‘ଭାର୍‌’ରେ ପ୍ରଥମ ଥର ବଦଳିଲା ନିଷ୍ପତ୍ତି

ଶନିବାରର ଫ୍ରାନ୍ସ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଥିଲା ଚଳିତ ବିଶ୍ୱକପ୍‌ର ପଞ୍ଚମ। ତଥାପି ଏହି ମ୍ୟାଚ୍‌ ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି। ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ବ୍ୟବହୃତ ହେଉଥିବା ଭାର୍‌ (ଭିଡିଓ ଆସିଷ୍ଟ ରିଫରି) ବୈଷୟିକ ଜ୍ଞାନ କୌଶଳରେ କୌଣସି ନିଷ୍ପତ୍ତିକୁ ପ୍ରଥମ ଥର ପାଇଁ ବଦଳା ଯାଇଛି। ୫୮ ମିନିଟ୍‌ରେ ଫ୍ରାନ୍ସର ଅଗ୍ରଭାଗ ଖେଳାଳି ପଲ୍‌ ପୋଗ୍‌ବା ବକ୍ସ୍‌ ଭିତରେ ଅଣ୍ଟୋନି ଗ୍ରିଜମ୍ୟାନ୍‌ଙ୍କୁ ଏକ ପାସ୍‌ ଦେଇଥିଲେ। ହେଲେ ଅଷ୍ଟ୍ରେଲିଆର ଜୋସୁଆ ରସଡନ୍‌ ତାଙ୍କୁ ଅଟକାଇବା ପରେ ଗ୍ରିଜମ୍ୟାନ୍‌ ତଳେ ପଡ଼ି ଯାଇଥିଲେ। ଯାହାର ଦୃଢ଼ ପ୍ରତିବାଦ କରିଥିଲେ। ହେଲେ ଉରୁଗୁଏ ରେଫରି ଆନ୍ଦ୍ରେସ୍‌ କୁନା ଏହାକୁ ଭ୍ରୁକ୍ଷେପ ନ କରି ଖେଳ ଜାରି ରଖିବାର ସଂକେତ ଦେଇଥିଲେ। ଏହିଠାରେ ହିଁ ଭାର୍‌ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଭାର୍‌ ଅଧିକାରୀଙ୍କଠାରୁ ସଙ୍କେତ ପାଇବା ପରେ କୁନା ପଡ଼ିଆ ପାର୍ଶ୍ୱରେ ଲାଗିଥିବା ମେସିନରେ ୩୦ ସେକେଣ୍ଡ ପରେ ମ୍ୟାଚ୍‌ ଭିଡିଓ ଦେଖିଥିଲେ। ଏହା ପରେ ନିଜ ନିଷ୍ପତ୍ତି ବଦଳାଇ ଫ୍ରାନ୍ସକୁ ପେନାଲ୍ଟି ପ୍ରଦାନ କରିଥିଲେ। ଏହାକୁ ଗୋଲ୍‌ରେ ରୂପାନ୍ତର କରିବାରେ ଗ୍ରିଜମ୍ୟାନ୍‌ କୌଣସି ତ୍ରୁଟି କରି ନଥିଲେ। ୪ ବର୍ଷ ତଳେ ବ୍ରାଜିଲରେ ଖେଳା ଯାଇଥିବା ଗତ ବିଶ୍ୱକପ୍‌ରେ ଫ୍ରାନ୍ସ ଗୋଲ୍‌ ଲାଇନ୍‌ ବୈଷୟିକ ଜ୍ଞାନ କୌଶଳରେ ଗୋଲ୍‌ ପାଇବାରେ ପ୍ରଥମ ଦଳ ହୋଇଥିଲା। ରୁଷିଆରେ ମଧ୍ୟ ଭାର୍‌ ଜରିଆରେ ଗୋଲ୍‌ ପାଇବାରେ ପ୍ରଥମ ଦଳ ହୋଇଛି। ଏହା ପୂର୍ବରୁ ଶୁକ୍ରବାରର ସ୍ପେନ୍‌-ପର୍ତୁଗାଲ ମ୍ୟାଚ୍‌ରେ ଭାର୍‌ର ଆଂଶିକ ବ୍ୟବହାର ହୋଇଥିଲା। ଇଟାଲୀୟ ରେଫରି ଜିଆନଲୁକା ରୋଚି ଭାର୍‌ ଦଳ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ପେନର ଡିଏଗୋ କୋଷ୍ଟାଙ୍କ ଗୋଲ୍‌କୁ ସ୍ୱୀକୃତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର