ଇଂଲଣ୍ଡ ଲାୟନ୍ସକୁ ହରାଇଲା ବୋର୍ଡ ଏକାଦଶ

ଥିରୁବନ୍ତପୁରମ୍: ଇଂଲଣ୍ଡ ଲାୟନ୍ସ ଏବଂ ଭାରତୀୟ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଖେଳା ଯାଇଥିବା ଦୁଇ ଦିନିଆ ମ୍ୟାଚ୍‌ରେ ବୋର୍ଡ ସଭାପତି ଏକାଦଶ ସହଜ ବିଜୟ ହାସଲ କରିଛି। ସ୍ଥାନୀୟ ସେଣ୍ଟ ଜାଭିୟର୍ସ ମହାବିଦ୍ୟାଳୟ ପଡ଼ିଆରେ ଖେଳା ଯାଇଥିବା ଏହି ୯୦ ଓଭରିଆ ମ୍ୟାଚ୍‌ (ପ୍ରଥମ ଦିନରେ ଇଂଲଣ୍ଡ ଲାୟନ୍ସ ୬୦ ଓଭର ଏବଂ ବୋର୍ଡ ଏକାଦଶ ୩୦ ଓଭର ଏବଂ ଦ୍ବିତୀୟ ଦିନରେ ବୋର୍ଡ ଏକାଦଶ ୬୦ ଓ ଇଂଲଣ୍ଡ ଲାୟନ୍ସ ୩୦ ଓଭର ଖେଳିବ ବୋଲି ନିଷ୍ପତ୍ତି ହୋଇଥିଲା)ରେ ଇଂଲଣ୍ଡ ଲାୟନ୍ସ ପ୍ରଥମେ ବ୍ୟାଟିଂ କରି ରବିବାର ନିର୍ଧାରିତ ୬୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୪୫ ରନ୍ କରିଥିଲା। ଜବାବରେ ବୋର୍ଡ ସଭାପତି ଏକାଦଶ ତା’ର ୩୦ ଓଭରିଆ ପାଳିରେ ୫ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ସୋମବାର ବୋର୍ଡ ସଭାପତି ଏକାଦଶ ୬୦ ଓଭର ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୨୪୭ ରନ୍ କରିଥିଲା। ଫଳରେ ଇଂଲଣ୍ଡ ଲାୟନ୍ସ ଆଗରେ ୩୦ ଓଭରରୁ ୨୩୬ ରନ୍‌ର ବିଜୟ ଧାର୍ଯ୍ୟ ହୋଇଥିଲା। ହେଲେ ଇଂଲଣ୍ଡ ଲାୟନ୍ସ ନିଜ ଶେଷ ୩୦ ଓଭରରେ ୨ ୱିକେଟ୍ ହରାଇ ମାତ୍ର ୮୩ ରନ୍ କରି ପାରିଥିଲା। ଫଳରେ ବୋର୍ଡ ସଭାପତି ଏକାଦଶ ୧୫୨ ରନ୍‌ର ବୃହତ୍ ବିଜୟ ହାସଲ କରିଥିଲା। ବୋର୍ଡ ଏକାଦଶର ପ୍ରତିନିଧିତ୍ବ କରିଥିବା ଓଡ଼ିଆ ବୋଲର ରାଜେଶ ମହାନ୍ତି (୬-୦-୨୪-୦ ଏବଂ ୫-୦-୧୪-୦) ଉଭୟ ପାଳିରେ ସେ ମିତ୍ତବ୍ୟୟୀ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର