧ୍ୟ ବ୍ରଡ୍‌ ସାମିଲ ହୋଇଛନ୍ତି। ସେହିଭଳି ପଦାର୍ପଣଠାରୁ ଅଳ୍ପ ଦିନରେ ମଧ୍ୟ ସେ ଏହି କୃତିତ୍ୱ ପାଇଛନ୍ତି। ୧୦ ବର୍ଷ ୧୦୩ ଦିନରେ ବ୍ରଡ୍‌ ୪୦୦ ଓ୍ଵିକେଟ୍‌ ପୂର୍ଣ୍ଣ କରିଛନ୍ତି। ଗ୍ଲେନ୍‌ ମ୍ୟାକ୍‌ଗ୍ରା ୮ ବର୍ଷ ୩୪୧ ଦିନରେ ୪୦୦ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର