୧ ଓ୍ଵିକେଟ୍‌ ରୋମାଞ୍ଚ: ଇଂଲଣ୍ଡ ୫-୦ରେ ଶୃଙ୍ଖଳା ପୋଛିନେଲା

ମଞ୍ଚେଷ୍ଟର୍‌: ଅସମ୍ଭବ ଲାଗୁଥିବା ବିଜୟକୁ ଇଂଲଣ୍ଡ ସମ୍ଭବ କରିଦେଲା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୫-୦ରେ ପୋଛିନେଲା। ଜୋସ୍‌ ବଟଲର୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଆକର୍ଷଣୀୟ ଶତକ ବଳରେ ହିଁ ଇଂଲଣ୍ଡ ୧ ଓ୍ଵିକେଟ୍‌ରେ ରୋମାଞ୍ଚକ ଭାବେ ବିଜୟୀ ହୋଇଗଲା। ୨୦୬ ରନ୍‌କୁ ପିଛା କରି ଇଂଲଣ୍ଡ ସଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ସୁଯୋଗ ଛାଡ଼ିନଥିଲା। ଅଷ୍ଟ୍ରେଲିଆର ସାନ୍ତ୍ୱନାମୂଳକ ବିଜୟ ସମ୍ଭାବନା ହାତଛଡ଼ା ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୪.୪ ଓଭରରେ ମାତ୍ର ୨୦୫ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅଷ୍ଟ୍ରେଲିଆ ପାଇଁ କେବଳ ଟ୍ରାଭିସ୍‌ ହେଡ୍‌ (୫୬), ଆଲେକ୍ସ କାରେ (୪୪), ଡାଏର୍କି ସର୍ଟ (୪୭*) ଲଢ଼ିଥିଲେ। ମୋଇନ୍‌ ଅଲୀ (୪/୪୬)ଙ୍କ ସ୍ପିନ୍‌ରେ ଅଷ୍ଟ୍ରେଲିଆ ଫସିଥିଲା। ସାମ୍‌ କୁରାନ (୨/୪୪) ମଧ୍ୟ ସଫଳ ବୋଲର ଥିଲେ। ଜବାବରେ ଇଂଲଣ୍ଡ ୨୭/୪, ୫୦/୫ ଏବଂ ୧୧୪/୮ରେ ସଂଘର୍ଷ କରିଥିଲା। ଏହି ସମୟରେ ଜୋସ୍‌ ବଟଲର୍‌ (୧୧୦*, ୧୨୨ ବଲ୍‌, ୧୨ ଚୌକା, ୧ ଛକା) ଏବଂ ଆଦିଲ୍‌ ରସିଦ୍‌ (୨୦, ୪୭ ବଲ୍‌) ନବମ ଓ୍ଵିକେଟ୍‌ ପାଇଁ ୯୧ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ। ଷ୍ଟ୍ରୋଇନିସ୍‌ଙ୍କୁ କଭର ଅଞ୍ଚଳକୁ ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। ଏହାର ପୂର୍ବ ଓଭରରେ ଷ୍ଟୋଇନିସ୍‌ଙ୍କୁ ଛକା ମାରି ବଟ୍‌ଲର୍‌ ନିଜର ଷଷ୍ଠ ଶତକ ସହିତ ଏହାକୁ ସ୍ମରଣୀୟ କରିଥିଲେ। ଇଂଲଣ୍ଡ ୯ ବଲ୍‌ ପୂର୍ବରୁ ୯ ଓ୍ଵିକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରି ନେଇଥିଲା। ବଟଲର୍‌ ମଧ୍ୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର