ନିର୍ବାଚନ ଏକ୍‌ଜିଟ୍‌ ପୋଲ: ଗୁଜରାଟ ଓ ହିମାଚଳରେ ସରକାର ଗଢ଼ିବ ବିଜେପି

ଟାଇମ୍ସ ନାଓ ରିପୋର୍ଟ ଅନୁସାରେ ଗୁଜରାଟରେ ବିଜେପିକୁ ମିଳିବ ୧୦୯ଟି ସିଟ

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ତିନି ଦିନ ପରେ ଆଗାମୀ ଡିସେମ୍ବର ୧୮ରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ୍‌ଜିଟ୍‌ ପୋଲ ସର୍ଭେ ଆସିଛି।

ଟାଇମ୍ସ ନାଓ ସର୍ଭେ ରିପୋର୍ଟ ଅନୁସାରେ ୧୮୨ଟି ଆସନ ବିଶିଷ୍ଟ ଗୁଜରାଟ ଓ ୬୮ଟି ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ। ରିପୋର୍ଟ ଅନୁସାରେ ଗୁଜରାଟରେ ବିଜେପିକୁ ୧୦୯ଟି ଆସନ ମିିଳିବାକୁ ଥିବା ବେଳେ ହିମାଚଳ ପ୍ରଦେଶରେ ୪୭ରୁ ୫୫ଟି ସିଟରେ ବିଜୟ ଲାଭ ମିଳିବ। କଂଗ୍ରେସ ଗୁଜରାଟରେ ୭୦ଟି ଓ ହିମାଚଳ ପ୍ରଦେଶରେ ୧୩ରୁ ୨୦ଟି ଆସନ ରେ ବିଜୟୀ ହେବ। ଅନ୍ୟ ଦଳକୁ ଉଭୟ ରାଜ୍ୟରେ ଭଲ ଫଳ ମିଳିବ ନାହିଁ ବୋଲି ସର୍ଭେ ରିପୋର୍ଟ କହିଛି। ଗୁଜରାଟରେ ଅନ୍ୟ ଦଳକୁ ୩ଟି ଆସନ ମିଳିବାକୁ ଥିବା ବେଳେ ହିମାଚଳ ପ୍ରଦେଶରେ ୦-୨ଟି ଆସନ ମିଳିପାରେ।

ରିପ୍ଲବିକ-ସି ଭୋଟର ସର୍ଭେ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୫ଟି ସିଟ, କଂଗ୍ରେସକୁ ୬୫ଟି ଓ ଅନ୍ୟ ଦଳକୁ ୨ଟି ସିଟ ମିିଳିବ। ଇଣ୍ଡିଆ ନ୍ୟୁଜ ସିଏନ୍‌ଏକ୍ସ ରିପୋର୍ଟ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୦ରୁ ୧୨୦ଟି, କଂଗ୍ରେସକୁ ୬୫ରୁ ୭୫ଟି ଓ ଅନ୍ୟ ଦଳକୁ ୨ରୁ ୪ଟି ସିଟ ମିଳିବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁସାରେ ବିଜେପିକୁ ୯୯ରୁ ୧୧୩ଟି, କଂଗ୍ରେସକୁ ୬୮ରୁ ୮୨ଟି ଓ ଅନ୍ୟ ଦଳକୁ ୧ରୁ ୪ଟି ଆସନ ମିଳିବ।

ସୂଚନାଯୋଗ୍ୟ, କଂଗ୍ରେସ ଶାସିତ ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଗତ ନଭେମ୍ବର ୯ରେ ମତଦାନ ହୋଇଥିଲା। ଏଥିରେ ରାଜ୍ୟର ୭୪ ପ୍ରତିଶତ ମତଦାତା ଭାଗ ନେଇଥିଲେ। ସେହିପରି ୧୮୨ଟି ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗତ ଡିସେମ୍ବର ୯ରେ ୮୯ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ଗୁରୁବାର ୯୩ଟି ଆସନ ପାଇଁ ମତଦାନ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।

ବର୍ଷ ୨୦୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୩୬ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ୪ କ୍ଷମତାକୁ ଆସିଛି। ଫଳରେ ହିମାଚଳରେ ଭାଜପାର ସ୍ଥିତି ପୂର୍ବ ଅପେକ୍ଷା ଦୃଢ଼ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର