ଆଇପିଏଲ୍‌ ୧୧ : ଦାମୀ ଖେଳାଳିଙ୍କ ଦୁଃଖର ଋତୁ

ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ନିଲାମରେ କମ୍‌ ମୂଲ୍ୟରେ ବିକ୍ରି ହୋଇଥିବା ଖେଳାଳିମାନେ ନିଜର ଚମକ ଦେଖାଉଥିଲା ବେଳେ ଚଢ଼ା ଦରରେ ବିକ୍ରି ହୋଇଥିବା କିଛି ଖେଳାଳିଙ୍କ ପ୍ରଦର୍ଶନ ଅତି ନିକୃଷ୍ଟ ହୋଇଛି। ଏମାନଙ୍କ ମଧ୍ୟରୁ ବେନ୍‌ ଷ୍ଟୋକ୍ସ, ଜୟଦେବ ଉନାଦକଟ୍‌, ମନୀଷ ପାଣ୍ଡେ, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କ ଦାମ୍‌ ଅଧିକ ରହିଥିଲା ବେଳେ କାମରେ ଦମ୍‌ ଦେଖାଇ ପାରୁନାହାନ୍ତି।

ବେନ୍‌ ଷ୍ଟୋକ୍ସ (ରାଜସ୍ଥାନ ରୟାଲ୍ସ): ୧୨.୫ କୋଟି ଟଙ୍କା
ଗତବର୍ଷ ରାଇଜିଂ ପୁନେ ସୁପରଜିଆଣ୍ଟ୍‌ ପାଇଁ ଖେଳିଥିବା ଏହି ଇଂଲଣ୍ଡ ଅଲ୍‌ରାଉଣ୍ଡରଙ୍କୁ ଚଳିତ ବର୍ଷ ୧୨.୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଥିଲା। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସେ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲେ। ଏତେ ମୂଲ୍ୟ ସତ୍ତ୍ୱେ ତାଙ୍କ ପ୍ରଦର୍ଶନ ଆଇପିଏଲ୍‌ରେ ଭଲ ରହି ନାହିଁ। ଗତ ଋତୁରେ ସେ ୩୧୬ ରନ୍‌ କରିବା ସହ ୭.୧୮ ହାରରେ ୧୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮ ମ୍ୟାଚ୍‌ ଖେଳି ସାରିଥିଲେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ୧୪୮ ରନ୍‌ ବାହାରିଥିଲା ବେଳେ ମାତ୍ର ଗୋଟିଏ ଓ୍ଵିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି।

ଜୟଦେବ ଉନାଦକଟ୍‌
(ରାଜସ୍ଥାନ ରୟାଲ୍ସ): ୧୧.୫ କୋଟି ଟଙ୍କା
ଷ୍ଟୋକ୍ସଙ୍କ ପରି ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକଟ୍‌ ମଧ୍ୟ ରାଜସ୍ଥାନ ରୟାଲ୍ସକୁ ନିରାଶ କରିଛନ୍ତି। ଚଳିତ ବର୍ଷ ୧୧.୫ କୋଟିରେ ବିକ୍ରି ହୋଇଥିଲେ ମଧ୍ୟ ଦଳକୁ ଏହାର ମୂଲ୍ୟ ଦେବାରେ ବିଫଳ ହୋଇଛନ୍ତି। ଗତ ବର୍ଷ ରାଇଜିଂ ପୁନେ ସୁପରଜିଆଣ୍ଟ୍‌ ଦଳରେ ଥିବା ଉନାଦ୍‌କଟ୍‌ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୨୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। କିନ୍ତୁ ଚଳିତ ବର୍ଷ ୮ ମ୍ୟାଚ୍‌ ଖେଳି ମାତ୍ର ୭ ଓ୍ଵିକେଟ୍‌ ନେଇଛନ୍ତି। ଦିଲ୍ଲୀ ବିପକ୍ଷରେ ୩ ଓ୍ଵିକେଟ୍‌୍‌ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଛି।

ମନୀଷ ପାଣ୍ଡେ
(ସନ୍‌ରାଇଜର୍ସ ହାଇଦ୍ରାବାଦ): ୧୧ କୋଟି ଟଙ୍କା

ଡେଭିଡ୍‌ ଓ୍ଵାର୍ନର୍‌ ବାସନ୍ଦ ପରେ ମନୀଷ ପାଣ୍ଡେଙ୍କଠୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିକ ଆଶା ରଖିଥିଲା। ଏହି ୨୮ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ହାଇଦ୍ରାବାଦ ସବୁଠାରୁ ଅଧିକ ୧୧ କୋଟି ଟଙ୍କାରେ କିଣିଥିଲା। ଏହି ଟଙ୍କାର ମୂଲ୍ୟ ଦଳକୁ ଦେବାରେ ପାଣ୍ଡେ ବିଫଳ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ୯ ମ୍ୟାଚ୍‌ରୁ ୨୫.୫୭ ହାରରେ ୧୭୯ ରନ୍‌ କରିପାରିଛନ୍ତି। କେବଳ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଦୁଇଟି ପାଳି (୫୭* ଏବଂ ୫୪ ରନ୍‌)ରେ ସଫଳ ହୋଇଛନ୍ତି।

ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌
(ଦିଲ୍ଲୀ ଡେୟାରଡେଭିଲ୍ସ): ୯ କୋଟି ଟଙ୍କା

ବିଗ୍‌ ବାସ୍‌ ଲିଗ୍‌ରେ କରିସ୍ମା ଦେଖାଇଥିବା ଅଷ୍ଟ୍ରେଲୀୟ ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ତଥା ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ୯ କୋଟି ଟଙ୍କାରେ କିଣିଥିଲା। ତାଙ୍କରି ପ୍ରହାରରେ ଦିଲ୍ଲୀ ଆଗକୁ ବଢ଼ିବାକୁ ଆଶା ରଖିଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟ୍‌ରୁ ମାତ୍ର ୧୩୨ ରନ୍‌ ବାହାରିଛି ଏବଂ ୧୭.୨୦ ହାରରେ ମାତ୍ର ୫ ଓ୍ଵିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି।

ରବୀନ୍ଦ୍ର ଜାଦେଜା
(ଚେନାଇ ସୁପରକିଙ୍ଗ୍ସ): ୭ କୋଟି ଟଙ୍କା

ଗତ ବର୍ଷ ପୁନେ ସୁପରଜିଆଣ୍ଟ୍‌ ପାଇଁ ଖେଳିଥିବା ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ନଜରରେ ରଖି ଚଳିତ ବର୍ଷ ଚେନ୍ନାଇ ସୁପରକିଙ୍ଗ୍ସ ନିଲାମକୁ ନଛାଡ଼ି ୭ କୋଟି ଟଙ୍କାରେ ନିଜ ପାଖରେ ରଖିଥିଲା। କିନ୍ତୁ ଚଳିତ ଋତୁରେ ତାଙ୍କ ପ୍ରଦର୍ଶନ ଅତି ନିମ୍ନମାନର ରହିଛି। ସେ ୧୦ ମ୍ୟାଚ୍‌ ଖେଳି ୫୯ ରନ୍‌ କରିଥିଲା ବେଳେ ମାତ୍ର ୬ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର