ପାକ୍ବିଓଙ୍କୁ ଡବଲ୍ୟୁବିଏ ମୁକୁଟ

ଲାସ ଭେଗାସ: ଫିଲିପାଇନ୍ସର କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମାନି ପାକ୍ବିଓ ନିଜ କୃତିତ୍ବ ତାଲିକାରେ ଆଉ ଏକ ସଫଳତାର ଫର୍ଦ ଯୋଡ଼ିଛନ୍ତି। ଶନିବାର ଲଢ଼େଇରେ ବର୍ତମାନର ଡବଲ୍ୟୁବିଏ ବିଜେତା କିଥ୍‌ ଥୁର୍ମାନଙ୍କୁ ହରାଇ ପାକ୍ବିଓ ସବୁଠୁ ବୟୋଜ୍ୟଷ୍ଠ ୱାଲଟର୍‌ୱେଟ୍ ବିଜେତା ହୋଇଛନ୍ତି। ୪୦ ବର୍ଷୀୟ ପାକ୍ବିଓ ନିଜଠାରୁ ୧୦ ବର୍ଷ ସାନ ଥୁର୍ମାନଙ୍କୁ ୧୪,୩୫୬ ପ୍ରଶଂସକଙ୍କ ସମ୍ମୁଖରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ତାଙ୍କୁ ଧରାଶାୟୀ କରିଦେବା ପରେ ସମ୍ପୂର୍ଣ୍ଣ ୧୨ ରାଉଣ୍ଡ୍ ଧରି ଆଧିପତ୍ୟ ବିସ୍ତାର କରିଥିଲେ। ରକ୍ତାକ୍ତ ଥୁର୍ମାନ କିନ୍ତୁ ସହଜରେ ହାର ମାନି ନଥିଲେ। ଦୁଇ ଜଣ ବିଚାରକ ପାକ୍ବିଓଙ୍କ ସପକ୍ଷରେ ୧୧୫-୧୧୨ ସ୍କୋର୍ ପ୍ରଦାନ କରିଥିବା ବେଳେ ଅନ୍ୟ ଜଣେ ୧୧୪-୧୧୩ ଦେଇଥିଲେ। ବିଜୟ ନିଶ୍ଚିତ ହେବା ପରେ ପାକ୍ବିଓଙ୍କ ପ୍ରଶଂସକମାନେ ଏମଜିଏମ୍‌ ଗ୍ରାଣ୍ଡ ଗାର୍ଡେନ୍‌ ଆରେନାରେ ଉଲ୍ଲସିତ‌ ହୋଇଉଠିଥିଲେ। ଲଢ଼େଇ ପୂର୍ବରୁ ପାକ୍ବିଓଙ୍କୁ ହରାଇ ଅବସର ପାଇଁ ବାଧ୍ୟ କରିବେ ବୋଲି ଥୁର୍ମାନ ରଖିଥିବା ଆହ୍ବାନ ନିଷ୍ଫଳ ଯାଇଥିଲା। ଏହି ପ୍ରଦର୍ଶନ ସହିତ ପାକ୍ବିଓଙ୍କ ମୁଷ୍ଟି‌ଯୁଦ୍ଧ ଜୀବନ ପ୍ରଦର୍ଶନ ସଂଖ୍ୟା ୬୨-୭-୨ରେ ପହଞ୍ଚିଛି। ଏହା ମଧ୍ୟରେ ୩୯ ନକ୍ ଆଉଟ୍‌ ବିଜୟ ରହିଛି। ଶନିବାରର ବିଜୟ ସହିତ ପାକ୍ବିଓ ମଧ୍ୟ ପ୍ରାୟ ୨୦ ନିୟୁତ ଡଲାର ଉପାର୍ଜନ କରିଛନ୍ତି। ଫିଲିପାଇନ୍ସ ଫେରି ସେ ଏବେ ନିଜ ସିନେଟର୍ କାମ ଆରମ୍ଭ କରିବେ ବୋଲି ପାକ୍ବିଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର