ଋତୁପର୍ଣ୍ଣାଙ୍କୁ ପ୍ରଥମ ବରିଷ୍ଠ ଦ୍ୱିମୁକୁଟ

ଜିତିଲେ ସର୍ବଭାରତୀୟ ମାନ୍ୟତା ମହିଳା ଯୁଗଳ ଓ ମିଶ୍ରିତ ଯୁଗଳ ଟ୍ରଫି

ଭୁବନେଶ୍ୱର: ରାଜ୍ୟର ଉଦୀୟମାନ ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତୁପର୍ଣ୍ଣା ପଣ୍ଡାଙ୍କ ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ସର୍ବଭାରତୀୟ ସଫଳତା ମିଳିଛି ରବିବାର। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଉଦ୍‌ଯାପିତ ସର୍ବଭାରତୀୟ ମାନ୍ୟତାପ୍ରାପ୍ତ ଯୁବଳ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଦୁଇ ଦୁଇଟି ବର୍ଗରେ ବିଜେତା ହୋଇଛନ୍ତି ଏହି କଟକ ଝିଅ। ଉଭୟ ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ବିଜେତା ହୋଇଛନ୍ତି। କନିଷ୍ଠ ବର୍ଗରେ ଅଧାଡ଼ଜନେ ପ୍ରାୟ ଟ୍ରଫି ଜିତି ସାରିଥିବା ଋତୁପର୍ଣ୍ଣା ବରିଷ୍ଠ ବର୍ଗରେ ପ୍ରଥମ ଥର ମୁକୁଟ ବିଜୟିନୀ ହୋଇଛନ୍ତି। ଅରୁଦ୍ଧତି ପନ୍ତାଓ୍ଵାନେଙ୍କୁ ସାଥୀ କରି ସେ ମହିଳା ଯୁଗଳ ଫାଇନାଲ୍‌ରେ ୨-୧୧୬, ୨୧-୧୦ରେ ସିମରନ୍‌ ସିଂହୀ-ରିତିକା ଠକ୍କରଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଋତୁପର୍ଣ୍ଣା କେ ନନ୍ଦ ଗୋପାଳଙ୍କୁ ନେଇ ୨୧-୧୬, ୨୧-୧୩ରେ ସେକ୍‌ ଗୌସ୍‌-ଅରୁନ୍ଧତି ପନ୍ତାଓ୍ଵାନେଙ୍କୁ ପରାସ୍ତ କରିଥିଲେ। ଏହି ଦୁଇ ଫାଇନାଲ୍‌ ଯଥାକ୍ରମେ ୩୯ ଓ ୩୫ ମିନିଟ୍‌ରେ ଶେଷ ହୋଇଥିଲା। ଫାଇନାଲ୍‌ ଆସିବା ପଥରେ ଋତୁପର୍ଣ୍ଣା-ଅରୁନ୍ଧତି ଯୋଡ଼ି ୨୧-୮, ୨୧-୧୧ରେ ଶୃତି ମିଶ୍ର-ସମୃଦ୍ଧି ସିଂହଙ୍କୁ, ଏବଂ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଭି ହାରିକା-କରିଷ୍ମା ଓ୍ଵାଡକରଙ୍କୁ ୨୧-୧୭, ୨୧-୧୪ରେ ପରାସ୍ତ କରିଥିଲେ। ସେହିଭଳି ମିଶ୍ରିତ ଯୁଗଳରେ ଋତୁପର୍ଣ୍ଣା-ନନ୍ଦଗୋପାଳ ୨-୧୯, ୨-୧୯ରେ ଏସ୍‌ ସୁନୀତ-ଅଗ୍ନା ଆନ୍ତୋଙ୍କୁ ଏବଂ ହର୍ନାନଗେନ୍ଦ ବାବୁ-ନିଙ୍ଗସୀ ବ୍ଲକ୍‌ ହଜାରିକାଙ୍କୁ ୨୧-୧୩, ୨୧-୧୨ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ହାଇଦ୍ରାବାଦରେ ପୁଲେଲା ଗୋପୀଚାନ୍ଦ ଏକାଡେମିରେ ପ୍ରଶିକ୍ଷିତ ଋତୁପର୍ଣ୍ଣା ଗତବର୍ଷ ଜାକର୍ତାରେ ଏସୀୟ ଦଳଗତ କନିଷ୍ଠ ବ୍ୟାଡ୍‌ମିଣ୍ଟନରେ ଅଂଶଗ୍ରହଣ କରି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଗୋପୀଚାନ୍ଦ ଏକାଡେମିରେ ଯୋଗଦେବା ପରଠାରୁ ସେ ଏକକ ବର୍ଗକୁ ତ୍ୟାଗ କରି କେବଳ ଯୁଗଳ ବର୍ଗରେ ଏକାଗ୍ର ହୋଇଛନ୍ତି। ଗତବର୍ଷ ମୁଥୁଲାଙ୍କୁ ସାଥୀ କରି ଦେଶର ଯୁଗଳ ବର୍ଗରେ ଶ୍ରେଷ୍ଠ ଉଭା ହୋଇଥିଲେ। ଏବେ ଅନ୍ତର୍ଜାତୀୟ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ସମ୍ପର୍କୀୟ କେ ନନ୍ଦଗୋପାଳଙ୍କୁ ସାଥୀ କରି ସଫଳତାର ସହ ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର