ପ୍ରଥମ ଟେଷ୍ଟ୍‌: ଭାରତ-ଏ ପାଇଁ ବିଜୟ ସୁଯୋଗ

ଥିରୁବନନ୍ତପୁରମ୍‌: ଭାରତ ‘ଏ’ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଅଣଆନୁଷ୍ଠାନିକ ଟେଷ୍ଟ୍‌ର ଦୁଇ ଦିନରେ ୨୫ ୱିକେଟ୍‌ ଝଡ଼ିଗଲାଣି। ସେଥିରୁ ଭ୍ରମଣକାରୀ ଦଳର ୧୫ ଏବଂ ଭାରତର ୧୦ ୱିକେଟ୍‌ ପତନ ଘଟିଛି। ସୋମବାର ପ୍ରଥମ ଦିନ ୧୨ ୱିକେଟ୍‌ ଝଡ଼ିଥିଲା ବେଳେ ମଙ୍ଗଳବାର ଦ୍ବିତୀୟ ଦିବସରେ ଝଡ଼ିଛି ୧୩ ୱିକେଟ୍‌। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତର ଆଧିପତ୍ୟ ଜାରି ରହିଛି। ଏପରିକି ଏହି ୪ ଦିନିଆ ଟେଷ୍ଟ୍‌ର ଆଉ ଦୁଇ ଦିନ ଖେଳ ବା‌କି ଥିବାରୁ ଘରୋଇ ଦଳ ପାଇଁ ବିଜୟ ସୁଯୋଗ ରହିଛି।

ଟସ୍‌ ହାରି ବ୍ୟାଟିଂ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୬୪ ରନ୍‌ କରିପାରିଥିଲା ବେଳେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ବେଳକୁ ୧୨୫ ରନ୍‌ରେ ଦ୍ବିତୀୟ ପାଳିର ୫ ୱିକେଟ୍‌ ହରାଇଛି। ଫଳରେ ହାତରେ ୫ ୱିକେଟ୍‌ ଥାଇ ଭ୍ରମଣକାରୀ ଦଳ ଭାରତ ପ୍ରଥମ ପାଳି ସ୍କୋର୍‌ଠାରୁ ୧୪ ରନ୍‌ ପଛରେ ରହିଛି। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ମଲାନ୍‌, ଅଧିନାୟକ ଆଦିଲେ ମର୍କରାମ ଓ ଏସ୍‌ ମୁଥୁସ୍ବାମୀ ୪ ରନ୍‌ ଲେଖାଏଁ କରିଥିଲା ବେଳେ ଜୁବେର୍‌ ହାମ୍‌ଜା ୪୪ ଓ କେ ଜୋଣ୍ଡୋ ୧୦ ରନ୍‌ କରି ପାଭିଲିୟନ୍‌ ଫେରି ଯାଇଛନ୍ତି। ୱିକେଟ୍‌ରକ୍ଷକ ହେନ୍‌ରିକ୍‌ କ୍ଲାସେନ୍‌ ୩୫ ଓ ମୁଲ୍‌ଡର ୧୨ ରନ୍‌ରେ ଲଢ଼େଇ ଜାରି ରଖିଛନ୍ତି। ଭାରତ ପକ୍ଷରୁ ସାହବାଜ୍‌ ନଦୀମ ୨ ଏବଂ ମହମ୍ମଦ ସିରାଜ୍‌, ସାର୍ଦୁଲ ଠାକୁର ଓ କୃଷ୍ଣପ୍ପା ଗୌତମ ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିଛନ୍ତି।

ଏହା ପୂର୍ବରୁ ପ୍ରଥମ ଦିନର ସ୍କୋର୍‌ ୧୨୯/୨ରୁ ଖେଳିଥିବା ଭାରତ ମଙ୍ଗଳବାର ପ୍ରଥମ ପାଳିର ଅବଶିଷ୍ଟ ୮ ୱିକେଟ୍‌ ହରାଇବା ପୂର୍ବରୁ ୧୭୪ ରନ୍ ଯୋଡ଼ିଥିଲା। ୬୬ ରନ୍‌ରେ ଅପରାଜିତ ଥିବା ଶୁଭମନ୍‌ ଗିଲ୍‌ (୯୦) ଶତକଠୁ ୧୦ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲା ବେଳେ ଜଲଜ ସାକ୍ସେନା (୬୧) ଅର୍ଧଶତକ ଜମାଇ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍‌ରକ୍ଷକ କେ ଭରତ ୩୩ ଓ ସାର୍ଦୁଲ ଠାକୁର ୩୪ ରନ୍‌ର ମହତ୍ବପୂର୍ଣ୍ଣ ଅବଦାନ ଛାଡ଼ିଥିଲେ। ଫଳରେ ଭାରତ ୮୭.୫ ଓଭରରେ ୩୦୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଏଥି ସହିତ ପ୍ରଥମ ପାଳିରେ ମଧ୍ୟ ୧୩୯ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଓ ପିଡ୍‌ ୩ ଲେଖାଏଁ ଏବଂ ମାର୍କୋ ଜାନସେନ୍‌ ଓ ସିପାମ୍‌ଲା ୨ ଲେଖାଏଁ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର