କାଣ୍ଡି ଟେଷ୍ଟ୍‌: ପ୍ରଥମ ଦିନ ୧୧ ୱିକେଟ୍‌ ଝଡ଼ିଲା

କାଣ୍ଡି: ଶ୍ରୀଲଙ୍କା ଓ ଇଂଲଣ୍ଡ୍‌ ମଧ୍ୟରେ ବୁଧବାରଠୁ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍‌। ଏହି ଟେଷ୍ଟ୍‌ର ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ସିଂହଳୀ ବୋଲରମାନେ ୨୮୫ ରନ୍‌ରେ ଇଂଲଣ୍ଡର ୧୦ ୱିକେଟ୍‌ ଦଖଲ କରିନେଇଥିଲା ବେଳେ ଶ୍ରୀଲଙ୍କା ଗୋଟିଏ ୱିକେଟ୍‌ ହରାଇଛି। ଫଳରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଇଂଲଣ୍ଡ୍‌ ଜୋସ୍‌ ବଟ୍ଟଲର୍‌ (୬୩) ଓ ସାମ୍‌ କରନ୍‌ (୬୪)ଙ୍କ ଅର୍ଧଶତକ ସାଙ୍ଗକୁ ରୋରି ବର୍ନ (୪୩), ଆଦିଲ୍‌ ରସିଦ୍‌ (୩୧), ବେନ୍‌ ଷ୍ଟୋକ୍‌ସ (୧୯), ଫୋକ୍‌ସ (୧୯) ଓ ଅଧିନାୟକ ଜୋ ରୁଟ୍‌ (୧୪)ଙ୍କ ଦୁଇଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ୭୫.୪ ଓଭରରେ ୨୮୫ ରନ୍‌ କରି ପ୍ରଥମ ପାଳି ଶେଷ କରିଥିଲା। ସିଂହଳୀ ବୋଲରଙ୍କ ମଧ୍ୟରୁ ଧନଞ୍ଜୟ ପେରେରା ୬୧ ରନ୍‌ରେ ୪, ପୁଷ୍ପକୁମା‌ରା ୮୯ ରନ୍‌ରେ ୩, ଅକିଲ ଧନଞ୍ଜୟ ୮୦ ରନ୍‌ରେ ୨ ଏବଂ ସୁରଙ୍ଗା ଲାକ୍‌ମଲ ୪୪ ରନ୍‌ରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ବଟ୍ଟଲର୍‌ ୬୭ ବଲ୍‌ରେ ୬୩ ରନ୍‌ କରିଥିଲେ ମଧ୍ୟ କରନ୍‌ଙ୍କ ପାଳି ମୁଖ୍ୟ ଆକର୍ଷଣ ଥିଲା। କରନ୍‌ ତାଙ୍କ ଅର୍ଧଶତକୀୟ ପାଳିରେ ୬ ଛକା ମାରିଥିଲେ। ଆଉ ଏହି ୬ ମଧ୍ୟରୁ ୫ ଛକା ସେ ଧନଞ୍ଜୟଙ୍କୁ ମାରିଥିଲେ। ପୁଣି କରନ୍‌ ମଧ୍ୟ ତାଙ୍କର ତିନିଟିଯାକ ଟେଷ୍ଟ୍‌ ଅର୍ଧଶତକକୁ ଛକାରେ ହିଁ ପୂରଣ କରିଥିଲେ। ଚଳିତ ବର୍ଷ ମଧ୍ୟ କରନ୍‌ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ସଫଳତା ପାଇଛନ୍ତି।

ଇଂଲଣ୍ଡର ୨୮୫ ଜବାବରେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଘରୋଇ ସିଂହଳୀ ଦଳ କୌଶଲ୍‌ ସିଲ୍‌ଭା (୬)ଙ୍କ ୱିକେଟ୍‌ ହରାଇ ୧୨ ଓଭରରେ ୨୬ ରନ୍‌ କରିଛି। କରୁଣାରତ୍ନେ (୧୯) ଓ ପୁଷ୍ପକୁମାରା (୧)କ୍ରିଜ୍‌ରେ ରହିଛନ୍ତି। ତେବେ ହାତରେ ୯ ୱିକେଟ୍‌ ଥାଇ ଶ୍ରୀଲଙ୍କା ୨୫୯ ରନ୍‌ ପଛରେ ରହିଛି। ଶ୍ରୀଲଙ୍କା ଏକମାତ୍ର ୱିକେଟ୍‌ ଜାକ୍‌ ଲିଚ୍‌ ନେଇଛନ୍ତି। ସୂଚନାଯୋଗ୍ୟ, ଗଲ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌କୁ ଭ୍ରମଣକାରୀ ଇଂଲଣ୍ଡ ୨୧୧ ରନ୍‌ରେ ଜିତି ୧-୦ରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର