ଇଂଲଣ୍ଡର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ

ବାର୍ବାଡସ୍‌: କ୍ରିସ୍‌ ଗେଲ୍‌ଙ୍କ ଶତକ (୧୩୫, ୧୨୯ ବଲ) ଓ ଛକା କୀର୍ତିମାନ (୧୨)କୁ ଫିକା ପକାଇ ଜାସନ୍ ରୟ (୧୨୩, ୮୫ ବଲ) ଏବଂ ଜୋ ରୁଟ୍ (୧୦୨, ୯୭ ବଲ) ଇଂଲଣ୍ଡକୁ ବୁଧବାର ରାତିରେ ଦିନିକିଆରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ପ୍ରଦାନ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ୩୬୦ ରନ୍ କରିଥିଲେ ମଧ୍ୟ ଇଂଲଣ୍ଡ ୮ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ବିଜୟୀ ହୋଇ ୫ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଏକାଧିକ କୀର୍ତିମାନ ସହିତ ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ୯୮.୪ ଓଭରରେ ମୋଟ ୭୨୪ ରନ୍ ସଂଗ୍ରହ ହେବା ଦର୍ଶକମାନଙ୍କୁ ଢେର ମନୋରଂଜନ ଯୋଗାଇଥିଲା। ମ୍ୟାଚ୍ ବିଜୟୀ ପାଳି ପାଇଁ ଜାସନ୍ ରୟ‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଜେତା ହୋଇଥିଲେ। ବୁଧବାର ବ୍ରିଜଟାଉନ୍‌ର କେନସିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନବମ ଓଭର ବେଳକୁ ଇଣ୍ଡିଜ୍‌ ୧ ୱିକେଟ୍ ହରାଇ ୩୮ରନ୍ କରିଥିଲା। ଏହା ପରେ କିନ୍ତୁ କ୍ରିସ୍ ଗେଲ୍‌ ତାଙ୍କ ବ୍ୟାଟିଂରେ ଗିୟର୍ ପକାଇ ଛକା ପରେ ଛକା ବର୍ଷା କରିଥିଲେ। ସାଇ ହୋପ୍‌ (୬୪, ୬୫ ବଲ) ଏବଂ ଡ୍ବାନ୍ ବ୍ରାଭୋ (୪୦, ୩୦ ବଲ)ଙ୍କ ଛଡ଼ା ଗେଲ୍‌ଙ୍କୁ ଅନ୍ୟ କେହି ବିଶେଷ ସହଯୋଗ କରିନଥିଲେ। ଗେଲ ପ୍ରଥମ ୫୦ ରନ୍ ପାଇଁ ୭୬ ବଲ୍‌ ଏବଂ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୨୪ ବଲ୍‌ ଖେଳିଥିଲେ। ୧୨୯ ବଲ୍‌ରୁ ୩ ଚୌକା, ୧୨ ଛକା ସହୟତାରେ ୧୩୫ ରନ୍ କରିଥିବା ବେଳେ ବେନ ଷ୍ଟୋକ୍ସ ତାଙ୍କୁ ବୋଲ୍‌ଡ କରି ଦେଇଥିଲେ। ଜବାବରେ ଇଂଲଣ୍ଡ କିନ୍ତୁ ପ୍ରଥମ ୧୦ ଓଭରରେ ବିନା କ୍ଷତିରେ ୮୮ ରନ୍ ‌ଉଠାଇବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲା। ଜାସନ୍ ରୟ (୧୨୩, ୮୫ ବଲ, ୧୫ ଚୌକା, ୩ ଛକା) ଏବଂ ଜୋ ରୁଟ୍ (୧୦୨, ୯୭ ବଲ, ୯ ଚୌକା) ନିଜ ନିଜ ଶତକ ସହିତ ଶତକୀୟ ଭାଗୀଦାରି (୧୧୪) କରିଥିଲେ। ଜନି ବେୟାରାଷ୍ଟୋ (୩୪, ୩୩ ବଲ), ଅଧିନାୟକ ଇଅନ୍ ମୋର୍ଗାନ୍‌ (୬୫, ୫୧ ବଲ, ୪ ଚୌକା, ୩ ଛକା), ବେନ ‌ଷ୍ଟୋକ୍ସ (୨୦*, ୨୫ ବଲ, ୨ ଚୌକା) ମଧ୍ୟ ଉପଯୋଗୀ ଅବଦାନ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍-୫୦ ଓଭରରେ ୩୬୦/୮ (କ୍ରିସ୍ ଗେଲ୍-୧୩୫, ସାଇ ହୋପ୍-୬୪, ବେନ୍ ‌ଷ୍ଟୋକ୍ସ-୩/୩୭, ଆଦିଲ ରସିଦ୍‌-୩/୭୪, କ୍ରିସ୍‌ ୱକ୍ସ-୨/୫୯)। ଇଂଲଣ୍ଡ-୪୮.୪ ଓଭରରେ ୩୬୪/୪ (ଜାସନ୍ ରୟ-୧୨୩, ଜୋ ରୁଟ୍‌-୧୦୨, ଇଅନ୍ ମୋର୍ଗାନ୍‌-୬୫, ଜାସନ୍ ହୋଲଡ୍‌ର-୨/୬୩)।

ସମ୍ବନ୍ଧିତ ଖବର