ଆର୍ଜେଣ୍ଟିନାର ଅଶ୍ରୁଳ ବିଦାୟ, ସେମିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ

ଭୁବନେଶ୍ବର: ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନାର ହକି ବିଶ୍ବକପ୍ ସ୍ବପ୍ନ ଅଧୁରା ରହିଗଲା ଆଉ ୪ ବର୍ଷ। ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଏହି ଦକ୍ଷିଣ ଆମେରିକୀୟ ଦେଶକୁ ବୁଧବାର ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ କ୍ବାର୍ଟର ଫାଇନାଲରେ ୩-୨ ଗୋଲ୍‌ରେ ମାତ ଦେଇ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ବିଗତ ଦୁଇ ଥରର ବିଜେତା ଅଷ୍ଟ୍ରେଲିଆ ବୁଧବାର ଦ୍ବିତୀୟ କ୍ବାର୍ଟର ଫାଇନାଲରେ ୩-୦ ଗୋଲ୍‌ରେ ବିଶ୍ବକପ୍‌ର ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ (୨୦) ଦଳ ଫ୍ରାନ୍ସକୁ ପରାସ୍ତ କରିଥିଲା। ସୂଚନାଯୋଗ୍ୟ, ଶେଷ ଲିଗ୍‌ରେ ଫ୍ରାନ୍ସ ହିଁ ଆର୍ଜେଣ୍ଟିନାକୁ ହରାଇ କ୍ରସ୍ ଓଭର ଦେଇ କ୍ବାର୍ଟରଫାଇନାଲ୍‌ ପହଞ୍ଚିଥିଲା। ଶନିବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡ ମ୍ୟାଚ୍ ୩୨ର (ବେଲଜିୟମ-ଜର୍ମାନି) ବିଜେତା ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍ ୩୧ର (ଭାରତ-‌ନେଦରଲାଣ୍ଡ) ବିଜେତା ସହିତ ଖେଳିବ। ବୁଧବାର ଚଳିତ ବିଶ୍ବକପ୍ ସବୁଠୁ ବଡ଼ ବିପର୍ଯ୍ୟୟ ଦେଖିଥିଲା। ଫ୍ରାନ୍ସ ନିକଟରୁ ହାରିଥିବା ଆର୍ଜେଣ୍ଟିନା ପୁଣି ଏକ ନିମ୍ନମାନ୍ୟତାପ୍ରାପ୍ତ ଅସଫଳ ଦଳଠାରୁ ହାରିଗଲା। ବିଶ୍ବକପ୍‌ରେ ଆର୍ଜେଣ୍ଟିନା ଥରେ (୨୦୧୪ କାଂସ୍ୟ) ଏବଂ ଇଂଲଣ୍ଡ ଥରେ (୧୯୮୬ ରୌପ୍ୟ) ପଦକ ଜିତିଥିଲେ। ଉତଥାନ ପଥରେ ଥିବା ଆର୍ଜେଣ୍ଟିନା ହକି ଦଳ ଏବେ ବିଶ୍ବ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ରହିଛି। କିନ୍ତୁ ପ୍ରଥମ ଥର ବିଶ୍ବକପ୍ ଜିତିବା ଏବଂ ଏକକାଳୀନ ଅଲିମ୍ପିକ୍ ଓ ବିଶ୍ବକପ୍ ସ୍ବର୍ଣ୍ଣ ହା‌ତରେ ଧରିବାର ଅସାଧାରଣ ସଫଳତା ଅଧା ବାଟରୁ ଖସିଯାଇଛି। ବୁଧବାରର ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ବିତିଥିଲା। ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ମିଳିଥିବା ପେନାଲଟି କର୍ନରରୁ ଗଞ୍ଜାଲୋ ପିଲାଟ୍ ଗୋଲ୍‌ ଦେଇ ଆର୍ଜେଣ୍ଟିନାକୁ ଆଗୁଆ ରଖିଥିଲେ। କିନ୍ତୁ ୨୭ତମ ମିନିଟରେ ଅଭିଜ୍ଞ ବ୍ୟାରି ମିଡଲଟନ୍‌ଙ୍କ ସୁନ୍ଦର ଫିଲଡ ଗୋଲ୍‌ ଇଂଲଣ୍ଡକୁ ବରାବର ସ୍ତରକୁ ଆଣିଥିଲା। ତୃତୀୟ କ୍ବାର୍ଟର ଶେଷ ମିନିଟରେ ୱିଲ କାଲ୍‌ନାନଙ୍କ ଫିଲଡ ଗୋଲ୍‌ ପ୍ରଥମ ଥର ଇଂଲଣ୍ଡକୁ ଆଗୁଆ କରାଇବା ସହ ଶେଷ କ୍ବାର୍ଟର ପାଇଁ ଆତ୍ମବିଶ୍ବାସ ଏବଂ ଆକ୍ରମଣାତ୍ମକ ରଣକୌଶଳର ରାସ୍ତା ଦେଖାଇଥିଲା। ୪୮ତମ ମିନିଟରେ ଆର୍ଜେଣ୍ଟିନା କିନ୍ତୁ ଗଞ୍ଜାଲୋଙ୍କ ଦ୍ବିତୀୟ ପେନାଲଟି କର୍ନର ଗୋଲ୍‌ ବଳରେ ମ୍ୟାଚ୍‌କୁ ୨-୨ ସ୍ତରକୁ ନେଇ ଆସିଥିଲା। ପରବର୍ତୀ ମିନିଟରେ କିନ୍ତୁ ଇଂଲଣ୍ଡ ପାଇଁ ହ୍ୟାରି ମାର୍ଟିନ (୪୯ତମ ମିନିଟ) ବିଜୟ ସୂଚକ ଗୋଲ୍ ଦେଇଥିଲେ। ଶେଷ କିଛି ମୁହୂର୍ତରେ ଆର୍ଜେଣ୍ଟିନା ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଏହାର ସଫଳ ରୂପାୟନ ‌ହୋଇପାରିନଥିଲା। ପେନାଲଟି କର୍ନରରେ ଆର୍ଜେଣ୍ଟିନା (୨/୫) ତୁଳନାତ୍ମକ ଭାବେ ଇଂଲଣ୍ଡ (୦/୪)କୁ ପଛରେ ରଖିଥିଲେ ମଧ୍ୟ ଫିଲ୍‌ଡ ଗୋଲ୍‌ ନିର୍ଣ୍ଣାୟକ ହୋଇଥିଲା। ଏହି ମ୍ୟାଚ୍‌ରେ ମୋଟ ୭ ଜଣ ଖେଳାଳି କାର୍ଡ (ଆର୍ଜେଣ୍ଟିନା-୪, ଇଂଲଣ୍ଡ-୩) ପାଇବା ମଧ୍ୟ ଶାରୀରିକ ସଂଘର୍ଷ ଓ ପ୍ରତିବଂଧକର କଥା କହିଥିଲା। ଇଂଲଣ୍ଡର ଲିଆମ୍ ଆନସେଲ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍ ପ୍ରାରମ୍ଭରେ ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ସାଇକ୍ଲିଷ୍ଟ ମିନତି ମହାପାତ୍ର ଖେଳାଳିଙ୍କ ସହ କରମର୍ଦନ କରିଥିଲେ।

ବୁଧବାର ଦ୍ବିତୀୟ କ୍ବାର୍ଟରଫାଇନାଲରେ କିନ୍ତୁ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ନିଜ ମାନ୍ୟତା, ବିଜେତାର ଖ୍ୟାତି ଏବଂ କୁକାବୁରା ଦକ୍ଷତା ଅନୁସାରେ ଖେଳି ଏକତରଫା ଭାବେ ଫ୍ରାନ୍ସକୁ ୩-୦ରେ ହରାଇ ଦେଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ଏବଂ ଫ୍ରାନ୍ସ ଗୋଟିଏ ପେନାଲଟି କର୍ନର ପାଇବା ମଧ୍ୟ ଫଳାଫଳରେ ପ୍ରତିଫଳିତ ହୋଇଥିଲା। ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ସମସ୍ତ ପେନାଲଟି କର୍ନର ଗୋଲ୍ (୩) ବଳରେ ଏକ ଦଳ ମଧ୍ୟ ଏକତରଫା ବିଜୟ ହାସଲ କଲା। କୁକାବୁରା ଦଳ ପାଇଁ ୪ ମିନିଟରେ ଜେରେମି ହେୱାର୍ଡ, ୧୯ ମିନିଟରେ ବ୍ଲାକ ଗୋଭର୍ସ, ୩୭ ତମ ମିନିଟରେ ଅଧିନାୟକ ଆରାନ୍ ଜାଲେସ୍କି ଗୋଲ୍ ତିନିଟି ଦେଇଥିଲେ। ଜାଲେସ୍କି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ମ୍ୟାଚ୍ ପ୍ରାରମ୍ଭରେ ପଦ୍ମଶ୍ରୀ ଚଳଚ୍ଚିତ୍ର ପ୍ରଯୋଜକ ନିର୍ଦେଶକ ନୀଳମାଧବ ପଣ୍ଡା ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ କରମର୍ଦନ କରିଥିଲେ। ପ୍ରଥମ ଦୁଇ କ୍ବାର୍ଟରଫାଇନାଲ୍ ଶେଷରେ ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ୍ ଏବଂ ଅଷ୍ଟ୍ରେଲିଆର ବ୍ଲାକ୍ ଗୋଭର୍ସ ସମାନ ୬ ଗୋଲ୍‌ ଲେଖାଏଁ ଦେଇ ମିଳିତ ଭାବେ ଅଗ୍ରଣୀ ତାଲିକାରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର