ପାକିସ୍ତାନ ଆସିବା ନିଶ୍ଚିତ ହେଲା

ଚେନ୍ନାଇ: ହକି ବିଶ୍ବକପ୍‌ ଖେଳିବା ଲାଗି ପାକିସ୍ତାନ ଦଳ ଭାରତ ଆସିବା ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଶନିବାର ଟଳିଯାଇଛି। ଏହି ଦଳ ବିଶ୍ବକପ୍‌ରେ ଭାଗ ନେବା ପାଇଁ ନିଶ୍ଚିତ ଭୁବନେଶ୍ବର ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନ‌ରିନ୍ଦର ବାତ୍ରା ଓ ପାକିସ୍ତାନ ହକି ମହାସଂଘର ସମ୍ପାଦକ ତଥା ପୂର୍ବତନ ଅଧିନାୟକ ଶାହବାଜ ଅହମ୍ମଦ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ଦଳ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ବିଶ୍ବକପ୍‌ରେ ଭାଗ ନେବାରେ କୌଣସି ଆଶଙ୍କା ନାହିଁ। ପୂର୍ବରୁ ଏନେଇ ଯେଉଁ ଅନିଶ୍ଚିତତା କଥା ଉଠୁଥିଲା ତାହା କେବଳ ଗୁଜବ ଥିଲା ବୋଲି ଶାହାବାଜ କହିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଅର୍ଥର ଅଭାବ ଯୋଗୁଁ ପାକିସ୍ତାନ ହକି ଦଳ ଭୁବନେଶ୍ବର ହକି ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା ‌‌ନେଇ ଆଶଙ୍କା ଥିବା ପ୍ରଚାର ହୋଇଥିଲା। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ହକି ସଂଘ ଆର୍ଥିକ ସାହାଯ୍ୟ ମାଗିଥିଲା। ହେଲେ ସହଯୋଗ ନକରିବାକୁ ପିସିବି ମନା କରି‌ଦେଇଥିଲା ବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ଏହି ସବୁ ଖବର ମିଛ ବୋଲି କହିଛନ୍ତି ଶାହାବାଜ। ଏଭଳି ଗୁଜବ ଖବର କିଏ କରିଥିଲା ଏବଂ କେଉଁଠୁ ଆସିଥିଲା ତାହା ମୁଁ ଜା‌ଣେନି। ତେବେ ସରକାରଙ୍କୁ ଆମେ ଆର୍ଥିକ ସହଯୋଗ ମାଗିଥିଲୁ। ‌ସରକାର ରାଜି ଅଛନ୍ତି। ଏହି ସବୁ କାମରେ ଟିକେ ଡେରି ହୁଏ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଖୁବ୍‌ ଶୀଘ୍ର ଆର୍ଥ ରାଶି ପ୍ରଦାନ କରିବାକୁ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ବ‌ୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭିସା ଉପରେ ସେପରି କିଛି ଅସୁବିଧା ନାହିଁ। ପ୍ରାୟ ଗୋଟିଏ ମାସ ଆଗରୁ ଆମ ଖେଳାଳିମାନେ ଭିସା ପାଇଁ ଭାରତୀୟ ଦୂତାବାସରେ ଆବେଦନ କରିସାରିଛନ୍ତି। ଆସନ୍ତା ସପ୍ତାହରେ ଭିସା ମିଳିଯିବ ବୋଲି ଶାହବାଜ କହିଛନ୍ତି।

ସମ୍ବନ୍ଧିତ ଖବର