ୟୁରୋପା ଲିଗ୍‌ ସେମିରେ ଆର୍ସେନଲ, ଚେଲ୍‌ସି

ବକୁ: ଦୁଇ ଇଂଲଣ୍ଡ ଦଳ ଆର୍ସେନଲ ଓ ଚେଲ୍‌ସି ସହ ଜର୍ମାନିର ଇଣ୍ଟ୍ରାଣ୍ଟ୍‌ ଫ୍ରାଙ୍କଫର୍ଟ ଏବଂ ସ୍ପେନ୍‌ର ଭାଲେନ୍‌ସିଆ ଚଳିତ ୟୁରୋପା ଲିଗ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆର୍ସେନଲ୍‌ ପ୍ରଥମ ଚରଣରେ ୨-୦ ଏବଂ ଦ୍ବିତୀୟ ଚରଣରେ ୧-୦ (ମୋଟ ଉପରେ ୩-୦) ଗୋଲ୍‌ରେ ନାପୋଲିକୁ ହରାଇ ଏହି ସ୍ଥାନ ପକ୍କା କରିଥିଲା। ଗୁରୁବାର ‌ଦ୍ବିତୀୟ ଚରଣରେ ଆଲେକ୍ସଜାନ୍ଦ୍ରା ଲାକାଜେଟ୍‌ (୩୬ ମିନିଟ୍‌)ଙ୍କ ଫ୍ରି-କିକ୍‌ରେ ଆର୍ସେନଲ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ସେମିରେ ଏହି ଦଳ ଭାଲେନ୍‌ସିଆକୁ ଭେଟିବ। ଭାଲେନ୍‌ସିଆ ପ୍ରଥମ ଚରଣକୁ ୩-୧ ଏବଂ ଦ୍ବିତୀୟ ଚରଣକୁ ୨-୦ରେ ଜିତି ମୋଟ ୫-୧ ଗୋଲ୍‌ ବ୍ୟାବଧାନରେ ନିଜ ଦେଶର ଭିଲାରିଅଲ୍‌ କ୍ଲବ୍‌କୁ ମାତ୍‌ ଦେଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଗୁରୁବା‌ର ଖେଳାଯାଇଥିବା ମ୍ୟାଚ୍‌ରେ ଭାଲେନ୍‌ସିଆ ପକ୍ଷରୁ ଲାଟୋ (୧୩ ମିନିଟ୍‌) ଓ ପାରିଜୋ (୫୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ଅନ୍ୟ ଏକ କ୍ବାର୍ଟର୍‌ ଫାଇନାଲ୍‌ରେ ଚେଲ୍‌ସି ୫-୩ ଗୋଲ୍‌ ବ୍ୟା‌ବଧାନରେ ଚେକ୍‌ଗଣରାଜ୍ୟର ସ୍ଲାଭିଆ ପ୍ରାଗ୍‌କୁ ହରାଇଥିଲା। ପ୍ରଥମ ଚରଣକୁ ୧-୦ରେ ଜିତିଥିବା ଚେଲ୍‌ସି ଗୁରୁବାର ଦ୍ବିତୀୟ ଚରଣରେ କଡ଼ା ସଂଘର୍ଷ କରି ୪-୩ ଗୋଲ୍‌ରେ ସ୍ଲାଭିଆ ପ୍ରାଗ୍‌କୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଏହି ମ୍ୟାଚ୍‌ର ଦଶମ ମିନିଟ୍‌ରେ ସ୍ଲାଭିଆର ଦେଲିଙ୍କ ଆତ୍ମଘାତୀ ଗୋଲ୍‌ ‌ହିଁ ଚେଲ୍‌ସି ବିଜୟର ପ୍ରମୁଖ କାରଣ ହୋଇଥିଲା। ଚେଲ୍‌ସି ପକ୍ଷରୁ ହୋଇଥିବା ଅବଶିଷ୍ଟ ତିନି ଗୋଲ୍‌ ମଧ୍ୟରୁ ପେଡ୍ରୋ (୫, ୧୭ ମିନିଟ୍‌) ଦୁଇଟି ଏବଂ ଓଲିଭର୍‌ ଗିରୋଡ୍‌ (୨୭ ମିନିଟ୍‌) ଗୋଟିଏ ଦେଇଥିଲେ। ସ୍ଲାଭିଆ ପକ୍ଷରୁ ସୌସେକ୍‌ (୨୬ ମିନିଟ୍‌) ଏବଂ ସେଭ୍‌ସିକ୍‌ (୫୧, ୫୫ ମିନିଟ୍‌) ୩ ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲା। ଚେଲ୍‌ସି ସେମିଫାଇନାଲ୍‌ରେ ଇଣ୍ଟ୍ରାଚ୍‌ ଫ୍ରାଙ୍କ୍‌ଫର୍ଟକୁ ଭେଟିବ। ଫ୍ରାଙ୍କ୍‌ଫର୍ଟ-ବେନ୍‌ଫିକା କ୍ବାର୍ଟର୍‌ ଫାଇନାଲ୍ ୪-୪ ଗୋଲ୍‌ରେ ଶେଷ ହୋଇଥିଲା। ପ୍ରଥମ ଚରଣରେ ବେନ୍‌ଫିକା ତା ନିଜ ପଡ଼ିଆରେ ୪-୨ ଗୋଲ୍‌ରେ ଫ୍ରାଙ୍କ୍‌ଫର୍ଟକୁ ପରାସ୍ତ କରିଥିଲା। ଫ୍ର‌ାଙ୍କ୍‌ଫର୍ଟ ନିଜ ଘରେ ୨-୦ ‌ଗୋଲ୍‌ରେ ବେନ୍‌ଫିକାକୁ ହରାଇଥିଲା। ଫଲାଫଳ ଟାଇ ହେବାରୁ ବାହାରେ ଅଧିକ ‌ଗୋଲ୍‌ ଦେଇଥିବା ଭିତ୍ତିରେ ଫ୍ର‌ାଙ୍କ୍‌ଫର୍ଟ ବିଜୟୀ ‌ହେବା ସହ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଦ୍ବିତୀୟ ଚରଣରେ କୋସ୍‌ଟିକ୍‌ (୩୭ ମିନିଟ୍‌) ଓ ରୋଡେ (୬୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର