ଇଂଲଣ୍ଡର ମେଲବର୍ନ ସୁଯୋଗ

ମେଲବର୍ନ: ଆସେସ୍‌ ଶୃଙ୍ଖଳାର ପ୍ରଥମ ତିନିଟି ମୁକାବିଲାରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଥିବା ଇଂଲଣ୍ଡ ଚତୁର୍ଥରେ ଘରୋଇ ଅଷ୍ଟ୍ରେଲିଆକୁ ଟାଣୁଆ ଟକ୍କର ଦେଇଛି। ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌ (୨୪୪୮)ଙ୍କ କୀର୍ତ୍ତିିମାନଭରା ଦ୍ୱିଶତକ ବଳରେ ଏମ୍‌ସିଜି (ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ)ରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‌ରେ ମଜବୁତ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ କରିଥିବା ୩୨୭ ରନ୍‌ ଜବାବରେ ଜୋ ରୁଟ୍‌ଙ୍କ ଦଳ ଗୁରୁବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍‌ରେ ୪୬୧ ରନ୍‌ କରି ନେଇଛି। ଫଳରେ ହାତରେ ଆଉ ଗୋଟିଏ ଓ୍ଵିକେଟ୍‌ ଥାଇ ୧୬୪ ରନ୍‌ରେ ଆଗୁଆ ହୋଇ ଯାଇଛି। ତୃତୀୟ ଦିନର ନାୟକ କୁକ୍‌ ୨୪୪ ରନ୍‌ରେ ଅପରାଜିତ ରହିବା କଙ୍ଗାରୁ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ତାଙ୍କ ସହ ଏକମାତ୍ର ଖେଳାଳି ଭାବେ ଜେମ୍ସ ଆଣ୍ଡରସନ୍‌ ଅପରାଜିତ ରହିବା ଘରୋଇ ଦଳକୁ କିଛିଟା ଆଶ୍ୱସ୍ତ କରିଛି।

ବୁଧବାର ଭଳି ଗୁରୁବାର ବି ଥିଲା କୁକ୍‌ଙ୍କ ଦିନ। ସାରା ଦିନ ସେ ଅଷ୍ଟ୍ରେଲିଆ ବୋଲରଙ୍କୁ ନିଜ ସଠିକ୍‌ ଷ୍ଟ୍ରୋକ୍‌ ଚାଳନାରେ ନୟାନ୍ତ କରିଥିଲେ। ଦର୍ଶନୀୟ ପାଳି ମଧ୍ୟରେ ସେ ୨୭ ଚୌକା ମାରିଥିଲେ। ୧୦ ଘଣ୍ଟା ଏବଂ ୪୦୯ ବଲ୍‌ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ଏପରିକି ଚୌକା ମାରି ନିଜ ପଞ୍ଚମ ଦ୍ୱିଶତକ ଅର୍ଜନ କରି ନେଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଚାରିଟି ଓ୍ଵିକେଟ୍‌ ନେଇଥିବା ଷ୍ଟୁଆର୍ଟ ବ୍ରଡ୍‌ (୫୬) ସହ ନବମ ଓ୍ଵିକେଟରେ କୁକ୍‌ ଯୋଡ଼ିଥିବା ୧୦୦ ରନ୍‌ ମଧ୍ୟ ଆଜି ଖେଳର ଅନ୍ୟତମ ଆକର୍ଷଣ ଥିଲା। ୧୯୨୬ ମସିହାରେ ଜର୍ଜ ଗେରି ଏବଂ ଜର୍ଜ ମାକାଉଲି କରିଥିବା ୧୦୮ ରନ୍‌ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଏହା ପ୍ରଥମ ନବମ ଓ୍ଵିକେଟ୍‌ ଭାଗୀଦାରି ଥିଲା। ସେହିଭଳି ଶୀର୍ଷକ୍ରମରେ ଅଧିନାୟକ ଜୋ ରୁଟ (୬୧)ଙ୍କ ସହ ମିଶି କୁକ୍‌ ମଧ୍ୟ ତୃତୀୟ ଓ୍ଵିକେଟ୍‌ରେ ଆଉ ଏକ ମହତ୍ୱପୁର୍ଣ୍ଣ ଶତକୀୟ ଭାଗୀଦାରି କରିଥିଲେ। ବୁଧବାରର ସ୍କୋର ୧୯୨/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଗୁରୁବାର ଦିନ ତମାମ ବ୍ୟାଟିଂ କରି ଆଉ ୭ ଓ୍ଵିକେଟ୍‌ ବିନିମୟରେ ୨୯୯ ରନ୍‌ ଯୋଡ଼ିଥିଲା। ସୂଚନାଯୋଗ୍ୟ ଯେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର (୧୦୩)ଙ୍କ ଶତକ ସତ୍ତ୍ୱେ ୩୨୭ ରନ୍‌ କରି ପାରିଥିଲା। ଇଂଲଣ୍ଡ ପାଞ୍ଚ ଟିକିଆ ଶୃଙ୍ଖଳାକୁ ପୂର୍ବରୁ ୦-୩ରେ ହାରି ସାରିଥିଲା ବେଳେ ଚତୁର୍ଥ ଓ ପଞ୍ଚମ ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିଛି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୭। ଇଂଲଣ୍ଡ ପ୍ରଥମ ପାଳି: ୧୪୪ ଓଭରରେ ୪୯୧/୯ (ଆଲେଷ୍ଟର୍‌ କୁକ୍‌-୨୪୪*, ଜୋ ରୁଟ୍‌-୬୧, ଷ୍ଟୁଆର୍ଟ ବ୍ରଡ୍‌ ୫୬, ଜୋସ୍‌ ହାଜେଲ୍‌ଉଡ୍‌-୩/୯୫, ପ୍ୟାଟ୍‌ କମିନ୍ସ ୩/୧୧୭, ନାଥନ ଲିଅନ୍‌-୩/୧୦୯ )।

ସମ୍ବନ୍ଧିତ ଖବର