ଭାରତର ପ୍ରଥମ; ବିଭୂକଲ୍ୟାଣ ହକି ବିଶ୍ୱକପ୍‌ ସ୍ୱାସ୍ଥ୍ୟ ଅଧିକାରୀ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ହକି ବିଶ୍ୱକପ ଲାଗି ଓଡ଼ିଶାର କର୍ନେଲ ବିଭୂ କଲ୍ୟାଣ ନାୟକ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜଣେ ଦକ୍ଷ କ୍ରୀଡ଼ା ଆଘାତ ବିଜ୍ଞାନ ଏବଂ କ୍ରୀଡ଼ା ଓ ଶାରୀରିକ କ୍ରିୟା ବିଜ୍ଞାନ ବିଶେଷଜ୍ଞ ଭାବେ ପରିଚିତ ବିଭୂକଲ୍ୟାଣ ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ଦ୍ୱାରା ବୁଧବାର ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ। ବିଭୂକଲ୍ୟାଣ ସେନା ପୃଷ୍ଠଭୂମିରୁ ଆସିଥିଲା ବେଳେ ଅତୀତରେ ଭାରତୀୟ ହକି ଦଳର ଡାକ୍ତରଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଶ୍ରୀ ନାୟକ ହାଭାନା, କ୍ୟୁବା ଓ ସ୍ପେନର ମାଦ୍ରିଦରେ କ୍ରୀଡ଼ା ଶାରୀରିକ ବିଜ୍ଞାନରେ ଶିକ୍ଷା ଲାଭ କରିଛନ୍ତି। ହକି ବିଶ୍ୱକପ୍‌ରେ ଏଫ୍‌ଆଇଏଚ୍‌ ତରଫରୁ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତ ହେବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ୧୯୯୫ ମସିହାରେ ବିଭୂକଲ୍ୟାଣ ଭାରତୀୟ ସେନାର ସ୍ୱାସ୍ଥ୍ୟ ବିଭାଗରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପୁନେରେ ଥିବା ସେନା କ୍ରୀଡ଼ା ସଂସ୍ଥାନରେ ସେ ୬ ବର୍ଷ ଧରି ଭାରତର ବଛା ବଛା ଖେଳାଳିଙ୍କ ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପିଲାବେଳେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ଦେଖିଥିବା ବିଭୂକଲ୍ୟାଣ ସେଥିପାଇଁ କ୍ରୀଡ଼ାବିତଙ୍କ ସହ କାମ କରିବା ଆଡ଼କୁ ଢଳିଥିଲେ। ଶେଷରେ ସେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜାତୀୟ ଦଳର ଚିକିତ୍ସକ ଭାବେ ଦେଶର ପ୍ରତିନିଧିତ୍ୱ କରିଥିଲେ। ରିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତୀୟ ହକି ଦଳର ଚିକିତ୍ସକ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ। ୨୦୦୭ ମସିହାରେ ଭାରତୀୟ ଯୁବ ମୁଷ୍ଟିଯୁଦ୍ଧ ଦଳ ସହ କାର୍ଯ୍ୟ କରିବା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦାୟିତ୍ୱ ଥିଲା। ବିଭୂକଲ୍ୟାଣ ଲଗାତାର ପାଞ୍ଚ ବର୍ଷ ଧରି ହକି ଇଣ୍ଡିଆ ଲିଗର ସ୍ୱାସ୍ଥ୍ୟ ଅଧିକାରୀ ଥିଲେ। ସେ ମଧ୍ୟ ଦିଲ୍ଲୀ ବିଶ୍ୱକପରେ ଭାରତୀୟ ଦଳ ସହ କାର୍ଯ୍ୟ କରିଥିଲେ। ବିଭୂକଲ୍ୟାଣଙ୍କର ୨୦୦୯-୧୦ ସୁଲତାନ ଆଜଲାନ ସାହା ହକି ୨୦୧୦ ଏସୀୟ କ୍ରୀଡ଼ା, ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ସହ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ରିଓ ପାରାଲିମ୍ପିକ୍ସରେ ମଧ୍ୟ ସେ ଭାରତୀୟ ଦଳର ମୁଖ୍ୟ ଫିଜିସିଆନ୍‌ ଥିଲେ। ଭୁବନେଶ୍ୱର ବିଶ୍ୱକପ୍‌ ପାଇଁ ବିଭୂକଲ୍ୟାଣ ଆସନ୍ତାମାସ ୯ ତାରିଖରେ ଓଡ଼ିଶା ଆସିବେ। ସେ ଏଠାରେ ୧୭ ତାରିଖ ପର୍ଯ୍ୟନ୍ତ ରହିବା ସହ ଷ୍ଟାଡିୟମ୍‌, ଖେଳାଳି ରହୁଥିବା ହୋଟେଲ ଏବଂ ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ପ୍ରଦାନ କରାଯିବାକୁ ଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବେ।

ଭଦ୍ରକ ଜିଲ୍ଲାର ବିଲଣା ଗ୍ରାମ ବାସିନ୍ଦା ସିତାକାନ୍ତ ନାୟକ ଏବଂ ମଞ୍ଜରୀ ନାୟକଙ୍କ ସୁପୁତ୍ର ବିଭୂକଲ୍ୟାଣ ନେତାଙ୍ଗ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକୁଲେସନ କରିଥିଲେ। ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିବା ପରେ ବୁର୍ଲାର ଭିଏସ୍‌ଏସ୍‌ ମେଡିକାଲ କଲେଜରେ ସେ ଡାକ୍ତରୀ ପଢ଼ିବା ଆରମ୍ଭ କରିଥିଲେ। ପରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରୁ ନିଜ ଏମବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ୧୯୯୫ରେ ସେନା ବାହିନୀରେ ଯୋଗ ଦେଇଥିଲେ। ବିଭୂକଲ୍ୟାଣଙ୍କ ପିତା ମୁଖ୍ୟଯନ୍ତ୍ରୀ ଭାବେ ଅବସର ନେଇଥିଲା ବେଳେ ତାଙ୍କ ମା’ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି। ଭାରତୀୟ ଜୀବନ ବିମାରେ କାର୍ଯ୍ୟ କରୁଥିବା ପତ୍ନୀ ସଂଘମିତ୍ରା ବିଭୂକଲ୍ୟାଣଙ୍କୁ ସବୁ କ୍ଷେତ୍ରରେ ସାହଯ୍ୟ କରି ଆସୁଛନ୍ତି। ଏକମାତ୍ର ପୁଅ ସିଦ୍ଧାର୍ଥ ସଂପ୍ରତି ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି। ସେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ତ୍ରଲୋକନାଥ ପଣ୍ଡା ଏବଂ ପୁଷ୍ପଲତା ପଣ୍ଡାଙ୍କ ଜ୍ୱାଇଁ।

‘ଜନ୍ମମାଟିରେ କାମ କରିବାର ସୁଯୋଗ ପାଇଁ ଭାଗ୍ୟଶାଳୀ’
ମୁଁ ଅଲିମ୍ପିକ୍ସ ଯାଇଛି। ବିଶ୍ୱକ୍‌ପରେ ବି ଭାରତୀୟ ଦଳ ସହ କାମ କରି ସାରିଛି। ହେଲେ ମୋ ଜନ୍ମମାଟିରେ ପ୍ରଥମ ଥର ଆୟୋଜିତ ହେଉଥିବା ବିଶ୍ୱକପ୍‌ର ଚକିତ୍ସା ଅଧିକାରୀ ଦାୟିତ୍ୱ ମିଳିବା ନେଇ ସବୁଠାରୁ ବେଶି ଗର୍ବ ଅନୁଭବ କରୁଛି। ଏଥିନେଇ ମୁଁ ବେଶ୍‌ ଆନନ୍ଦିତ ଓ ଉଲ୍ଲସିତ ମଧ୍ୟ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏସବୁ ହୋଇଛି। ଏଥିରେ ଗଣମାଧ୍ୟମର ବି ବଳିଷ୍ଠ ଭୂମିକା ରହିଛି। ମୋ ପାଇଁ ଏହା ଏକ ଗୁରୁ ଦାୟିତ୍ୱ । ତେବେ ଭାରତୀୟ ଦଳ ସହ କାର୍ଯ୍ୟ କରିବାର ଲମ୍ବା ଅନୁଭବ ଥିବାରୁ ମୋତେ ମିଳିଥିବା ଦାୟିତ୍ୱକୁ ଭଲ ଭାବରେ ତୁଲାଇ ପାରିବି ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ‘ସମ୍ବାଦ’ ସହ କଥା ହେଲା ବେଳେ ବିଭୂକଲ୍ୟାଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପିଲାବେଳେ ମୁଁ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ସ୍ୱପ୍ନ ଦେଖୁଥିଲି। କ୍ରୀଡ଼ା ପାଇଁ ଥିବା ଭଲ ପାଇବା ଲାଗି ମୁଁ ଦଳୀୟ ଚିକିତ୍ସକର ଭୂମିକା ଗ୍ରହଣ କରିଥିଲି ଏବଂ ଶେଷରେ ଭାରତୀୟ ଦଳର ଜର୍ସି ପିନ୍ଧିବାର ସୌଭାଗ୍ୟ ଲାଭ କରିଥିଲି। ସେନା ପୋଷାକ ପିନ୍ଧିବାକୁ ବି ମୁଁ ସବୁବେଳେ ଚାହୁଁଥିଲି। ଏଣୁ ମୋର ଉଭୟ ସ୍ୱପ୍ନ ପୂରଣର ଏହା ବଳିଷ୍ଠ ମାଧ୍ୟମ ଥିଲା।

ସମ୍ବନ୍ଧିତ ଖବର