କୁମ୍ବଲେଙ୍କ ପରଫେକ୍ଟ-୧୦ର ସମକକ୍ଷ ହେଲେ ସିଦକ୍‌

ପୁଡୁଚେରୀ: ଉତ୍ତର ପ୍ରଦେଶ ଜନ୍ମିତ ସିଦକ୍‌ ସିଂହ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ଫର୍‌ଫେକ୍ଟ-୧୦ (ଗୋଟିଏ ପାଳିର ସମସ୍ତ ୱିକେଟ୍‌ ଦଖଲ) ସଫଳତାର ସମକକ୍ଷ ହୋଇଛନ୍ତି। ମୁମ୍ବାଇ ପାଇଁ ୭ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିବା ସିଦକ୍‌ ଏବେ ଅନ୍ୟ ରାଜ୍ୟର ଖେଳାଳି ଭାବେ ପୁଡୁଚେରୀ ପକ୍ଷରୁ ୨୩ ବର୍ଷରୁ କମ୍‌ ଦଳରେ ଖେଳୁଛନ୍ତି। ମଣିପୁର ବିପକ୍ଷ ଏକ ସିକେ ନାୟୁଡୁ ମ୍ୟାଚ୍‌ରେ ଏହି ୧୯ ବଷର୍ ବୟସ୍କ ସ୍ପିନର ଗୋଟିଏ ପାଳିରେ ସମସ୍ତ ୧୦ଟିଯାକ ୱି‌କେଟ୍‌ ଅକ୍ତିଆର କରିଛନ୍ତି। ସେ ୧୭.୫ ଓଭର ବୋଲିଂ କରି ୭ ମେଡେନ୍‌ ସହ ୩୧ ରନ୍‌ ବ୍ୟୟ କରି ୧୦ଟିଯାକ ୱିକେଟ୍‌ ଦଖଲ କରିଛନ୍ତି। ଯାହା ଫଳରେ ମଣିପୁର ପ୍ରଥମ ପାଳି ୭୧ ରନ୍‌ରେ ଶେଷ ହୋଇଥିଲା। ଜବାବରେ ପୁଡୁଚେରୀ ପ୍ରଥମ ପାଳିରେ ୧୦୫ ରନ୍‌ କରିଛି। ଏହି ମ୍ୟାଚ୍‌ ପୁଡୁଚେରୀରେ ଖେଳାଯାଉଛି। ସିଦକ୍‌ଙ୍କ ପୂର୍ବରୁ ପୁରୁଖା ଲେଗ୍‌ ସ୍ପିନର କୁମ୍ବଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷ ଦିଲ୍ଲୀର ଫିରୋଜସାହା କୋଟଲା ପଡ଼ିଆରେ ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍‌ ଦଖଲ କରି ଜିମ୍‌ ଲାକର୍ସଙ୍କ ସଫଳତାର ସମକକ୍ଷ ହୋଇଥିଲେ।

ସମ୍ବନ୍ଧିତ ଖବର