ଆଜମ୍‌ଙ୍କ ଶତକକୁ ଫିକା କଲେ ରୟ: ଶୃଙ୍ଖଳା ଜିତିଲା ଇଂଲଣ୍ଡ

ନଟିଂହାମ୍‌: ଟ୍ରେଣ୍ଟ୍‌ବ୍ରିଜ୍‌ର ନଟିଂହାମ୍‌ରେ ପୁଣି ଏକ ବଡ଼ ସ୍କୋର୍‌ ବିଶିଷ୍ଟ ଦିନିକିଆ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଏଥିରେ ଇଂଲଣ୍ଡ୍‌ ୩ ବଲ୍‌ ପୂର୍ବରୁ ୩ ୱିକେଟ୍‌ର ବିଜୟ ହାସଲ କରି ଅପରାଜେୟ ରହିଲା। ଶୁକ୍ରବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ପାକିସ୍ତାନ ବାବର ଆଜମ୍‌ (୧୧୫ ରନ୍‌, ୧୧୨ ବଲ୍‌, ୧୩ ଚୌକା, ୧ ଛକା)ଙ୍କ ଶତକ ସାଙ୍ଗକୁ ଫକର ଜମନ୍‌ (୫୭ ରନ୍‌ ୫୦ ବଲ୍‌, ୫ ଚୌକା, ୨ ଛକା) ଓ ମହମ୍ମଦ ହାଫିଜ୍‌ (୫୯ ରନ୍‌, ୫୫ ବଲ୍‌, ୨ ଚୌକା, ୩ ଛକା)ଙ୍କ ଅର୍ଧଶତକ ବଳରେ ୭ ୱିକେଟ୍‌ ବିନିମୟରେ ୩୪୦ ରନ୍‌ କରିଥିଲା। ଟମ୍‌ କରନ୍‌ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ସଫଳ ବୋଲର ଭାବେ ୭୫ ରନ୍‌ରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ହେଲେ ଆଜମ୍‌ଙ୍କ ଶତକକୁ ଫିକା କରିଦେଇଥିଲେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜାସନ୍‌ ରୟ। ସେ ୮୯ ବଲ୍‌ରୁ ୧୧ ଚୌକା ଓ ୪ ଛକା ସହାୟତାରେ ୧୧୪ ରନ୍‌ କରିବାରୁ ଇଂଲଣ୍ଡ୍‌ ଶେଷ ଓଭରରେ ବିଜୟ ହାସଲ କରିଥିଲା। ଜାସନ୍‌ ରୟଙ୍କର ଏହା ଥିଲା ଅଷ୍ଟମ ଦିନିକିଆ ଆନ୍ତର୍ଜାତିକ ଶତକ। ଅବଶ୍ୟ ଏହି ପାଳିରେ ରୟ ଦୁଇଥର (୨୭ ଓ ୬୨ ରନ୍‌ ବେଳେ) ଆଉଟ୍‌ ସୁଯୋଗ ଦେଇଥିଲେ ମଧ୍ୟ ପାକିସ୍ତାନୀ କ୍ଷେତ୍ରରକ୍ଷକ କ୍ୟାଚ୍‌ ହାତଛଡ଼ା କରିଥିଲେ। ତାଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ (୭୧* ରନ୍‌, ୬୪ ବଲ୍‌, ୫ ଚୌକା, ୩ ଛକା) ଅପରାଜିତ ଅର୍ଧଶତକୀୟ ପାଳି ଖେଳି ଦଳ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମ୍‌ସ ଭିନ୍‌ସେ ୪୩, ଜୋ ରୁଟ୍‌ ୩୬, ଟମ୍‌ କରନ୍‌ ୩୧ ରନ୍‌ କରିବାରୁ ଇଂଲଣ୍ଡ୍‌ ଶେଷ ଓଭରର ତୃତୀୟ ବଲ୍‌ରେ ବିଜୟ ମୁଣ୍ଡି ମାରିଥିଲା। ଇଂଲଣ୍ଡ୍‌ ୪୯.୩ ଓଭରରେ ୭ ୱିକେଟ୍‌ ବିନିମୟରେ ୩୪୧ ରନ୍‌ର ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପାକିସ୍ତାନ ପକ୍ଷରୁ ଇମାଦ୍‌ ୱାସିମ୍‌ ଓ ମହମ୍ମଦ ହାସ୍‌ନେନ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଆଉ ଏହି ବିଜୟ ବଳରେ ଘରୋଇ ଇଲଣ୍ଡ୍‌ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ ଅଗ୍ରଣୀ ସହ ଶେଷ ମ୍ୟାଚ୍‌ ପୂର୍ବରୁ ଜିତି ନେଇଛି। ମ୍ୟାଚ୍‌ ବିଜୟୀ ପାଳି ପାଇଁ ଜାସନ୍‌ ରୟଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୫୦ ଓଭରରେ ୭/୩୪୦ (ବାବର ଆଜମ୍‌-୧୧୫, ମହମ୍ମଦ ହାପିଜ୍‌-୫୯, ଫକର ଜମନ୍‌-୫୭, ସୋଏବ୍‌ ମଲ୍ଲିକ-୪୧, ସର୍ଫରାଜ ଅହମ୍ମଦ-୨୧*, ଟମ୍‌ କରନ୍‌-୪/୭୫, ମାର୍କ ଉଡ୍‌-୨/୭୧। ଇଂଲଣ୍ଡ୍‌ ୪୯.୩ ଓଭରରେ ୭/୩୪୧ (ଜାସନ୍‌ ରୟ-୧୧୪, ବେନ୍‌ ଷ୍ଟୋକ୍‌ସ-୭୧*, ଭିନ୍‌ସେ-୪୩, ରୁଟ୍‌-୩୬, ଟମ୍‌ କରନ୍‌-୩୧, ଇମାଦ୍‌ ୱାସିମ୍‌-୨/୬୨, ମହମ୍ମଦ ହାସ୍‌ନେନ୍‌-୨/୮୦)।

ସମ୍ବନ୍ଧିତ ଖବର