ବିଦାୟ ବଲବୀର! ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ା ନାୟକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ନୂଆଦିଲ୍ଲୀ/ଚଣ୍ଡୀଗଡ଼: ହକି କିଂବଦନ୍ତି, ୩ ଥର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକଧାରୀ ମହାନ ଖେଳାଳି ଓ ଅଧିନାୟକ, ଭାରତକୁ ବିଶ୍ବକପ୍‌ ବିଜେତା କରିଥିବା ପ୍ରବନ୍ଧକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବଲ୍‌ବୀର ସିଂହ ‌ଦୋସାଞ୍ଜ ସିନିୟର୍‌ଙ୍କର ସୋମବାର ପ୍ରତ୍ୟୁଷରୁ ଦେହାନ୍ତ ହୋଇଯାଇଛି। ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଚଣ୍ଡୀଗଡ଼ର ମୋହାଲିସ୍ଥିତ ଫର୍ଟିସ୍‌ ହସପିଟାଲରେ ମେ’ ୮ ତାରିଖରୁ ଚିକିତ୍ସାଧୀନ ଥିବା ବଲ୍‌ବୀର ସୋମବାର ସକାଳ ୬.୩୦ ମିନିଟରେ ପ୍ରାଣ ହରାଇଲେ ବୋଲି ଏହାର ନିର୍ଦେଶକ ଅଭିଜିତ୍‌ ସିଂହ ଘୋଷଣା କରିବା ମାତ୍ରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି। ହକି ଦୁନିଆ ସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରମୁଖ ମଧ୍ୟ ନିଜ ନିଜ ଶୋକ ବାର୍ତ୍ତାରେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ହକି ମାଷ୍ଟର ଭାବେ ଜଣାଶୁଣା ବଲବୀର ସିଂହ ସିନିୟର ବିଗତ ଦୁଇ ବର୍ଷ ହେବ ଅସୁସ୍ଥ ଥିଲେ। ହୃଦଘାତ କାରଣରୁ ବିଗତ ଦୁଇ ସପ୍ତାହ ହେବ ଭେଣ୍ଟିଲେଟରରେ ରହିଥିଲେ। ହକି ଜୀବନରେ ଏକାଧିକ ସ୍ମରଣୀୟ ସ୍ମୃତି ଛାଡ଼ିଥିବା ଏହି ସେଣ୍ଟର ଫରୱାର୍ଡ ଖେଳାଳି ସ୍ବାଧୀନ ଭାରତର ଅନ୍ୟତମ ତାରକା ଖେଳାଳି ଥିଲେ। ୧୯୪୮, ୧୯୫୨ ଓ ୧୯୫୬ ଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣ ବିଜୟରେ ବଲବୀର ସିଂହ ଦୋସାଞ୍ଜ ଥିଲେ ପ୍ରଭାବୀ ଖେଳାଳି। ୧୯୫୬ ମେଲବର୍ନ ଅଲିମ୍ପିକ୍ସରେ ଭାରତୀୟ ଦଳର ଅଧିନାୟକ ଥିଲେ। ୧୯୭୫ ମସିହାରେ ବିଶ୍ବକପ୍ ଜିତିଥିବା ଦଳର ସେ ଥିଲେ ପ୍ରବନ୍ଧକ। ପ୍ରଥମ ହକି ଖେଳାଳି ଭାବେ ସେ ୧୯୫୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଅଲିମ୍ପିକ୍ସରେ ଗୋଲଡେନ୍ ହ୍ୟାଟ୍ରିକ୍
୧୯୭୭ ମସିହାରେ ସେ ନିଜ ଆତ୍ମଜୀବନୀ ‘ଦ ଗୋଲ୍‌ଡେନ୍ ହ୍ୟାଟ୍ରିକ୍‌: ମାଇଁ ହକି ଡେଜ୍‌’ ଲେଖି ବେଶ ଚର୍ଚିତ ହୋଇଥିଲେ। ଅଲିମ୍ପିକ୍ସ ଫାଇନାଲରେ ସର୍ବାଧିକ ୫ ଗୋଲ୍‌ ଦେବାର କୀର୍ତ୍ତିମାନ ଏବେ ବି ବଲବୀରଙ୍କ ନାମରେ ରହିଛି। ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ହଲାଣ୍ଡ୍ ବିପକ୍ଷରେ ସେ ଏହି କୃତିତ୍ବ ଅର୍ଜନ କରିଥିଲେ। ଭାରତ ୬-୧ରେ ଜିତି ସ୍ବର୍ଣ୍ଣିମ ସଫଳତା ପାଇଥିଲା। ସେହି ସଂସ୍କରଣରେ ସେ ଭାରତର ମୋଟ ୧୩ ଗୋଲ୍ ମଧ୍ୟରୁ ଏକା ୯ଟି ଦେଇଥିଲେ। ହକି ଜୀବନ ଶେଷ କରିବା ପରେ ବଲବୀର ଜୀ ପଞ୍ଜାବ ରାଜ୍ୟ କ୍ରୀଡ଼ା ପରିଷଦର ସମ୍ପାଦକ ଏବଂ ପଞ୍ଜାବ ସରକାରଙ୍କ କ୍ରୀଡ଼ା ନିର୍ଦେଶକ ଭାବେ କାର୍ଯ୍ୟ କରି ୧୯୯୨ରେ ଅବସର ନେଇଥିଲେ। ଶେଷ ଥର ପାଇଁ ସେ ଚଳିତ ବର୍ଷ ମାର୍ଚ ୫ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆର ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ସାଧାରଣରେ ଦର୍ଶନ ଦେଇଥିଲେ। ବଲବୀର ୧୯୪୮, ୧୯୫୨ ଓ ୧୯୫୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଗୋଲଡେନ୍ ହ୍ୟାଟ୍ରିକ୍ କରିଥିଲେ।

ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ା ନାୟକ
ନୂଆଦିଲ୍ଲୀ/ଚଣ୍ଡୀଗଡ଼: ଦେଶ ସ୍ବାଧୀନତାର ବର୍ଷ ୧୯୪୭ ମସିହାରେ ବଲବୀର ସିଂହ ଦୋସାଞ୍ଜ ଭାରତ ପାଇଁ ପଦାର୍ପଣ କରିଥିଲେ। ବର୍ଷକ ଭିତରେ ବଲବୀର ସିଂହ ସିନିୟର ଭାବେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନେଇଥିଲେ। ସ୍ବାଧୀନ ଭାରତର ପ୍ରଥମ ପ୍ରମୁଖ କ୍ରୀଡ଼ା ସଫଳତା ଥିଲା ୧୯୪୮ ଲଣ୍ଡନ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ। ବିଶ୍ବ ହକିର ଅନ୍ୟତମ ମହାନ ସେଣ୍ଟର ଫରୱାର୍ଡ ଭାବେ ପରିଚିତ ଥିଲେ। ଲଣ୍ଡନ୍ ଅଲିମ୍ପିକ୍ସ ସଫଳତାର ୭୨ ବର୍ଷ ପରେ ବି ବଲବୀରଙ୍କ ସଫଳତା ଫିକା ପଡ଼ିଯାଇନାହିଁ। ୧୯୪୮ ମସିହା ଅଗଷ୍ଟ ୧୨ ତାରିଖରେ ଖେଳାଯାଇଥିବା ଫାଇନାଲ୍‌ର ୭୦ ମିନିଟ୍‌ ପରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରିରଙ୍ଗା ଅଲିମ୍ପିକ୍ ପଦକ ଉତ୍ସବରେ ଉଡ଼ିବାର ମୁହୂର୍ତକୁ ଏବେ ବି ଅଭୁଲା ରହିଛି। ଏହି ବିଜୟର ୩ ଦିନ ପରେ ଭାରତ ନିଜର ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଥିଲା। କିନ୍ତୁ ନୂଆଦିଲ୍ଲୀଠାରୁ ପ୍ରାୟ ୭,୦୦୦ କିଲୋମିଟର୍‌ ଦୂର ଲଣ୍ଡନ୍‌ରେ ହିଁ ଭାରତ ଆଗୁଆ ସ୍ବାଧୀନତା ଦିବସ ପାଳନ କରିବାର ଅବସର ପାଇଥିଲା। ୧୧ ଜଣ ଭାରତୀୟ ହକି ଖେଳାଳି ଦେଶର ପୂର୍ବ ଶାସକ ବ୍ରିଟେନ ମାଟିରେ ଏହି ଗୌରବ ଆଣିବା ରୋମାଞ୍ଚକ କାହାଣୀଠାରୁ କିଛି କମ୍‌ ନଥିଲା। ୱେମ୍ବଲି ଷ୍ଟାଡିୟମ୍ ସେଦିନ ଭରପୁର ଥିଲା। କାରଣ ଅଲିମ୍ପିକ୍‌ ହକିର ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଘରୋଇ ଦର୍ଶକ ବ୍ୟାକୁଳ ଥିଲେ। ପୂର୍ବରୁ ଭାରତକୁ ଶାସନ କରିଥିବାରୁ ବ୍ରିଟିସରମାନେ ମଧ୍ୟ ନିଜ ପୂର୍ବ ଉପନିବେଶ ଦେଶ ସହ ଖେଳିବାକୁ ଅନିଛା ପ୍ରକଟ କରୁଥିଲେ। ଭାରତ କିନ୍ତୁ ସ୍ବାଧୀନ ରାଷ୍ଟ୍ର ‌ହୋଇ ସାରିଥିବାରୁ ନ ଖେଳିବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ଭାରତ ଏକତରଫା ଭାବେ ୪-୦ ଗୋଲ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଜିତିଥିଲା। ସବ୍‌ଇନ୍‌ସ୍ପେକ୍ଟର ବଲବୀର ସିଂହ ସିନିୟର ମ୍ୟାଚ୍‌ ଶେଷରେ ହିରୋ ପାଲଟିଯାଇଥିଲେ। ଅଲିମ୍ପିକ୍ସ ପଦାର୍ପଣ ଫାଇନାଲରେ ସେ ୨ ଗୋଲ୍ ଦେଇଥିଲେ। ଏହା ପରବର୍ତୀ ଅଲିମ୍ପିକ୍ ପଦକ ପ୍ରଦାନ ଉତ୍ସବରେ ଭାରତୀୟ ତ୍ରିରଙ୍ଗା ଉଡ଼ିବାର ମୁହୂର୍ତକୁ ତାଙ୍କ ସ୍ବାଧୀନତା ସଂଗ୍ରାମୀ ପିତା କିଭଳି ଉପଭୋଗ କରିଥିଲେ ଦୁଇ ବର୍ଷ ତଳେ କହିଥିଲେ ବଲବୀର। ‘ଆମ ପତାକା, ଆମ ଦେଶ’ର ମହତ୍ବକୁ ‌ସେଦିନ ଭଲ ଭାବେ ବୁଝିଥିଲେ ଯୁବ ବଲବୀର। ସ୍ବାଧୀନ ଭାରତର ଏହି ସ୍ବର୍ଣ୍ଣିମ ସଫଳତା ଭାରତକୁ ମଧ୍ୟ ଅଲିମ୍ପିକ୍ସ ହକିରେ ପ୍ରାଧାନ୍ୟକୁ ବଜାୟ ରଖିଥିଲା। ଏହା ପରେ ବଲବୀର ପରବର୍ତୀ ୨ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ସହ ଭାରତକୁ ନିଜ ପ୍ରଶିକ୍ଷଣରେ ଏକମାତ୍ର ବିଶ୍ବକପ୍‌ ବିଜୟ (୧୯୭୫) ସଫଳତା ଦେବାର ଅପୂର୍ବ ଗୌରବ ଆଣିଥିଲେ। ବିଜୟ ପରେ ଲଣ୍ଡନ୍‌ରେ ଅବସ୍ଥାପିତ ସ୍ବାଧୀନ ଭାରତର ପ୍ରଥମ ଉଚ୍ଚାୟୁକ୍ତ ଭିକେ କୃଷ୍ଣ ମେନନ ଆସି ଅଭିନନ୍ଦନ ଜଣାଇଥିଲେ ବୋଲି ମଧ୍ୟ ଦିନେ କହିଥିଲେ ବଲବୀର। ଏପରିକି ଭାରତରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସହିତ ପ୍ରାୟ ୭୦,୦୦୦ ଲୋକ ଏହି ମ୍ୟାଚ୍‌ ଦେଖିବାକୁ ଆସିଥିବା ମଧ୍ୟ ଗଣମାଧ୍ୟମ ଦାବି କରିଥିଲା।

ଅଲିମ୍ପିକ୍ସ ବିଜେତା
ବିଶ୍ବକପ୍ ବିଜୟୀ ପ୍ରବନ୍ଧକ
ବଲବୀର ଏକାଥରକେ ତିନିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲେ। ସେ ଥିଲେ ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ା ସୁପରଷ୍ଟାର। ଖେଳାଳି ଭାବେ ସେ ଯେତିକି ସଫଳତା ଲାଭ କରିଥିଲେ, ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ମଧ୍ୟ ସେତିକି ସମ୍ମାନ ସାଉଣ୍ଟିଥି‌ଲେ। ୧୯୭୫ ମସିହାରେ ଭାରତ ତାଙ୍କରି ପ୍ରଶିକ୍ଷଣରେ ହିଁ ପ୍ରଥମ ଓ ଏକମାତ୍ର ହକି ବିଶ୍ବକପ୍ ହାସଲ କରିଥିଲା। ଲିଗ୍ ପର୍ଯ୍ୟାୟରେ ଆର୍ଜେଣ୍ଟିନାଠାରୁ ୧-୨ରେ ହାରିବା ପରେ ଅଜିତ ପାଲ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ମନୋବଳ ପୂରା କମି ଯାଇଥିଲା। ଖେଳାଳିମାନେ ଆତ୍ମବିଶ୍ବାସ ହରାଇ ବସିଥିଲେ। ହେଲେ ପ୍ରଶିକ୍ଷକ ବଲବୀରଙ୍କ ପ୍ରେରଣାଦାୟକ ପରାମର୍ଶ ପରେ ଖେଳାଳିମାନେ ପୁଣି ଥରେ ନିଜ ଆତ୍ବବିଶ୍ବାସ ଫେରିପାଇଥିଲେ। ଫାଇନାଲରେ ପାକିସ୍ତାନକୁ ହରାଇ ବିଜେତା ହେବା ସମଗ୍ର ଭାରତ ବର୍ଷରେ ଖୁସିର ଲହରି ଖେଳାଇ ଦେଇଥିଲା। ଏଥିରେ ପ୍ରଶିକ୍ଷକ ଗୁରଚରଣ ସିଂହ ବୋଧିଙ୍କର ବି ବଡ଼ ହାତ ଥିଲା। ଜଳଖିଆ ଟେବୁଲରେ ହିଁ ଆମ ମନୋବଳ ବଢ଼ାଇଥିଲେ। ଏହା ପରେ ଆଉ ଆମେ ପଛକୁ ଫେରି ଚାହିଁ ନଥିଲୁ ବୋଲି ବଲବୀରଙ୍କ ନିଧନ ପରେ ଅଜିତ ପାଲ ନିଜ ‌ଶୋକବାର୍ତ୍ତାରେ କହିଥିଲେ। ଭୁବନେଶ୍ବର ହକି ବିଶ୍ବକପ୍ ଅବସରରେ ଯେତେବେଳେ ୧୯୭୫ ବିଶ୍ବକପ୍ ବିଜୟୀ ତାରକାଙ୍କୁ ସମ୍ମାନିତ କରାଯାଇଥିଲା, ବଲବୀରଙ୍କ ଛାତି କୁଣ୍ଢେ ମୋଟ ହୋଇ ଯାଇଥିଲା। ଏହା ପୂର୍ବରୁ ସେହି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟଙ୍କୁ ହକି ଇଣ୍ଡିଆ ଆର୍ଥିକ ପୁରସ୍କାର ଦେବାକୁ ବଲବୀର ବହୁତ ପ୍ରଶଂସା କରିଥିଲେ।

ସ୍ବାଧୀନତା ସଂଗ୍ରାମୀ ପରିବାର
ପଞ୍ଜାବର ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ବଲବୀର ସିଂହ ଦୋସାଞ୍ଜଙ୍କର ଜଣେ କନ୍ୟା ଏବଂ ୩ ପୁତ୍ର ରହିଛନ୍ତି। ଜଳନ୍ଧର ଜିଲ୍ଲାର ହରିପୁର ଖାଲସା ନିଜ ଘର ହୋଇଥିଲେ ମଧ୍ୟ ଏବେ କାନାଡ଼ା ଓ ଚଣ୍ଡୀଗଡ଼ରେ ରହିଛି ବାସଭବନ। ପିତା ଦିଲୀପ ସିଂହ ଦୋସାଞ୍ଜ ଥିଲେ ସ୍ବାଧୀନତା ସଂଗ୍ରାମୀ ଏବଂ ମା’ ସୁଶୀଳା ଥିଲେ ଲାହୋରର ମୂଳ ଅଧିବାସୀ। ଏକମାତ୍ର କନ୍ୟା ସୁଶବୀର ଓ ନାତି କବିର ଚଣ୍ଡୀଗଡ଼ରେ ରହି ଶେଷ ପର୍ଯ୍ୟନ୍ତ ବଲବୀରଙ୍କ ସେବା କରୁଥିଲେ।

 

ସମ୍ବନ୍ଧିତ ଖବର