ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟଙ୍କୁ ପ୍ରଥମ ବିଶ୍ବ ଟୁର୍‌ ଟ୍ରଫି

ନୂଆଦିଲ୍ଲୀ: ଉଦୀୟମାନ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ନିଜ ଖେଳ ଜୀବନରେ ପ୍ରଥମ ଥର ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଟ୍ରଫି ହାସଲ କରିଛନ୍ତି। ନେଦରଲାଣ୍ଡ୍‌ର ଅଲ୍‌ମେରେଠାରେ ଚାଲିଥିବା ଡଚ୍‌ ଓପନ୍‌ ସୁପର ୧୦୦ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲ୍‌ରେ ତାଙ୍କ ବିଶ୍ବ ମାନ୍ୟତାର ୧୬୦ତମ ପ୍ରତିଦ୍ବନ୍ଦ୍ବୀ ଜାପାନର ୟୁସୁକେ ଓନେଡେରାଙ୍କୁ ୧୫-୨୧, ୨୧-୧୪ ଓ ୨୧-୧୫ ସେଟ୍‌ରେ ପରାସ୍ତ କରି ୧୮ ବର୍ଷ ବୟସ୍କ ତଥା ଏବେ ବିଶ୍ବ ମାନ୍ୟତାର ୭୨ତମ ସ୍ଥାନରେ ରହିଥିବା ଲକ୍ଷ୍ୟ ଟ୍ରଫି ଜିତିବାର ଏହି ଗୌରବ ବହନ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ଲକ୍ଷ୍ୟ ସ୍ବିଡେନ୍‌ର ଫେଲିକ୍ସ ବୁରେଷ୍ଟେଡ୍‌ଙ୍କୁ ସିଧାସଳଖ ଗେମ୍‌ ୨୧-୧୨ ଓ ୨୧-୯ରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ଲକ୍ଷ୍ୟ ଗତ ମାସରେ ବେଲ୍‌ଜିଆନ୍‌ ଓପନ୍‌ ଜିତିଥିଲା ବେଳେ ଚଳିତ ବର୍ଷ ପୋଲାଣ୍ଡ ଓପନ୍‌ ଫାଇନାଲ୍‌ ପହଞ୍ଚିଥିଲେ। ସେ ମଧ୍ୟ ଗତବର୍ଷ ଏସୀୟ କନିଷ୍ଠ ପ୍ରତିଯୋଗିତାର ବିଜେତା ହୋଇଥିଲା ବେଳେ ୟୁଥ୍‌ ଅଲିମ୍ପିକ୍ସ କ୍ରୀଡ଼ା‌ରେ ରୌପ୍ୟ ଏବଂ ବିଶ୍ବ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର