ସବୁକିଛି ନୂଆକରି ଆରମ୍ଭ କରିବାକୁ ହେବ: ରିଡ୍

ସବୁକିଛି ନୂଆକରି ଆରମ୍ଭ କରିବାକୁ ହେବ: ରିଡ୍

ବେଙ୍ଗାଲୁରୁ: ଅନ୍ୟ ସମସ୍ତ ଖେଳ ଭଳି କରୋନା ମହାମାରୀ ସଙ୍କଟର ଜଟିଳ ଓ ପ୍ରଳୟଙ୍କାରୀ ପ୍ରଭାବ ‘ହକି’ ଉପରେ ମଧ୍ୟ ପଡ଼ିଛି। ସମଗ୍ର ବିଶ୍ବର ହକି ପ୍ରତିଯୋଗିତା ବନ୍ଦ ରହିଛି। ମାର୍ଚ ୨୪ରେ ତାଲାବନ୍ଦ ଘୋଷଣା ହେବା ପରଠାରୁ ଭାରତୀୟ ହକି ଖେଳାଳିମାନେ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଗୃହାବଦ୍ଧ ହୋଇ ରହିଛନ୍ତି। ସେମାନଙ୍କ ଅଭ୍ୟାସ ବି ବନ୍ଦ ରହିଛି। ଏଭଳି ସ୍ଥିତିରେ ଖେଳାଳିମାନଙ୍କୁ ପୁଣି ଥରେ ପଡ଼ିଆକୁ ଫେରାଇ ଆଣିବା

ନିଶ୍ଚିତ ଭାବେ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ଙ୍କ ପାଇଁ ଏକ ମସ୍ତବଡ଼ ଆହ୍ବାନ ହେବ। ତଥାପି ଅଷ୍ଟ୍ରେଲିଆର ଏହି ପୂର୍ବତନ କିଂବଦନ୍ତି ହକି ତାରକା ତାଲାବନ୍ଦ କୋହଳ ହେବାକୁ ଚାତକ ଭଳି ଚାହିଁ ରହିଛନ୍ତି। ଭାରତୀୟ ଖେଳାଳିଙ୍କ ପଡ଼ିଆ ପ୍ରତ୍ୟାବର୍ତ୍ତନ ପାଇଁ ସ୍ବତନ୍ତ୍ର ଓ ସମୟ ଉପଯୋଗୀ ଯୋଜନା ବି ପ୍ରସ୍ତୁତ କରିଛନ୍ତି। ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଅଟକି ରହିଥିବା ଗ୍ରିଡ୍ ଆଗାମୀ ସମୟରେ ତାଙ୍କ ସହ ଭାରତୀୟ ହକି ଖେଳାଳିମାନଙ୍କ ପାଇଁ ଅପେକ୍ଷା କରି ରହିଥିବା ବିଭିନ୍ନ ସମସ୍ୟା ଓ ଆହ୍ବାନ ନେଇ ଖୋଲା ଖୋଲି ମନ୍ତବ୍ୟ ଦେଇଛନ୍ତି।

ପ୍ରଶ୍ନ: କରୋନା କାଳରେ ଖେଳାଳିଙ୍କ ମନୋବଳ ବଜାୟ ରଖିବା କେତେ କଷ୍ଟକର ଥିଲା?
ରିଡ୍: ସମଗ୍ର ବିଶ୍ବ ଏକ ଘଡ଼ିସନ୍ଧୀ ମୁହୂର୍ତ୍ତ ଦେଇ ଗତି କରୁଥିବାରୁ ପରିସ୍ଥିତିର ମୁକାବିଲା କରିବା ସମ୍ଭବତଃ ସମସ୍ତଙ୍କ ପାଇଁ ଟିକିଏ ସହଜ ହୋଇ ଯାଇଥିଲା। ଆପଣ ଯାହା ସହ ବି କଥା ହେଉଥିଲେ ଏବଂ ସେ ଯେଉଁଠାରେ ବି ଥିଲେ, ସମସ୍ତେ ଏକପ୍ରକାର ଅଭିଜ୍ଞତା ହାସଲ କରୁଥିଲେ। ଏଣୁ ଆମେ ସମସ୍ତେ ଏକାଠି ଏକ ସମସ୍ୟାର ସମ୍ମୁଖୀନ ହେଉଥିବାର ଭାବନା ସାହାଯ୍ୟକାରୀ ହୋଇଥିଲା। ଖେଳାଳିମାନଙ୍କ ସହ ବ୍ୟକ୍ତିଗତ ଭାବେ ଆମେ ବୈଠକ କରିଥିଲୁ। ଗତ ୧୨ ମାସ ଧରି ସେମାନେ କରିଥିବା ପ୍ରଦର୍ଶନର ସମୀକ୍ଷା କରିଥିଲୁ। ‌ଖେଳର କେଉଁ ଦିଗରେ ସେମାନଙ୍କୁ ଉନ୍ନତି କରିବା ଦରକାର ତାକୁ ଚିହ୍ନଟ କରିଥିଲୁ। ଏଣୁ ସମସ୍ତଙ୍କୁ ଆଗାମୀ ସମୟ ଲାଗି ବାସ୍ତବିକ ଲକ୍ଷ୍ୟ ମିଳି ଯାଇଥିଲା।

ପ୍ରଶ୍ନ: ଖେଳାଳିମାନଙ୍କୁ ଖେଳ ସହ ଜଡ଼ିତ ରଖିବା ଲାଗି କେଉଁ କେଉଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା?
ରିଡ୍: ନିଜ ଖେଳକୁ ବାରମ୍ବାର ଓ ଅତି ନିକଟରୁ ଅନୁଶୀଳନ କରିବାର ସଫ୍ଟଓୟାର ଆମ ପାଖରେ ଅଛି। ତା’ ସହ ଆମେ ଜଣା ଅଜଣା ଏବଂ ସେଭଳି କିଛି କାର୍ଯ୍ୟକ୍ରମର ଆୟୋଜନ ବି କରିଥିଲୁ। ଗତ ୧୦ ଦିନ ହେବ ପ୍ରଶିକ୍ଷକ ମଣ୍ଡଳି ଖେଳାଳିଙ୍କ ସହ ତୁଳନାତ୍ମକ ଭାବେ ଅଧିକ ଭାବ ବିନିମୟ କରୁଛନ୍ତି। ସେମାନେ କେଉଁଠାରୁ ଆସିଛନ୍ତି, ହକିକୁ କେମିତି ଆସିଲେ, ଇତ୍ୟାଦି ଇତ୍ୟାଦି। ସମାନଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଥିବା ବ୍ୟକ୍ତି କିମ୍ବା ଘଟଣା ବିଷୟରେ ଆମେ ଜାଣିବାକୁ ଚାହୁଁଛୁ, ଏମିତି କିଛି କଥା ଯାହା ଦଳ ଭିତରେ ପୂର୍ବରୁ କେହି ଜାଣି ନାହାନ୍ତି। ସେମାନେ ଏଠାରେ କାହିଁକି ଅଛନ୍ତି ଏବଂ ସେମାନଙ୍କ ଜୀବନର ଲକ୍ଷ୍ୟ କ’ଣ? ଜାଣିବା ଲାଗି ଏହା ଏକ ବଳିଷ୍ଠ ଓ ଫଳପ୍ରଦ ଉପାୟ।

ପ୍ରଶ୍ନ: ଏତେ ଦିନ ଧରି ସମସ୍ତଙ୍କଠାରୁ ଅଲଗା ହୋଇ ରହିବା କେତେ କଷ୍ଟକର ଥିଲା?
ରିଡ୍: ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ବହୁତ ବଢ଼ିଆ ଥିଲା। ମୋ ପତ୍ନୀ ଏଠାରେ ମୋ ସହ ଅଛନ୍ତି। ତାଙ୍କ କାମ ହେଲା ଏକ ଶିକ୍ଷାଭିତ୍ତିକ ଅନଲାଇନ ସାଇଟ୍‌ର ବିକାଶ ଓ ରକ୍ଷଣାବେକ୍ଷଣ କରିବା। ଏଣୁ ଦିନ ସାରା ଆମେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲୁ, ରାତିରେ ସାଧାରଣ ଲୋକଙ୍କ ଭଳି ଜୀବନଚର୍ଯ୍ୟା କରୁଥିଲୁ। ଯେମିତିକି ନେଟଫ୍ଲିକ୍ସରେ ଚଳଚ୍ଚିତ୍ର ଦେଖିବା, ଗୀତ ଶୁଣିବା ଆଦି। ଆମେ ମଧ୍ୟ ଆମ ପିଲାଙ୍କ ସହ ଅନଲାଇନ୍‌ରେ ଭିଡିଓ ଚାଟ୍ କରୁଥିଲୁ। ଏଣୁ ବାହାର ଦୁନିଆ ସହ ଯୋଗାଯୋଗରେ ରହିଥିଲା ଭଳି ଲାଗିଥିଲା।

ପ୍ରଶ୍ନ: ସାଇ କେନ୍ଦ୍ରରେ ଅଲଗା ହୋଇ ରହିଥିବା ଖେଳାଳିଙ୍କ ଅଭ୍ୟାସ ଆରମ୍ଭ କରିବା ଲାଗି ଭାରତୀୟ ଅଲିମ୍ପିକ୍ସ ସଂଘ ଆଗ୍ରହ ପ୍ରକାଶ କରିଛି। ଏଭଳି ସ୍ଥିତିରେ ଖେଳାଳିମାନଙ୍କୁ ପୂର୍ଣ୍ଣକାଳୀନ ଅଭ୍ୟାସ ଅଧିବେଶନକୁ ଆଣିବା କେତେ କଷ୍ଟକର ହେବ?
ରିଡ୍: ସବୁଠାରୁ ବେଶି ଚିନ୍ତାର ବିଷୟ ହେଲା, ସେମାନେ ଯେ ଆହତ ହେବେ ନାହିଁ , ଏହି ଭରସା ଓ ପ୍ରତିଶୃତି ଦେବା। ଅବଶ୍ୟ ତାଲାବନ୍ଦରେ ଥିଲା ବେଳେ ଖେଳାଳିମାନେ ନିଜ ଫିଟନେସ୍ ଓ ଶକ୍ତିକୁ ବଜାୟ ରଖିଛନ୍ତି। ହେଲେ ହକିରେ ପାଦ ଚଳନ ପ୍ରଣାଳୀ ସ୍ବତନ୍ତ୍ର ଓ ନିଆରା। ଯାହାକୁ ପଡ଼ିଆ ଭିତରେ ଦୋହରାଇବା ଅତ୍ୟନ୍ତ କଷ୍ଟକର। ଏଣୁ ସର୍ବାଧିକ ଗତିକୁ ଫେରିବା ଲାଗି ନିଶ୍ଚିତ ଭାବେ କିଛି ସମୟ ଲାଗିବ। କୋଭିଡ୍-୧୯ ନିୟମାବଳୀ ପାଇଁ ସେମାନଙ୍କୁ ନିଜକୁ ନିଜେ ହିଁ କୌଶଳ ଭିତ୍ତିକ ପ୍ରଶିକ୍ଷଣ ଅଭ୍ୟାସ କରିବାକୁ ପଡ଼ୁଥିଲା। ସେଥିପାଇଁ ଆମେ ଗତ ବର୍ଷ ଖରାଛୁଟି ପୂର୍ବରୁ ଭୁବନେଶ୍ବର ପ୍ରଶିକ୍ଷଣ ଶିବିରରେ ଅନୁସରଣ କରିଥିବା ଅଭ୍ୟାସ ସାରଣୀକୁ ଏବେ କାମରେ ଲଗାଇବୁ।

ପ୍ରଶ୍ନ: ପ୍ରଶିକ୍ଷଣ ପାଇଁ ପ୍ରଶିକ୍ଷକମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନୀତି କିମ୍ବା ନିୟମାବଳୀକୁ ଅନୁସରଣ କରିବାକୁ ପଡ଼ିବ କି?
ରିଡ୍: ଅଭ୍ୟାସ ଅଧିବେଶନ ପୁନଃ ଆରମ୍ଭ କରିବା ଲାଗି ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କିଛି ନିୟମାବଳୀ ଓ ସର୍ତ୍ତ ଜାରି କରିଛି। ଆମେ ଏହାକୁ ହକି ରୂପ ଦେବୁ। ଆମେ ବ୍ୟାୟାମ ସାରଣୀ ଓ ପ୍ରଶିକ୍ଷଣ ଯୋଜନା ପ୍ରସ୍ତୁତ କରି ସାରିଛୁ। ଅତିରିକ୍ତ ସାମାଜିକ ଦୂରତା ନିୟମର ଦରକାର ହେଲେ, ଆମେ ଏଥିରେ ଏହାକୁ ସଂଯୋଗ କରିବୁ। ଏଥିଲାଗି ଆମେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। କିଛି ନା କିଛି ଅଭ୍ୟାସକୁ ଅନୁମତି ମିଳିବ ବୋଲି ଆଶା ରଖିଛୁ। ଏଥିନେଇ କ୍ରୀଡ଼ାମନ୍ତ୍ରୀଙ୍କ ସହ ଖେଳାଳି, ପ୍ରଶିକ୍ଷକ ଓ ହକି ଇଣ୍ଡିଆ ଅଧିକାରୀଙ୍କର ଏକ ଭଲ ଓ ଫଳପ୍ରଦ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇ ସାରିଛି।

ପ୍ରଶ୍ନ: ଅଧିକାରୀମାନେ ଯଦି ଅଭ୍ୟା‌ସକୁ ଆହୁରି କିଛି ଦିନ କିମ୍ବା ସପ୍ତାହ ଗଡ଼ାଇ ଦିଅନ୍ତି, ତାହାଲେ ଖେଳାଳିଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ମିଳିବ କି?
ରିଡ୍: ଦୁର୍ଭାଗ୍ୟଜନକ ଭାବେ ଦେଶର କୌଣସି ଭୂଭାଗକୁ ଯାତ୍ରା କରିବା ଏବେ ବି ସୁରକ୍ଷିତ ନୁହେଁ। ଏଣୁ ଯେ‌ତେବେଳେ ଆମେ ସଂପୂର୍ଣ୍ଣ ସୁରକ୍ଷିତ ମନେ କରିବୁ, ସେତେବେଳେ ସେମାନଙ୍କୁ ଏଥିଲାଗି ଅନୁମତି ଦେବୁ।

ସମ୍ବନ୍ଧିତ ଖବର