ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ତୀରନ୍ଦାଜିରେ ପଦକ ଜିତିଲେ କୃଷକଙ୍କ ଝିଅ ପ୍ରାର୍ଥନା

ଭୁବନେଶ୍ବର : ଦିନେ ଭାରତୀୟ ସେନାରେ ଯୋଗ ଦେବାର ସ୍ବପ୍ନ ଦେଖିଥିଲେ ଜଣେ କୃଷକଙ୍କ ଝିଅ ପ୍ରାର୍ଥନା ସୋଲାଙ୍କୀ। କିନ୍ତୁ ପରିବାର ଏଥିନେଇ ଉତ୍ସାହ ଦେଖାଇନଥିଲା। ଫଳରେ ସେ ତୀରନ୍ଦାଜି ଉପରେ ମନୋନିବେଶ କଲେ ଏବଂ ଗତ ବର୍ଷ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଲେ। ଏହି କୃଷକଙ୍କ ଝିଅ ବୁଧବାର ତୀରନ୍ଦାଜିରେ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତି ଅଲିମ୍ପିକ୍ସ ଲାଗି ସ୍ବପ୍ନ ଦେଖିଛନ୍ତି।

ସେନାରେ ଯୋଗ ଦେଇ ଦେଶ ସେବା କରିବାର ସ୍ବପ୍ନ ଦେଖିଥିଲି। ପରିବାର ଅଗ୍ରହ ନ ଦେଖାଇବାରୁ ଏହା ‌କରି ପାରି ନଥିଲି। କିନ୍ତୁ ଏବେ ମୁଁ ଅଲିମ୍ପିକ୍ସରେ ଖେଳିବା ଓ ପଦକ ଜିତି ଭାରତ ପାଇଁ ‌ଗୌରବ ଆଣି ପାରିବି ବୋଲି ଦୃଢ଼ତାର ସହ କହିଛନ୍ତି ରିକର୍ଭ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ଜିତିଥିବା ୨୧ ବର୍ଷୀୟା ପ୍ରାର୍ଥନା। ଚଣ୍ଡୀଗଡ଼ର ପଞ୍ଜାବ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ପ୍ରାର୍ଥନା ନିଜ ବୟସ ବର୍ଗରେ ଦେଶର ଏକ ନମ୍ବର ତୀରନ୍ଦାଜ। ମୁଁ ଫାଇନାଲ୍‌ରେ ଭଲ ଖେଳିଥିଲି। ମହର୍ଷି ଦୟାନିଧି ବିଶ୍ବବିଦ୍ୟାଳୟର ପ୍ରିୟଙ୍କା ଠାକରନ୍‌ଙ୍କ ସହ କଡ଼ା ସଂଘର୍ଷ କରିଥିଲି। ହେଲେ ଟାଇ-ବ୍ରେକର୍‌ରେ ଭାଗ୍ୟ ମୋ ସହ ନ ରହିବାରୁ ପରାଜିତ ହୋଇଥିଲି ବୋଲି କହିଛନ୍ତି ପ୍ରାର୍ଥନା। ବାପା କୃଷକ ହେଲେ ମଧ୍ୟ ନିଜ କଷ୍ଟ ଉପାର୍ଜନ ଅର୍ଥରୁ ଯାହା ଖେଳ ଉପକରଣ ଦରକାର ସେ ଆଣୁଥିଲେ। ‌‌କେବେ ବି ମୋତେ କଷ୍ଟରେ ରଖି ନାହାନ୍ତି। ସେମାନଙ୍କ ସମର୍ଥନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ ପ୍ରାର୍ଥନା। ଗତବର୍ଷଠୁ ମୁଁ ତୀରନ୍ଦାଜି ଶିଖିଲି। ଭୁବନେଶ୍ବରରେ ଆୟୋଜିତ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲି। ଫଳରେ ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଥିଲି। ଏବେ ଚଳିତ ବର୍ଷ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବା ଲକ୍ଷ୍ୟ ରଖିଛି ଏବଂ ଏହା ପରେ ଅଲିମ୍ପିକ୍ସ ବୋଲି କହିଛନ୍ତି ପଞ୍ଜାବ ବିଶ୍ବବିଦ୍ୟାଳୟର ଏହି ଆଥ୍‌ଲେଟ୍‌।

ସମ୍ବନ୍ଧିତ ଖବର