କ୍ରିକେଟ୍‌ ଇତିହାସରେ ପ୍ରଥମ: ସୂର୍ଯ୍ୟଙ୍କ ପାଇଁ ଅଟକିଲା ଖେଳ

ନାପିଏର: କ୍ରିକେଟ୍ ମ୍ୟାଚ୍ ବେଳେ ବର୍ଷା ପାଇଁ ଖେଳ ବନ୍ଦ ହେବା ଏକ ସାଧାରଣ କଥା। ହେଲେ ସୂର୍ଯ୍ୟଙ୍କ ପ୍ରଖର କିରଣ ଲାଗି କୌଣସି ମ୍ୟାଚ୍‌କୁ ଅଧାରୁ ଅଟକାଇ ଦିଆଯିବା ନିଶ୍ଚିତ ଭାବେ ଏକ ବିରଳ ଏବଂ ବିସ୍ମୟକର ଘଟଣା। କ୍ରିକେଟ୍ ଇତିହାସରେ ପୂର୍ବରୁ ଏମିତି କେବେ ବି ଘଟି ନଥିଲା। ଏଭଳି ନିଆରା ଘଟଣା କିନ୍ତୁ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ଦେଖିବାକୁ ମିଳିଥିଲା। ଭାରତ ପାଳିର ଦଶମ ଓଭର ଏବଂ ରାତ୍ରିଭୋଜନ ବିରତିର ମାତ୍ର ଗୋଟିଏ ଓଭର ପରେ ନାପିଏରର ଅସ୍ତମିତ ସୂର୍ଯ୍ୟଙ୍କ କିରଣ ସିଧା ଖେଳାଳିଙ୍କ ଆଖିରେ ପଡ଼ିଥିଲା। ସେଥିପାଇଁ ସେମାନେ ଠିକ୍ ଭାବେ ବଲ୍ ଦେଖି ପାରିବେ ନାହିଁ ବୋଲି ଦୁଇ ପଡ଼ିଆ ଅମ୍ପାୟାର ହୃଦୟଙ୍ଗମ କରିଥିଲେ। ଫଳରେ ଖେଳ ୩୬ ମିନିଟ୍ କାଳ ବନ୍ଦ ରହିଥିଲା। ଶେଷରେ ଅମ୍ପାୟାର ଡକୱର୍ଥ/ଲୁଇସ୍ ନିୟମ ଲାଗୁ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ପରିସ୍ଥିତିରେ ଏହି ନିୟମ ଲାଗୁ ହେବାର କିନ୍ତୁ ଏହା ପ୍ରଥମ ଘଟଣା ଥିଲା। ନ୍ୟୁଜିଲାଣ୍ଡର କେତେକ ଘରୋଇ ମ୍ୟାଚ୍ ବେଳେ ଅବଶ୍ୟ ସୂର୍ଯ୍ୟ କିରଣ ପାଇଁ ଖେଳ ବନ୍ଦ ହେବାର ଉଦାହରଣ ରହିଛି। ଇଂଲଣ୍ଡରେ ମଧ୍ୟ କେବେ କେବେ ଏମିତି ହୁଏ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପୂର୍ବରୁ କିନ୍ତୁ ଏମିତି ପରିସ୍ଥିତି କେବେବି ଉପୂଜି ନଥିଲା। ଏହି ସମସ୍ୟାକୁ ଦୂର କରିବା ଲାଗି କ୍ରିକେଟ୍ ପିଚ୍‌କୁ ଉତ୍ତର-ଦକ୍ଷିଣ ଦିଗରେ ନିର୍ମାଣ କରାଯାଇଥାଏ। ହେଲେ ମ୍ୟାକ୍‌ଲିନ ପାର୍କର ପିଚ୍ ପୂର୍ବ-ପଶ୍ଚିମ ଦିଗରେ ନିର୍ମାଣ ହୋଇଥିବାରୁ ଏଭଳି ବିସ୍ମୟକର ପରିସ୍ଥିତି ଦେଖାଗଲା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ସମସ୍ୟାକୁ ଦୂର କରିବା ଲାଗି କାମ ଚାଲିଥିବା ନାପିଏର ମେୟର ବିଲ ଡଲଟନ୍ ମ୍ୟାଚ୍ ପରେ କହିଥିଲେ।

ଏ ଅଭିଜ୍ଞତା ଜୀବନର ପ୍ରଥମ: କୋହଲି
ସୂର୍ଯ୍ୟକିରଣ ପାଇଁ ଖେଳ ବନ୍ଦ ହେବା ନେଇ ଭାରତୀୟ ଅଧିନାୟମ ବିରାଟ କୋହଲି ବିସ୍ମୟ ପ୍ରକଟ କରିଥିଲେ। ଜୀବନରେ ଏମିତି ଅଭିଜ୍ଞତା କେବେବି ହୋଇ ନଥିଲା ବୋଲି ସେ ହତବାକ୍ ହୋଇ କହିଥିଲେ। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ ମୋ ଜୀବନରେ ମୁଁ ଏମିତି ଅଭିଜ୍ଞତା କେବେ ପାଇନଥିଲି। ଏହା ବେଶ୍ କୌତୁହଳପୂର୍ଣ୍ଣ ଥିଲା। ୨୦୧୪ରେ ଆଖିରେ ସୂର୍ଯ୍ୟ କିରଣ ପଡ଼ିବା ପାଇଁ ମୁଁ ଥରେ ଆଉଟ୍ ହୋଇ ଯାଇଥିଲି। ହେଲେ ଏହି ନିୟମ ସେତେବେଳେ ନଥିଲା। ଦକ୍ଷିଣ ଆଫ୍ରିକୀୟ ଅମ୍ପାୟାର ସନ୍ ଜର୍ଜ କିନ୍ତୁ ନିଷ୍ପତ୍ତି ପୂରା ଠିକ୍ ଥିଲା ବୋଲି କହିଥିଲେ। ସେ କହିଥିଲେ ଅସ୍ତମିତ ସୂର୍ଯ୍ୟଙ୍କ କିରଣ ଖେଳାଳିଙ୍କ ଆଖିରେ ପଡ଼ୁଥିଲା। ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଖେଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲୁ। ଖେଳାଳିମାନେ ସଚେତନ ଥିବାରୁ ଆମ ନିଷ୍ପତ୍ତି ବିରୋଧରେ ଅପିଲ କରି ନଥିଲେ।

ଆଇସିସି ନିୟମ ୨.୭ ଅନୁସା‌ରେ ନିଷ୍ପତ୍ତି
ସୂର୍ଯ୍ୟକିରଣ ‌ନେଇ କୌଣସି ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ର ଖେଳ ବନ୍ଦ ହେବା ପ୍ରଥମ ଘଟଣା ହୋଇଥିଲେ ମଧ୍ୟ ଅମ୍ପାୟାରମାନେ ଆଇସିସି ନିୟମ ଅନୁସା‌ରେ ହିଁ ବୁଧବାର ଏହି ବିତର୍କିତ ନିଷ୍ପତ୍ତି ନେଇଥିଲେ। ଏହି କ୍ଷେତ୍ରରେ ସେମାନେ ଆଇସିସି ନିୟମ ୨.୭ ଲାଗୁ କରିଥିଲେ। ଏହି ନିୟମର ତିନିଟି ଧାରା ରହିଛି। ୨.୭ (୧)ରେ ପଡ଼ିଆ, ପରିବେଶ, ଆଲୋକକୁ ବିଚାରକୁ ନେଇ ଖେଳ ବନ୍ଦ କରିବାର ଅଧିକାର ପଡ଼ିଆ ଅମ୍ପାୟାରଙ୍କୁ ଦିଆଯାଇଛି। ଖେଳାଳିଙ୍କ ପାଇଁ ପାଗ ଏବଂ ପରିବେଶ ବିପଜ୍ଜନକ ଥିଲେ ସେମାନେ ନିଜ ନିଜ ଭିତରେ ବିଚାର ବିମର୍ଶ କରି ଯେ କୌଣସି ସମୟରେ ଖେଳକୁ ବନ୍ଦ କରି ପାରିବେ। ୨.୭ (୨)ରେ ଖେଳାଳି କିମ୍ବା ଅମ୍ପାୟାରଙ୍କ ଜୀବନ ପ୍ରତି ବିପଦ ଥିଲେ ସଂପୃକ୍ତ ପରିବେଶକୁ ବିପଜ୍ଜନକ ଘୋଷଣା କରିବାର ଅଧିକାର ଅମ୍ପାୟାରଙ୍କୁ ମିଳିଛି। ୨.୭ (୩) ଅନୁସାରେ ଖେଳାଳି କିମ୍ବା ଅମ୍ପାୟାରଙ୍କ ଜୀବନ ପ୍ରତି ବିପଦ ନଥିଲେ ମଧ୍ୟ ଖେଳକୁ ଜାରି ରଖିବା ବିଜ୍ଞତାର ପରିଚୟ ନୁହେଁ ବୋଲି ଅମ୍ପାୟାରମାନେ ହୃଦୟଙ୍ଗମ କଲେ ଖେଳ ବନ୍ଦ କରି ପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର