ବିରଳ ଦ୍ବିମୁକୁଟ ଦୋହ‌ରାଇବେ ‌ଗାଙ୍ଗୁଲି: ବିସିସିଆଇ ସଭାପତି ପଦରେ ଦ୍ବିତୀୟ ଅଧିନାୟକ

ଆଗ ଘର ସଜାଡ଼ିବି: ଗାଙ୍ଗୁଲି

ବିସିସିଆଇ ସଭାପତି ହେବି ବୋଲି ମୁଁ କେବେବି ସ୍ବପ୍ନ ଦେଖି ନଥିଲି। ମୋ ପାଇଁ ଏହା ଏକ ବହୁତ ବଡ଼ ସୁଯୋଗ। ଦେଶର ଅଧିନାୟକ ଦାୟିତ୍ବ ତୁଲାଇବା ସହ ବୋର୍ଡ ସଭାପତି ହେବା ନିଶ୍ଚିତ ଭାବେ ସମ୍ମାନର ବିଷୟ। ତେବେ ମୁଁ ଏମିତି ଏକ ସମୟରେ ଦାୟିତ୍ବ ନେବାକୁ ଯାଉଛି, ଯେତେବେଳେ ବିସିସିଆଇ ଭାବମୂର୍ତ୍ତି ପୂର୍ବାପେକ୍ଷା ମଳିନ ପଡ଼ିଛି। ମୋ ପ୍ରଥମ କାମ ହେଲା ଘର ସଜାଡ଼ିବା। ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବା। ୧୦ ମାସର ଛୋଟିଆ କାର୍ଯ୍ୟକାଳ ହେଲେ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ ମୁଁ କିଛି ଭଲ ଓ ଉନ୍ନତିମୂଳକ କାର୍ଯ୍ୟ କରିବି ବୋଲି ଆଶା ରଖିଛି। ବିସିସିଆଇ ସଭାପତି ପଦ ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋମବାର ଏହା କହିଛନ୍ତି। ଭାରତୀୟ ଦଳର ନେତୃତ୍ବ‌ ନେବା ଠାରୁ ବିସିସିଆଇ ସଭାପତି ହେବା ଭିନ୍ନ ଦାୟିତ୍ବ। ଜାତୀୟ ଦଳର ଅଧିନାୟକ ହେବା ଖୁସି ଆଉ କେଉଁଥିରେ ମିଳିବ ନାହିଁ ବୋଲି ଭାବବିହ୍ବଳ ଗାଙ୍ଗୁଲି ଏହି ଅବସରରେ କହିଥିଲେ। ସେହିଭଳି ରବିବାର ସକାଳ ୧୦ଟା ୩୦ ସୁଦ୍ଧା ବିସିସିଆଇ ସଭାପତି ହେବା କଥା ସେ ଜାଣି ନଥିଲେ ବୋଲି ଗାଙ୍ଗୁଲି କହିଥିଲେ। ସେ ଆହୁରି କହିଥିଲେ ଯେ ଭାରତୀୟ ଦଳ ଗତ କିଛି ବର୍ଷ ହେବ ଚମତ୍କାର କ୍ରିକେଟ୍ ଖେଳି ଆସୁଛି। ଏଥିନଇ ମୁଁ ବହୁତ ଖୁସି। ମୁଁ ଭାବୁଛି ବିସିସିଆଇ ପରିଚାଳନାକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ମୋ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ।

ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ପ୍ରାଥମିକତା
ପ୍ରଶାସନିକ ସମିତି (ସିଓଏ) ଗତ ୩୩ ମାସ ମାସରେ ଯାହା କରିନି, ତାହା କରିବି। ଗତ ଅଢ଼େଇ ବର୍ଷ ଭିତରେ ସିଓଏକୁ ମୁଁ ଅନେକ ବିଷୟରେ ଅନୁରୋଧ କରିଛି, ହେଲେ ସେମାନେ ଶୁଣି ନାହାନ୍ତି। ମୁଁ ଏବେ ପ୍ରଥମ ‌ଶ୍ରେଣୀ କ୍ରିକେଟ୍ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବି ବୋଲି ଗାଙ୍ଗୁଲି କହିଛନ୍ତି। ସେ କହିଛନ୍ତି ଘରୋଇ ଖେଳାଳିଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କଲେ ହିଁ ଭାରତୀୟ କ୍ରିକେଟ୍ ଆଗକୁ ବଢ଼ିବ। ବିଶ୍ବର ସବୁଠାରୁ ବଡ଼ ଓ ଧନୀ କ୍ରିକେଟ୍ ବୋର୍ଡକୁ ପରିଚାଳନା କରିବା ସେତେଟା ସହଜ ହେବନି ବୋଲି ଗାଙ୍ଗୁଲି ସ୍ବୀକାର କରିଥିଲେ। ସେହିଭଳି ଭାରତରୁ ୭୦ରୁ ୮୦ ପ୍ରତିଶତ ରାଜସ୍ବ ପାଇଥିଲେ ମଧ୍ୟ ବିସିସିଆଇକୁ ଆଇସିସି ତା’ ହକ୍ ‌ଦେଉନି ବୋଲି ସେ ଖୋଲାଖୋଲି ଭାବେ କହିଥିଲେ। ଗତ କିଛି ବର୍ଷ ହେବ ଆଇସିସି ଆମକୁ କୌଣସି ଅର୍ଥ ଦେଇନାହିଁ। ଆସନ୍ତା ସମୟରେ ଏହା ଉପରେ ମୋର ନଜର ରହିବ ବୋଲି ସେ ମତ ରଖିଥିଲେ।

ଦ୍ବୈତ ସ୍ବାର୍ଥ ନିୟମ ଚିନ୍ତାର ବିଷୟ
ସଂପ୍ରତି ଭାରତୀୟ କ୍ରିକେଟ୍ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦ୍ବୈତ ସ୍ବାର୍ଥ ନିୟମ। ଏଥିଲାଗି ଅନେକ ଶ୍ରେଷ୍ଠ କ୍ରିକେଟ୍ ତାରକା କ୍ରିକେଟ୍ ପରିଚାଳନାକୁ ଆସୁନାହାନ୍ତି। ଏହି ନିୟମ ପାଇଁ ସେମାନେ ଅନ୍ୟ ବିକଳ୍ପ କଥା ଚିନ୍ତା କରୁଛନ୍ତି। ଏବେକାର ‘ଗୋଟିଏ ମଣିଷ ଗୋଟିଏ ପଦ’ ନିୟମ ମଧ୍ୟ ଅନେକ ପୂର୍ବତନ କ୍ରିକେଟର୍‌ଙ୍କ ବାଟ ଓଗାଳୁଛି। ଏହି ବାଧା ଦୂର କରିବା ଲାଗି ବାଟ ବାହାର କରିବାକୁ ହେବ ବୋଲି ଗାଙ୍ଗୁଲି କହିଥିଲେ। ସୂଚନାଯୋଗ୍ୟ, ନିଜେ ଗାଙ୍ଗୁଲି ମଧ୍ୟ ଏକଦା ଦ୍ବୈତ ସ୍ବାର୍ଥ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ତାଙ୍କ ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଥିଲା। ଫଳରେ ବିସିସିଆଇ ନୈତିକ ଅଧିକାରୀ ଭାରତୀୟ କ୍ରିକେଟ୍‌ର ଏହି ମହାନ ତାରକାମାନଙ୍କୁ ନୋଟିସ୍ ଜାରି କରିଥିଲେ। ଅବୈତନିକ ପଦରେ ଥିଲେ ମଧ୍ୟ ଏମାନଙ୍କୁ ନିଜ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏପରିକି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ବାଛିବା ଲାଗି ଗଠିତ କ୍ରିକେଟ୍ ପରିଚାଳନା ସମିତି ବିରୋଧରେ ମଧ୍ୟ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଥିଲା। ଏହା ପରେ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ କପିଳ ଦେବ ନିଜ ପଦରୁ ଇସ୍ତଫା ଦେଇଥିଲେ। ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ମଧ୍ୟ ନିଜ ପଦ ଛାଡ଼ି ଦେଇଥି‌ଲେ। ଏଥିନେଇ ଗାଙ୍ଗୁଲି କହିଛନ୍ତି ଯେ ଏନସିଏ ଓ ସିଏସି ହେଉ କିମ୍ବା ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ନିଯୁକ୍ତି, ସବୁ କ୍ଷେତ୍ରରେ ଏହି ସମସ୍ୟା ଦେଖା ଯାଇଛି। ଭାଷ୍ୟକାର ଏବଂ ଆଇପିଏଲରେ ମଧ୍ୟ ଦ୍ବୈତ ସ୍ବାର୍ଥ ନେଇ ଚିନ୍ତା ରହିଛି।

ନୂଆଦିଲ୍ଲୀ: ନିଜ ଆକ୍ରାମକ ଅଧିନାୟକତ୍ବ ଜରିଆରେ ଭାରତୀୟ କ୍ରିକେଟ୍‌ରେ ନୂଆ ଯୁଗର ଅୟମାରମ୍ଭ କରିଥିବା ସୌରଭ ଗାଙ୍ଗୁଲି ଏବେ ବିରଳ ଦ୍ବିମୁକୁଟ ଦେହରାଇବାକୁ ଯାଉଛନ୍ତି। ବର୍ତମାନ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ସଭାପତି ଥିବା ଏହି ପୂର୍ବତନ ଅଧିନାୟକ ବିସିସିଆଇର ନୂଆ ସଭାପତି ହେବାକୁ ଯାଉଛନ୍ତି। କର୍ଣ୍ଣାଟକ ଷ୍ଟ୍ରଙ୍ଗମ୍ୟାନ୍ ତଥା ପୂର୍ବତନ ଖେଳାଳି ବ୍ରିଜେଶ ପଟେଲ୍‌ଙ୍କୁ ସେ ପଛରେ ପକାଇ ସର୍ବସମ୍ମତ ପ୍ରାର୍ଥି ହୋଇଛନ୍ତି। କେବଳ ନିର୍ବାଚନର ଔପଚାରିକତା ଶେଷ ହେଲେ ଗାଙ୍ଗୁଲି ନୂଆ ସଭାପତି ଦାୟିତ୍ବ ନେବେ। ନିର୍ବାଚିତ ହେଲେ ଗାଙ୍ଗୁଲି ଦ୍ବିତୀୟ ଭାରତୀୟ ଅଧିନାୟକ ଭାବେ ବିସିସିଆଇର ମୁଖ୍ୟ ପଦ ଅଳଙ୍କୃତ କରିବେ। ପୂର୍ବରୁ ଜଣେ ମାତ୍ର ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇର ସଭାପତି ହୋଇପାରି‌ଥିଲେ। ୧୯୩୬ ମସିହାରେ ଇଂଲଣ୍ଡ ଗସ୍ତରେ ଭାରତ ଖେଳିଥିବା ୩ ଟେଷ୍ଟ୍‌ରେ ବିଜୟନଗରମର ମହାରାଜ କୁମାର (ଭିଜି) ନେତୃତ୍ବ ନେଇଥିଲେ। ୧୯୫୪ ମସିହାରେ ସେ ବିସିସିଆଇର ସଭାପତି ହୋଇଥିଲେ। ୨୦୧୪ ମସିହାରେ ସୁନିଲ ଗାଭାସ୍କରଙ୍କୁ ଅନ୍ତରୀଣ ସଭାପତି ନିଯୁକ୍ତ କରାଯାଇଥିଲା କିନ୍ତୁ ସେ କେବେ ବି ପୂର୍ଣ୍ଣକାଳୀନ ଦାୟିତ୍ବ ନେଇନଥିଲେ।

ଭାରତୀୟ କ୍ରିକେଟ୍‌ରେ ନୂଆ ସଂସ୍କୃତି ଆଣିବାରେ ଗାଙ୍ଗୁଲି ପ୍ରମୁଖ ଥିଲେ। ଉପମହାଦେଶ ବାହାରେ ଭଲ ଖେଳିବାର ଧାରା ସେ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ବରେ ଭାରତ ୨୦୦୩ ମସିହା ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଥିଲା। ଯୁବରାଜ ସିଂହ, ଜାହିର୍ ଖାନ୍, ବୀରେନ୍ଦ୍ର ସେହବାଗ, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଯୁବ ଖେଳାଳିଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେଇଥିଲେ। ଏମାନେ ପରିବର୍ତୀ ସମୟରେ ଭାରତୀୟ କ୍ରିକେଟ୍‌ର ସୁପରଷ୍ଟାର୍ ପାଲଟିଥିଲେ। ୨୦୧୫ ମସିହାରୁ ସେ ସିଏବିର ସଭାପତି ରହିଥିବାରୁ କ୍ରିକେଟ୍ ପ୍ରଶାସନ ଦିଗରେ ବି ଅଭିଜ୍ଞତା ଅର୍ଜନ କରି ସାରିଛନ୍ତି। ‌କିନ୍ତୁ ଲୋଧା ସମିତି କଟକଣା କାରଣରୁ ଗାଙ୍ଗୁଲି ମାତ୍ର ୧୦ ମାସ ଦାୟିତ୍ବରେ ରହିପାରିବେ। ମୁଁ ଏଭଳି ସୁଯୋଗ ପାଇବାକୁ ଯାଉଥିବାରୁ ଖୁସି। ବିସିସିଆଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବାରୁ ଏହାକୁ ପୁନଃଅବସ୍ଥାପିତ କରିବା ଲାଗି ସୁଯୋଗ ପାଇଛି ବୋଲି ଗାଙ୍ଗୁଲି କହିଛନ୍ତି। ବିଶ୍ବ କ୍ରିକେଟ୍‌ର ସର୍ବବୃହତ ସଂଗଠନର ଦାୟିତ୍ବ ନିଶ୍ଚିତ ଆହ୍ବାନଭରା ରହିବ ବୋଲି ୪୭ ବର୍ଷୀୟ ଗାଙ୍ଗୁଲି ସ୍ବୀକାର କରିଛନ୍ତି।

ରାତ୍ର ଭୋଜନରେ ପଲଟିଥିଲା ପଲ୍ଲା
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂଆ ସଭାପତି ହେବା ସୋମବାର ସ୍ପଷ୍ଟ ହୋଇ ଯାଇଛି। ତେବେ ରବିବାର ରାତି ସୁଦ୍ଧା ପୂର୍ବତନ ଭାରତୀୟ କ୍ରିକେଟର ତଥା କର୍ଣ୍ଣାଟକ କ୍ରିକେଟ୍ ପ୍ରଶାସକ ବ୍ରିଜେଶ ପଟେଲ ଏହି ଦୌଡ଼ରେ ଆଗୁଆ ରହିଥିଲେ। ଏପରିକି ବ୍ରିଜେଶଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ଲାଗି ତାଙ୍କ ଦୃଢ଼ ସମର୍ଥକ ତଥା ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ୍ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ବିସିସିଆଇର ପାଖାପାଖି ୧୦୦ ଜଣ ସଦସ୍ୟଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଥିଲେ। ତେବେ ରାତି ୯ଟା ୩୦ରେ କେତେକ ସଦସ୍ୟ ଶ୍ରୀନିବାସନଙ୍କ ସମର୍ଥିତ ପ୍ରାର୍ଥୀ ବ୍ରିଜେଶଙ୍କୁ ବିରୋଧ କରିଥିଲେ। ଶ୍ରୀନିବାସନଙ୍କ ପାଇଁ ବିସିସିଆଇ ଅଚଳାବସ୍ଥା ସୃଷ୍ଟି ହୋଇଥିବା

ଅଭିଯୋଗ କରି ତାଙ୍କ ସମର୍ଥିତ ପ୍ରାର୍ଥୀ ସଭାପତି ହୋଇ ପାରିବେ ନାହିଁ ବୋଲି ସଫା ସଫା କରି ଦେଇଥିଲେ। ଏହି ସୁଯୋଗ ନେଇ ସୌରଭଙ୍କ ନାଁର ପ୍ରସ୍ତାବ ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର ରଖିଥିଲେ। ପଶ୍ଚିମାଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ ସଦସ୍ୟମାନେ ତାଙ୍କୁ ସମର୍ଥନ କରିଥିଲେ। ମାତ୍ର କିଛି ମିନିଟ୍ ଭିତରେ ସୌରଭଙ୍କ ନାଁକୁ ନେଇ ସହମତି ହୋଇ ଯାଇଥିଲା। ତେବେ ଗାଙ୍ଗୁଲି ଦୁଇ ଦିନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦେଖାକରି ଏଥିନେଇ ଆଲୋଚନା କରିଥିଲେ। ଠାକୁର କେବଳ ସେହି ଆଲୋଚନାକୁ ଆଗେଇ ନେଇଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅମିତଙ୍କ ସହମତିରେ ଗାଙ୍ଗୁଲି ସଭାପତି ହେବା ସହ ତାଙ୍କ ପୁଅ ଜୟ ସଂପାଦକ ପଦ ପାଇଥିଲେ। ସେହିଭଳି ଅନୁରାଗଙ୍କ ଭାଇ ଅରୁଣ କୋଷାଧ୍ୟକ୍ଷ ପାଇଁ ମନୋନୀତ ହୋଇଥିଲେ। ଶ୍ରୀନିବାସନଙ୍କ ସମର୍ଥକଙ୍କ ମୁହଁ ବନ୍ଦ କରିବା ପାଇଁ ବ୍ରିଜେଶଙ୍କୁ ଆଇପିଏଲ୍ ମୁଖ୍ୟ ପଦ ପ୍ରଦାନ କରାଯାଇଥିଲା।

ପ୍ରାର୍ଥିପତ୍ର ଦାଖଲ
ମୁମ୍ବାଇ: ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଦଳ ସୋମବାର ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ପ୍ରବେଶ କରିବା ସମୟରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କାରଣ ସେ ସମୟରେ ନିର୍ବାଚନ ଅଧିକାରୀ ଏନ୍ ଗୋପାଳସ୍ବାମୀ ଅନୁପସ୍ଥିତ ଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେ ଆସିପାରିନଥିଲେ। ଫଳରେ ଗାଙ୍ଗୁଲିଙ୍କ ଦଳ ବିସିସିଆଇର ଆଇନ ଅଧିକାରୀମାନଙ୍କୁ ପାର୍ଥିପତ୍ର ପ୍ରଦାନ କରିବାକୁ ପଡ଼ିଥିଲା। ନିର୍ବାଚନ ଅଧିକାରୀଙ୍କ ଏଭଳି ବିଳମ୍ବ ଆଗମନ ନେଇ ବୋର୍ଡର କାର୍ଯ୍ୟନିର୍ବାହୀଙ୍କ ନିକଟରେ ବି ସୂଚନା ନ ଥିଲା ବୋଲି ଜଣେ ପ୍ରାର୍ଥୀ ପ୍ରକାଶ କରିଛନ୍ତି। ଅପରାହ୍ନ ୩ଟା ଶେଷ ସମୟ ଥିବାରୁ ଆମେ ୨.୪୫ ମିନିଟ୍‌ରେ ଏହାକୁ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଥିଲେ। ନିର୍ବାଚନ ଅଧିକାରୀଙ୍କ ନୋଟିସ୍ ଅନୁସାରେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବାର ଥିଲା। ରବିବାର ବିସିସିଆଇର ଅନୁବଂଧିତ ରାଜ୍ୟସଂଘ ଗୁଡ଼ିକର ଅନୌପଚାରିକ ବୈଠକରେ ଗାଙ୍ଗୁଲିଙ୍କୁ ସଭାପତି ଏବଂ ଜୟ ଶାହଙ୍କୁ ସମ୍ପାଦକ ପଦ ଲାଗି ମନୋନୀତ କରାଯାଇଥିଲା। ଅରୁଣ ଧୂମଲ କୋଷାଧ୍ୟକ୍ଷ, ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ଏବଂ ବ୍ରିଜେଶ ପଟେଲ୍‌ ଆଇପିଏଲ୍‌ ଅଧ୍ୟକ୍ଷ ଲାଗି ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର