ଲର୍ଡସ୍‌ ଲଜ୍ଜା: ଭାରତ ପାଳି ଓ ୧୫୯ ରନ୍‌ରେ ହାରିଲା

ଇଂଲଣ୍ଡ ୨-୦ରେ ଆଗୁଆ

ଲଣ୍ଡନ: ଲର୍ଡସ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ବର୍ଷା ପାଇଁ ପ୍ରଥମ ଦିନର ସଂପୂର୍ଣ୍ଣ ଏବଂ ଦ୍ୱିତୀୟର ଅଧାରୁ ଅଧିକ ଓଭର ଖେଳ ବାତିଲ ହେବା ସତ୍ତ୍ୱେ ଚାରି ଦିନ  ଭିତରେ ଇଂଲଣ୍ଡଠାରୁ ପାଳି ଏବଂ ୧୫୯ ରନ୍‌ର ବୃହତ୍‌ ବ୍ୟବଧାନରେ ହାରିଛି କୋହଲି ବାହିନୀ। ୮୨.୨ ଓଭର ଭିତରେ ଦୁଇ ଥର ଅଲଆଉଟ୍‌ ହୋଇ ଇଂଲଣ୍ଡ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଛି। ପ୍ରଥମ ପାଳିରେ ମାତ୍ର ୧୦୭ ରନ୍‌ (୩୫.୨ ଓଭର) କରିବା ପରେ ଦ୍ୱିତୀୟ ପାଳିରେ ୧୩୦ ରନ୍‌ (୪୭ ଓଭର) କରି ଭାରତ ଆଜି ମାଟି କାମୁଡ଼ିଛି। ସେପଟେ କଷ୍ଟକର ପିଚ୍‌ରେ ଅପୂର୍ବ ଏକାଗ୍ରତା ଏବଂ ପ୍ରଶଂସନୀୟ ବ୍ୟାଟିଂ କଳା କୌଶଳର ପରିଚୟ ଦେଇ ଇଂଲଣ୍ଡ ୩୯୬/୭ରେ ପ୍ରଥମ ପାଳି ଘୋଷଣା କରିଥିଲା। ଯାହା ଏହି ଦଳ ପାଇଁ ଲର୍ଡସରେ ଐତିହାସିକ ବିଜୟ ହାସଲ କରିବା ଲାଗି ପର୍ଯ୍ୟାପ୍ତ ହୋଇଥିଲା। ରବିବାର ଇଂଲଣ୍ଡରେ ଭାରତ ଲଗାତାର ପଞ୍ଚମ ଟେଷ୍ଟ୍‍ ହାରିଥିଲା। କୋହଲିଙ୍କ ନେତୃତ୍ୱରେ ମଧ୍ୟ ପ୍ରଥମ ପାଳି ପରାଜୟ ବରଣ କରିଥିଲା।

ଶୀର୍ଷ ସହ ମଧ୍ୟକ୍ରମ ଭୁଶୁଡ଼ିବା ପରେ ଉଭୟ ପାଳିରେ ରବିଚନ୍ଦ୍ରନ୍‌ ଅଶ୍ୱିନ (୨୯, ୩୩) ଭାରତର ସର୍ବାଧିକ ସ୍କୋରର୍‌ ହୋଇଥିଲେ। ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଏଭଳି ଦୟନୀୟ ବ୍ୟାଟିଂ ସମ୍ଭବତଃ ଦୀର୍ଘ ଦିନ ପରେ ଦେଖିବାକୁ ମିଳିଥିଲା। ଏପରିକି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲାଉଥିବା ଅଧିନାୟକ ବିରାଟ କୋହଲି (୨୩, ୧୭) ଉଭୟ ପାଳିକୁ ମିଶାଇ ୪୦ ରନ୍‌ କରିଥିଲେ। ଅନ୍ୟମାନେ ବି ଭାରତୀୟ ପ୍ରଶଂସକଙ୍କୁ ଲଜ୍ଜିତ କରିଥିଲେ। ଇଂଲଣ୍ଡ ରବିବାରର ଆତ୍ମବିଶ୍ୱାସଭରା ଏବଂ ଏକତରଫା ବିଜୟ ପରେ ପାଞ୍ଚ ଟିକିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିରେ ଜେମ୍ସ ଆଣ୍ଡରସନ୍‌ (୫/୨୦) ଭାରତ ପାଳିକୁ ପୋଛି ନେଇଥିଲେ। ଦ୍ୱିତୀୟରେ ଷ୍ଟୁଆର୍ଟ ବ୍ରଡ୍‌ ଓ ସେ (୪/୪) ମିଶି ୮ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବଳକା ଦୁଇ ଓ୍ଵିକେଟ୍‌ ଶତକ ହାସଲକାରୀ କ୍ରିସ୍‌ ଓକ୍ସଙ୍କୁ ମିଳିଥିଲା। ଏହି ଟେଷ୍ଟ୍‌ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୧୭୦.୩ ଓଭରରେ ଶେଷ ହୋଇଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଓକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ରବିବାର ଅସମାପ୍ତ ପ୍ରଥମ ପାଳି ଆରମ୍ଭ କରି ଇଂଲଣ୍ଡ ମାତ୍ର ୭ ଓଭର ପରେ ଘୋଷଣା କରି ଦେଇଥିଲା। ସାମ୍‌ କରନ (୪୦)ଙ୍କ ରୂପରେ ଭାରତ ଆଜି ଆଉ ମାତ୍ର ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲା। ଏହି ଓ୍ଵିକେଟ୍‌କୁ ହାର୍ଦିକ ପାଣ୍ଡ୍ୟା ନେଇଥିଲେ। ଶନିବାର ନିଜର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିବା ଓକ୍ସ ବ୍ୟକ୍ତିିଗତ ସ୍କୋରରେ ଆଉ ୧୭ ରନ୍‌ ଯୋଡ଼ି ଅପରାଜିତ ରହିଥିଲେ। ଇଂଲଣ୍ଡର ଅପ୍ରତ୍ୟାଶିତ ପାଳି ଘୋଷଣା ପରେ ଭାରତ ମଧ୍ୟାହ୍ନ ଭୋଜନ ପୂର୍ବରୁ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା। ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ କୌଶଳପୂର୍ଣ୍ଣ ବ୍ୟାଟିଂରୁ କିଛି ନ ଶିଖିବାର ଫଳ କିନ୍ତୁ ଆରମ୍ଭରୁ ଭୋଗିଥିଲା। ଜେମ୍ସ ଆଣ୍ଡରସନ୍‌ ତୃତୀୟ ଓଭରର ପ୍ରଥମ ବଲ୍‌ରେ ମୁରଲୀ ବିଜୟଙ୍କୁ ପୁଣି ଥରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ କରିବା ପରେ ଭାରତର ବିପର୍ଯ୍ୟୟ ଧାରା ଆରମ୍ଭ ହୋଇଯାଇଥିଲା। ୧୩ ରନ୍‌ ଭିତରେ ଲୋକେଶ ରାହୁଲ  ମଧ୍ୟ ତାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହା ପରେ ଷ୍ଟୁଆର୍ଟ ବ୍ରଡ୍‌ ଗୋଟିଏ ଓଭରରେ ବିରାଟ କୋହଲି ଏବଂ ଦୀନେଶ କାର୍ତିକଙ୍କୁ ପ୍ୟାଭିଲିୟନ ଫେରାଇବା ସହ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପୂଜାରା (୧୭), ରାହାଣେ (୧୩), କୋହଲି (୧୭), କାର୍ତିକ (୦) କେହି ତାଙ୍କ ବଲ୍‌କୁ ଯେମିତି ଆଦୌ ବୁଝି ପାରିନଥିଲେ। ପ୍ରଥମ ପାଳିରେ ଆଣ୍ଡରସନ୍‌ ଭାରତ ପାଇଁ କାଳ ସାଜିଥିଲେ। ଦ୍ୱିତୀୟରେ ବ୍ରଡ୍‌ କୋହଲି ବାହିନୀକୁ ପୂରା ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ। ଚତୁର୍ଥ ଦିନ ଖେଳ ଶେଷ ହେବାର ଘଣ୍ଟାକ ପୂର୍ବରୁ ହିଁ ଭାରତ ପାଳି ଶେଷ ହୋଇଯାଇଥିଲା। ଏଜ୍‌ବାଷ୍ଟନ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିବା ପରେ ଲର୍ଡସ ଲଢ଼େଇରେ ଇଂଲଣ୍ଡକୁ ଭାରତ ପାଣି ପିଆଇବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା ଆଶାରେ ରହିଗଲା।

ସମ୍ବନ୍ଧିତ ଖବର