ବିଦାୟୀ, ପ୍ରଶଂସା ଓ ଶୂନ୍‌ଶାନ୍

ଭୁବନେଶ୍ବର: ଓଡ଼ିଶା ହକି ବିଶ୍ବକପ୍‌ର ସଫଳ ସମାପନ ପରେ ସୋମବାରଠାରୁ ରାଜଧାନୀର ଚଳଚଞ୍ଚଳ ପରିବେଶ ଶିଥିଳ ପଡ଼ିଯାଇଛି। ଶୂନଶାନ୍ ଓ ଶାନ୍ତ ହୋଇଯାଇଛି କଳିଙ୍ଗ ଷ୍ଟାଡିୟମ ଏବଂ ଏହାର ପାରିପାର୍ଶ୍ବ। ଆଉ ଗହଳି ଚହଳି ନାହିଁ, ଟିକେଟ ପାଇଁ ଭିଡ ହେଉ କି ହକି ହଙ୍ଗାମା‌ର ମାହୋଲ ନାହିଁ। ବରଂ ପ୍ରଶଂସକଙ୍କୁ ସାଉଁଟୁଥିବା ଏବଂ ସ୍ମୃତି ବାଣ୍ଟୁଥିବା ସୌନ୍ଦର୍ଯ୍ୟଭରା କଳିଙ୍ଗ ଷ୍ଟାଡିୟମ୍‌ ଏବେ ବନ୍ଦ ହୋଇଯାଇଛି ସାଧାରଣ ଜନତାଙ୍କ ପାଇଁ। ଐତିହାସିକ ସଫଳତା ଭିତରେ ପ୍ରଥମ ଥର ବିଶ୍ବ ମୁକୁଟ ହାତେଇଥିବା ବେଲ୍‌ଜିୟମ୍ ସହିତ ସବୁ ଦଳ ବାହୁଡ଼ି ଯାଇଛନ୍ତି ସ୍ବଦେଶ। ସ୍ମୃତି ଛାଡ଼ିଯାଇଛନ୍ତି ଭୁବନେଶ୍ବରରେ। ଓଡ଼ିଶାରେ ପ୍ରଥମ ବିଶ୍ବକପ୍‌ ଦେଇଛି ନୂଆ ବିଜେତା। ଅନେକ ପ୍ରଥମ ଏବଂ ଅଭୁଲା ସ୍ମୃତି ଛାଡ଼ି ଯାଇଛି ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌-୨୦୧୮’। ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି ଆୟୋଜକ ଓଡ଼ିଶା। ବିଜୟୀ ବେଲ୍‌ଜିୟମ୍ ଗତ ରାତିରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଜୟ ଉତ୍ସବ ପାଳିବା ପରେ ‌ହୋଟେଲରେ ବି ମସ୍ତି କରିଥିଲେ। ପ୍ରଥମ ଥର ବିଶ୍ବବିଜୟୀ ଦଳର ଅଧିନାୟକ ଭାବେ ଏହା ମୋ ପାଇଁ ଚିର ସ୍ମରଣୀୟ ବୋଲି କହିଥିଲେ ଏହାର ଅଧିନାୟକ ଥମାସ୍ ବ୍ରିଲ୍ସ। ସମସ୍ତଙ୍କ ମୁହଁରେ ଏବେ କଳିଙ୍ଗ ଷ୍ଟାଡି୍ୟମର ଉଚ୍ଚମାନର ଭିତ୍ତିଭୂମୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ସରକାର ଏବଂ କ୍ରୀଡ଼ା ଯୁବସେବା ବିଭାଗର ପ୍ରଶଂସା। ମୁଖ୍ୟମନ୍ତ୍ରୀ ମଧ୍ୟ ବିଶ୍ବବାସୀଙ୍କୁ ଆମେ ନିଜର ଭଲ ପାଇବା ଏବଂ ଯତ୍ନର ବାର୍ତା ବାଣ୍ଟିଛୁ ବୋଲି ଟ୍ବିଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଅଭୂତପୂର୍ବ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାର, ବେଲ୍‌ଜିୟମ୍ ଏବଂ ନେଦରଲାଣ୍ଡ୍‌ ଦଳକୁ ଭୂୟସୀ ପ୍ରଶଂସା କରିଛନ୍ତି। କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏକ ଉପହାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ସ୍ମରଣୀୟ ମ୍ୟାଚ୍‌, ବିରଳ ବ୍ୟକ୍ତିଗତ ପ୍ରଦର୍ଶନ ଏବଂ ଦଳଗତ ଚମତ୍କାରିତା ନଜରକୁ ଆସିଛି। ଏ ବିଶ୍ବକପ୍‌ ଭାର‌ତରେ, ବିଶେଷ କରି ଯୁବ ପିଢ଼ି ମଧ୍ୟରେ ହକିର ଲୋକପ୍ରିୟତା ବଢ଼ାଇବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ‌େମ‌ାଦୀ ମଧ୍ୟ ବେଲ୍‌ଜିୟମ୍ ରେଡ୍‌ଲାୟନ୍ସ ଏବଂ ଉପ ବିଜେତା ଅରେଞ୍ଜ ହକି ଦଳ ନେଦରଲାଣ୍ଡର ଲଢ଼ୁଆ ପ୍ରଦର୍ଶନକୁ ଅଭିନନ୍ଦନ ଜଣାଇଛନ୍ତି। ରବିବାରର ଫାଇନାଲ୍ ମ୍ୟାଚ୍ ସ୍ମରଣୀୟ ଥିଲା ଏବଂ ଉଭୟ ଦଳ ଚମତ୍କାର ହକି‌ ଖେଳିଥିଲେ। ଦୁଇ ଦଳକୁ ସେମାନଙ୍କ ଭବିଷ୍ୟତ ଲାଗି ଶୁଭକାମନା ବୋଲି ମୋଦୀ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ। ରବିବାର ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଭୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ଖେଳୁଆଡ ମନୋଭାବ ପାଇଁ ଏହି ଫାଇନାଲ୍ ନିର୍ବିବାଦୀୟ ରହିଥିବାରୁ ଶ୍ରୀ ପ୍ରଧାନ ଉଚ୍ଚପ୍ରଶଂସା କରିଥିଲେ।
ମନ୍‌ପ୍ରୀତଙ୍କ ମନ କଥା
ଭୁବନେଶ୍ବର ହକି ବିଶ୍ବକପ୍‌ରେ ଭାରତ ଷଷ୍ଠ ସ୍ଥାନରେ ରହିଥିଲା। ନେଦରଲାଣ୍ଡ୍ ବିପକ୍ଷ କ୍ବାର୍ଟର ଫାଇନାଲରେ ଦଳ ବିବାଦୀୟ ଭାବେ ହାରିଯାଇଥିଲା। ଏହାକୁ ନିରାଶାଜନକ ଏବଂ ହୃଦୟ ବିଦାରକ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ମନ୍‌ପ୍ରୀତ୍ ସିଂହ। କିଛି ମାସର ପ୍ରସ୍ତୁତି ପରେ ଆମେ ଦୃଢ଼ ଭାବେ ଫେରିବୁ ବୋଲି ପ୍ରତିଶ୍ରୁତି ରଖିଛନ୍ତି ମନ୍‌ପ୍ରୀତ। ଭୁବନେଶ୍ବର ପ୍ରଶଂସକଙ୍କୁ ବିଶେଷ ଧନ୍ୟବାଦ ଦେଇ ମନ୍‌ପ୍ରୀତ୍ କହିଛନ୍ତି, ‘ତୁମ ଉତ୍ସାହ ଆମକୁ‌ ପ୍ରେରିତ କରିଛି, ପଡ଼ିଆରେ ନିଶ୍ଚିତ ଏହାକୁ ପ୍ରତିଫଳିତ କରିବୁ, ଖୁବ୍ ଶୀଘ୍ର ଫେରୁଛୁ’। ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ବିଶ୍ବ ସିରିଜ୍ ଫାଇନାଲ୍ସ ଖେଳାଯିବ ବୋଲି ଘୋଷଣା ସରିଛି। ଭାରତ ଏଥିରେ‌ ଖେଳି ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ।
ସ୍ବର୍ଗତ ପିତାଙ୍କୁ ଉତ୍ସର୍ଗ
ଭୁବନେଶ୍ବର ହକି ବିଶ୍ବକପ୍ ବେଲ୍‌ଜିୟମ୍ ପାଇଁ ନିଶ୍ଚିତ ଅଭୁଲା ଏବଂ ଅବିସ୍ମରଣୀୟ ରହିବ। ପ୍ରଥମ ଥର ସେମିଫାଇନାଲ୍‌ ସୀମା ‌ଡେଇଁଥିବା ଏହି ୟୁରୋପୀୟ ଦେଶ ବିଶ୍ବ ମୁକୁଟର ସ୍ବପ୍ନକୁ ସାକାର କରିନେଇଛି। କିନ୍ତୁ ଏହି ଦଳର ପ୍ରମୁଖ ଖେଳାଳି ସାଇମନ୍ ଗଙ୍ଗନାର୍ଡଙ୍କ ପାଇଁ ଏହା ଅଧିକ ସ୍ବତନ୍ତ୍ର ଏବଂ ଚିରଦିନ ମନେ ରହିବ। ଶନିବାର ସକାଳେ ଇଂଲଣ୍ଡ ବିପକ୍ଷ ‌ସେମିଫାଇନାଲ୍ ପୂର୍ବରୁ ସାଇମନଙ୍କୁ ପାଖକୁ ବେଲ୍‌ଜିୟମରୁ ଆସିଥିଲା ତାଙ୍କ ପୀତାଙ୍କ ଦେହାନ୍ତ ଖବର। ଦୀର୍ଘଦିନର ଅସୁସ୍ଥତା ସତ୍ବେ ସେ ବିଶ୍ବକପ୍ ଦଳରେ ଆସିଥିଲେ। ଶନିବାର କିନ୍ତୁ ଦେହାନ୍ତ ଖବର ପରେ ସେ ସ୍ବଦେଶ ‌ନ ଫେରି ଖେଳିଥିଲେ। ନଫେରିବାକୁ ମଧ୍ୟ ଘର ଲୋକ ପରାମର୍ଶ ଦେଇଥିଲେ। ସେଦିନ ଗଙ୍ଗନାର୍ଡ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଗୋଲ୍‌ ଦେଇଥିଲେ। ରବିବାର ଫାଇନାଲ ଖେଳି ବିଶ୍ବବିଜେତା ହେବା ପରେ ଦଳର ଅଧିକାଂଶ ଖେଳାଳି ଏହାକୁ ଗଙ୍ଗନାର୍ଡଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ନିଆରା ଉଦାହରଣ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର