ପ୍ରଥମ ସେମିରେ ଆଜି ଇଷ୍ଟ୍‌ବେଙ୍ଗଲ-ଗୋଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପରକପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେବ। ଆସନ୍ତାକାଲି ଏହି ୧୬ ଦଳୀୟ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଲୋକପ୍ରିୟ ପୂର୍ବଭାରତ ଦଳ ଇଷ୍ଟ୍‌ବେଙ୍ଗଲକୁ ଗୋଆ ଏଫସି ଭେଟିବ। ଇଷ୍ଟବେଙ୍ଗଲ ପ୍ରି-କ୍ୱାର୍ଟର ଫାଇନାଲରେ ମୁମ୍ବାଇ ସିଟିକୁ ୨-୧ ଏବଂ କ୍ୱାର୍ଟରରେ ଆଇଜଲ ଏଫ୍‌ସିକୁ ୧-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟ ପକ୍ଷରେ ଗୋଆ ପ୍ରି-କ୍ୱାର୍ଟରରେ ଏଟିକେକୁ ୩-୧ ଗୋଲ୍‌ରେ ପରାସ୍ତ କରିବା ପରେ ଜାମସେଦପୁର ଏଫସି ବିପକ୍ଷ ବିବାଦୀୟ କ୍ୱାର୍ଟର ଫାଇନାଲ୍‌କୁ ୫-୧ରେ ଜିତି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତ ଗୁରୁବାର ଖେଳା ଯାଇଥିବା ଏହି  ମ୍ୟାଚ୍‌ରେ ଜାମସେଦପୁର ଦଳର ଖେଳାଳିଙ୍କ ସହ ମାରପିଟ୍‌ କରି ଏହି ଦଳର ତିନି ଜଣ ପ୍ରମୁଖ ଖେଳାଳି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫଏଫ୍‌) ଦ୍ୱାରା ଦୁଇଟି ମ୍ୟାଚ୍‌ ପାଇଁ ବାସନ୍ଦ ହୋଇଛନ୍ତି। ସେଥିପାଇଁ ଏହି ଦଳର ବ୍ରୁନୋ ଫିଲିପ ପିନେରିଓ, ସର୍ଗିଓ ଜଷ୍ଟି ମାରିନ, ବ୍ରାଣ୍ଡନ ଫର୍ନାଣ୍ଡିସ୍‌ଙ୍କୁ ସୋମବାର ମ୍ୟାଚ୍‌ରେ ଦେଖିବାକୁ ମିଳିବ ନାହିଁ। ଅର୍ଥାତ୍‌ ସୋମବାର ମୁକାବିଲାରେ ଗୋଆ ଦୁର୍ବଳ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହେବ। ଯାହା ଇଷ୍ଟବେଙ୍ଗଲର କାମକୁ ଆହୁରି ସହଜ କରିଦେବ। ମଙ୍ଗଳବାରର ଦ୍ୱିତୀୟ ସେମିଫାଇନାଲରେ ଭାରତର ଅନ୍ୟତମ ସୁପରିଚିତ ଫୁଟ୍‌ବଲ୍‌ କ୍ଲବ୍‌ ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫସି ମୁହାଁମୁହିଁ ହେବେ। ଫାଇନାଲ୍‌ ୨୦ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର