ରୁଷ୍‌ ବି ବିଦା : ସେମିରେ ଇଂଲଣ୍ଡ, କ୍ରୋଏସିଆ

ସୋଚି : ଆୟୋଜକ ରୁଷିଆକୁ ପେନ୍‌ଲାଟି ସୁଟ୍‌ ଆଉଟ୍‌ ୪-୩ (୨-୨)ରେ ହରାଇ କ୍ରୋଏସିଆ ସେମିଫାଇନାଲ୍‌ରେ ପହଞ୍ଚିଛି। ବିଶ୍ୱକପର ଏକାଧିକ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ମୁକାବିଲାର ମୁକସାକ୍ଷୀ ହୋଇସାରିଥିବା ସୋଚିର ଫିସ୍ତ ଷ୍ଟାଡିୟମ ଶନିବାର ରାତିରେ ମଧ୍ୟ ଆଉ ଏକ ରୋମାଞ୍ଚକ ମ୍ୟାଚ୍‌ ଭେଟି ଦେଇଥିଲା। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଆୟୋଜକ ତଥା ବିଶ୍ୱ ମାନ୍ୟତାର ୭୦ ରୁଷିଆ ଓ ୨୦ତମ ମାନ୍ୟତା କ୍ରୋଏସିଆ। ଷ୍ଟାନିସ୍‌ଲାଭ୍‌ ଚେର୍ଚେସୋଭ୍‌ (ରୁଷିଆ ପ୍ରଶିକ୍ଷକ) ଏବଂ ଜଲାଟ୍‌କୋ ଡାଲିକ୍‌ (କ୍ରୋଏସିଆ ପ୍ରଶିକ୍ଷକ)ଙ୍କ ଦଳର ଘମାଘୋଟ ଲଢ଼େଇ ମଧ୍ୟରେ ନିର୍ଧାରିତ ସମୟ (୯୦+୫ ମିନିଟ୍‌) ୧-୧ରେ ଅମୀମାଂସିତ ରହିଲା। ଏହାପରେ ଅତିରିକ୍ତ ୩୦ ମିନିଟ୍‌ର ଖେଳ ବି ୨-୨ ଗୋଲ୍‌ରେ ସମାନ ରହିଥିଲା। ଉଭୟ ଦଳ ମଧ୍ୟ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍‌ ଆସିଥିଲା ବେଳେ ପରସ୍ପର ମୁକାବିଲା ମଧ୍ୟ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ନିର୍ଣ୍ଣୟ ହୋଇଥିଲା। ତେବେ କ୍ୱାର୍ଟର ଫାଇନାଲ୍‌ ସୁଟ୍‌ଆଉଟ୍‌ରେ କ୍ରୋଏସିଆ ୪-୩ (୨-୨)ରେ ବାଜି ମାରି ନେଇଥିଲା। ଏହାର ଗୋଲ୍‌ରକ୍ଷକ ଡାନିଏଲ୍‌ ସୁବାଶିଚ୍‌ ରୁଷିଆର ପ୍ରଥମ ପ୍ରୟାସକୁ ଅଟକାଇ ଦେବା ହିଁ କ୍ରୋଏସିଆକୁ ସେମିଫାଇନାଲ୍‌ ପ୍ରବେଶ ସମ୍ମାନ ଦେଇଥିଲା।

ପ୍ରଥମାର୍ଧରେ ହିଁ ଦୁଇଟି ଗୋଲ୍‌ ହୋଇଥିଲା ବେଳେ ମ୍ୟାଚ୍‌ ଅତିରିକ୍ତ ସମୟକୁ ଗଡ଼ିଥିଲା। ଡେନିସ୍‌ ଚେରିସେଭ୍‌ ମ୍ୟାଚ୍‌ର ୩୧ ମିନିଟ୍‌ରେ ଚମତ୍କାର ଗୋଲ୍‌ କରି ରୁଷିଆକୁ ଅଗ୍ରଣୀ ଦେଇଥିଲେ। ସେ ମଧ୍ୟ ରୁଷିଆ ପାଇଁ ଚଳିତ ବିଶ୍ୱକପ୍‌ରେ ବ୍ୟକ୍ତିଗତ ଚତୁର୍ଥ ଗୋଲ୍‌ କଲେ। କେବଳ ଇଂଲଣ୍ଡର ହ୍ୟାରି କେନ୍‌ ହିଁ ଏହି ବିଶ୍ୱକପ୍‌ରେ ସବୁଠୁ ଅଧିକ ୬ ଗୋଲ୍‌ କରିଛନ୍ତି। ହେଲେ ଆୟୋଜକ ଦଳର ଖୁସି ଅଧିକ ସମୟ ରହିନଥିଲା। ଏହାର ୮ ମିନିଟ୍‌ ପରେ ତଥା ୩୯ ମିନିଟ୍‌ରେ ହିଁ କ୍ରାମାରିକ୍‌ ଗୋଲ୍‌ କରି କ୍ରୋଏସିଆ ସ୍ଥିତି ୧-୧ କରିଦେଇଥିଲେ। ଏଥି ସହିତ ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ପକ୍ଷରୁ ସପ୍ତମ ଖେଳାଳି ଭାବେ ଗୋଲ୍‌ କରିଥିଲେ। ଏହି ବିଶ୍ୱକପ୍‌ରେ ସବୁଠୁ ଅଧିକ ୯ ଜଣ ବେଲ୍‌ଜିୟମ୍‌ ଖେଳାଳି ଗୋଲ୍‌ କରିଛନ୍ତି। ତେବେ ଅତିରିକ୍ତ ସମୟରେ ୧୦୧ ମିନିଟ୍‌ରେ ଭିଦା ଡୋମାଗୋଜ୍‌ଙ୍କ ଗୋଲ୍‌ କ୍ରୋଏସିଆକୁ ବିଜୟ ବାସ୍ନା ଦେଇଥିଲା ବେଳେ ୧୧୫ ମିନିଟ୍‌ରେ ଫର୍ନାଣ୍ଡେଜଙ୍କ ହେଡର୍‌ ଗୋଲ୍‌ ପୁଣି ଥରେ ସ୍ଥିତି ସମାନ କରିଦେଇଥିଲା। ଏହା ମଧ୍ୟ ଫର୍ନାଣ୍ଡେଜ୍‌ଙ୍କ ପ୍ରଥମ ଆନ୍ତର୍ଜାତିକ ଗୋଲ୍‌ ଥିଲା ବେଳେ ଚଳିତ ବିଶ୍ୱକପ୍‌ରେ ଚତୁର୍ଥ ରୁଷୀୟ ଖେଳାଳି ଭାବେ ଗୋଲ୍‌ କରିଥିଲେ। ଅନ୍ୟପକ୍ଷରେ ଭିଦା ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ପକ୍ଷରୁ ଅଷ୍ଟମ ଖେଳାଳି ଭାବେ ଗୋଲ୍‌ କରିଥିଲେ। ଶେଷରେ କ୍ରୋଏସିଆ ସୁଟ୍‌ଆଉଟ୍‌ରେ ଜିତି ସେମିରେ ପହଞ୍ଚିଗଲା।

ଶନିବାର ରାତିରେ ଚଳିତ ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଶେଷ ହେବା ପରେ ସେମିଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ଚୂଡାନ୍ତ ହୋଇଯାଇଛି। ଶୁକ୍ରବାର ଉରୁଗୁଏକୁ ୨-୦ ଗୋଲ୍‌ରେ ଫ୍ରାନ୍‌ସ ଏବଂ ବ୍ରାଜିଲ୍‌କୁ ୨-୧ରେ ବେଲ୍‌ଜିୟମ୍‌ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଶନିବାର ସ୍ୱିଡେନ୍‌କୁ ୨-୦ରେ ଇଂଲଣ୍ଡ ଏବଂ ରୁଷିଆକୁ ୨-୧ରେ ପରାସ୍ତ କରି କ୍ରୋଏସିଆ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଆସନ୍ତା ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍‌ସ ଓ ବେଲ୍‌ଜିୟମ୍‌ ଏବଂ ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ଓ କ୍ରୋଏସିଆ ମୁହାଁମୁହିଁ ହେବେ।

ଏଥି ସହିତ ସୋଭିଏତ୍‌ ସଂଘଠାରୁ ଅଲଗା ହେବା ପରେ ରୁଷିଆ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ଖେଳିଥିଲା ବେଳେ ସେହିଠାରୁ ବିଦାୟ ନେଲା। ଅନ୍ୟପକ୍ଷରେ ପାଞ୍ଚଥର ବିଶ୍ୱକପ୍‌ ଖେଳିଥିବା କ୍ରୋଏସିଆ ତୃତୀୟ ଥର ପାଇଁ କୌଣସି ଆୟୋଜକ ରାଷ୍ଟ୍ରକୁ ଭେଟିଥିଲା ବେଳେ ପ୍ରଥମ ଥର ବିଜୟ ପାଇଲା। ଗତ ଦୁଇ ମୁକାବିଲାରେ ଏହି ଦଳ ୧୯୯୮ରେ ଆୟୋଜକ ଫ୍ରାନ୍ସଠାରୁ ହାରି ବିଦାୟ ନେଇଥିଲା ବେଳେ ୨୦୧୪ର ଉଦ୍‌ଘାଟନୀ ମୁକାବିଲାରେ ଆୟୋଜକ ବ୍ରାଜିଲଠାରୁ ୦-୩ରେ ହାରିଥିଲା।

ଏହା ପୂର୍ବରୁ ଉଭୟ ରୁଷିଆ ଓ କ୍ରୋଏସିଆ ପରସ୍ପର ତିନି ଥର ଭେଟାଭେଟି ହୋଇଥିଲେ। ସେଥିରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ରହିଥିଲା ବେଳେ ତୃତୀୟ ମ୍ୟାଚ୍‌ରେ କ୍ରୋଏସିଆ ୩-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ତେବେ ଉଭୟ ଦଳ ବିଶ୍ୱକପ୍‌ରେ ଆଦୌ ମୁହାଁମୁହିଁ ହୋଇନଥିଲେ। ପ୍ରଥମ ଥର ପାଇଁ ମସ୍କୋରେ ଚଳିତ ବିଶ୍ୱକପ୍‌ରେ ହିଁ ମୁହାଁମୁହିଁ ହୋଇଥିଲା ବେଳେ କ୍ରୋଏସିଆ ବାଜି ମାରିନେଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ସ୍ପେନ୍‌କୁ ହରାଇ ରୁଷିଆ ଏବଂ ଡେନ୍‌ମାର୍କକୁ ପରାସ୍ତ କରି କ୍ରୋଏସିଆ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲେ। ଏହା ପୂର୍ବରୁ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ (୧୯୯୮) କ୍ରୋଏସିଆର ଶ୍ରେଷ୍ଠ ସଫଳତା ଥିଲା ବେଳେ ଚତୁର୍ଥ ସ୍ଥାନ (୧୯୬୬) ରୁଷିଆର ଶ୍ରେଷ୍ଠ ସଫଳତା ଥିଲା। ତେବେ ଗତ ୨୦୧୪ ସଂସ୍କରଣରେ ଉଭୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର