ଓଡ଼ିଶା ଏଫ୍‌ସି ଗଠନ ପରେ ଅନେକ ଶୁଭମ୍‌ ସୃଷ୍ଟି ହେବେ: ‌ଯୋଶେପ

ଭୁବନେଶ୍ବର: ହକିରେ କଳିଙ୍ଗ ଲାନ୍‌ସର୍ସ ଭଳି ଫୁଟ୍‌ବଲ୍‌ରେ ଓଡ଼ିଶାକୁ ମିଳିଛି ‘ଓଡ଼ିଶା ଏଫ୍‌ସି’ ଦଳ। ପେସାଦର ଲିଗ୍ ଆଇଏସଏଲ୍‌ରେ ଚଳିତ ଋତୁଠାରୁ ହିଁ ଏହି ଦଳ ତା’ର ଅଭିଯାନ ଆରମ୍ଭ କରିବ। ଭୁବନେଶ୍ବର ଭିତ୍ତିକ ଦଳ ‘ଓଡ଼ିଶା ଏଫ୍‌ସି’ କଳିଙ୍ଗ ଷ୍ଟାଡିୟମକୁ ତା’ର ଘରୋଇ ପଡ଼ିଆ କରିଛି। ତା’ ସହ ଓଡ଼ିଶା ଫୁଟ୍‌ବଲ୍‌ରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସ୍ଥାନୀୟ ଫୁଟବଲ୍ ପ୍ରେମୀ ପ୍ରଥମ ଥର ଲାଗି ଏକ ପେସାଦାର ଲିଗ୍‌ରେ ଓଡ଼ିଶାର ଏକ ଦଳ ଖେଳୁଥିବା ଦେଖିବାକୁ ଯାଉଛନ୍ତି। ରାଜ୍ୟ ଫୁଟ୍‌ବଲ୍‌କୁ ଏହା ନୂଆ ମୋଡ଼ ଦେବ ବୋଲି ମଧ୍ୟ ଆଶା କରାଯାଉଛି।
ନୂଆ ନାଁ, କୋଣାର୍କ ଚକ ଥିବା ନୂଆ ଲୋଗୋ ଏବଂ ନୂତନ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବା ‘ଓଡ଼ିଶା ଏଫ୍‌ସି’ର ସ୍ପେନୀୟ ପ୍ରଶିକ୍ଷକ ଯୋଶେପ ଗମ୍ବାଉ ଏବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଇଏସ୍‌ଏଲ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ପରଖିବା ଲାଗି ସେ ଆସିଛନ୍ତି। ‘ଓଡ଼ିଶା ଏଫ୍‌ସି’ ଗଠନ ହେବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ବର ଆସିଥିବା ଯୋଶେପ ମଙ୍ଗଳବାର ଦଳର ଭବିଷ୍ୟତ ଯୋଜନା, ଲକ୍ଷ୍ୟ ଏବଂ ରଣନୀତି ନେଇ ବିସ୍ତୃତ ବିବରଣୀ ଦେଇଥିଲେ।
ପ୍ରଶ୍ନ: ଆଇଏସ୍‌ଏଲ୍‌ର ପାଞ୍ଚ ଋତୁ ପରେ ଦିଲ୍ଲୀ ଡାଇନାମସ୍‌ର ନାଁ ବଦଳି ‘ଓଡ଼ିଶା ଏଫ୍‌ସି’ହୋଇଛି, ଏଥିନେଇ ‌ଖେଳାଳିଙ୍କ ପ୍ରତିକ୍ରିୟା କିଭଳି ଥିଲା। ଦିଲ୍ଲୀ ଭିତ୍ତିକ ଦଳ ଭୁବନେଶ୍ବରକୁ ଘର କରିବା କେତେ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଭାବୁଛନ୍ତି?
ଯୋଶେପ: ସୋମବାର ଏଠାରେ ପହଞ୍ଚିବା ପରେ ମୋତେ ମିଳିଥିବା ସ୍ବାଗତ ସମ୍ବର୍ଧନା ନେଇ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଧନ୍ୟବାଦ ଦେବି। ନାମ ପରିବର୍ତନ ନେଇ ଆମ ଦଳର ସବୁ ଖେଳାଳି ବେଶ୍ ଉତ୍ସାହିତ ଏବଂ ଖୁସି ଅଛନ୍ତି। ଭଲ କଥା ହେଲା ନାଁ ବଦଳି ଥିଲେ ମଧ୍ୟ ଆମ ଦଳରେ କୌଣସି ବଡ଼ ଧରଣର ଅଦଳବଦଳ ହୋଇନି। ଏହାର ସକାରାତ୍ମକ ପ୍ରଭାବ ‌ଆମ ଖେଳ ଉପରେ ପଡ଼ିବ ବୋଲି ଭାବୁଛି। ଭୁବନେଶ୍ବର ଆମ ପାଇଁ ଭାଗ୍ୟଶାଳୀ ହେବ ବୋଲି ଆଶା କରୁଛି। ଆମେ ଗତ ଋତୁଠାରୁ ଏଥର ଭଲ କରିବୁ ବୋଲି ବିଶ୍ବାସ ଅଛି।
ପ୍ରଶ୍ନ: କଳିଙ୍ଗ ଷ୍ଟାଡିୟମ୍‌ର ଭିତ୍ତିଭୂମିକୁ ନେଇ ଆପଣ କ’ଣ କହିବେ, ପେସାଦାର ଫୁଟ୍‌ବଲ୍ ପାଇଁ ଏହା କେତେଦୁର ଉପଯୋଗୀ ବୋଲି ଭାବୁଛନ୍ତି?
ଯୋଶେପ: ମୁଁ ଏବେ ସବୁ କିଛି ବୁଲି ଦେଖିନି। ତଥାପି କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ଉଚ୍ଚକୋଟୀର ବୋଲି କହିବି। ଫୁଟବଲ୍ ପାଇଁ କିନ୍ତୁ ଆଉ କିଛିଟା କାମ କରିବାକୁ ପଡ଼ିବ। ଅଭ୍ୟାସ ପଡ଼ିଆ ଆମ ପାଇଁ ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ। ଏହା ବିଶ୍ବସ୍ତରୀୟ ହେବା ଦରକାର। କଳିଙ୍ଗ ଷ୍ଟାଡିୟମରେ ଅବଶ୍ୟ ଏବେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଏଠାରେ ଆଗକୁ ଭାରତ-କାତାର ଅନ୍ତର୍ଜାତୀୟ ମ୍ୟାଚ୍ ସହ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ମ୍ୟାଚ୍ ହେବ ବୋଲି ଶୁଣିଛି। ଏଣୁ ଆମେ ଏଠାରେ ମ୍ୟାଚ୍ ଖେଳିବା ପୂର୍ବରୁ ସବୁକିଛି ଠିକ୍ ହୋଇ ଯାଇଥିବ ବୋଲି ଭାବୁଛି। ପଡ଼ିଆ ସହ ଆମକୁ ଖେଳାଳିଙ୍କ ରହିବା ଏବଂ ସେମାନଙ୍କ ପିଲାଙ୍କ ପଢ଼ିବା ବ୍ୟବସ୍ଥାକୁ ମଧ୍ୟ ନଜରରେ ରଖିବାକୁ ହେବ। କାରଣ ଖେଳାଳିମାନେ ଏଣିକି ଭୁବନେଶ୍ବରରେ ପାଖାପାଖି ୬-୭ ମାସ କଟାଇବେ।
ପ୍ରଶ୍ନ: ଓଡ଼ିଶାରେ ହକି ଏବଂ କ୍ରିକେଟ୍ ତୁଳନାତ୍ମକ ଭାବେ ଅଧିକ ଲୋକପ୍ରିୟ, ଏଠାରେ ଫୁଟ୍‌ବଲର ଲୋକପ୍ରିୟତା ବଢ଼ାଇବା ଲାଗି କିଛି ସ୍ବତନ୍ତ୍ର ଯୋଜନା ରଖିଛନ୍ତି କି?
ଯୋଶେପ: ହଁ ଏକଥା ମୁଁ ଜାଣିଛି। ଆମ ଦଳର ଲକ୍ଷ୍ୟ କିନ୍ତୁ ଫୁଟବଲ୍ ଏବଂ ଫୁଟବଲ ଖେଳାଳିଙ୍କ ବିକାଶ ରହିବ। ଏଣୁ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କୁ କ୍ରିକେଟ୍ ଓ ହକି ଭଳି ଫୁଟ୍‌ବଲକୁ ମଧ୍ୟ ଭଲ ପାଇବା ଦେବାକୁ ମୁଁ ଆହ୍ବାନ କରିବି।
ପ୍ରଶ୍ନ: ଦିଲ୍ଲୀ ଦଳରେ ଥିବା ଦୁଇ ଜଣ ଓଡ଼ିଆ ଖେଳାଳି ଶୁଭମ୍ ଷଡ଼ଙ୍ଗୀ ଏବଂ ଅଙ୍କିତ ଭୂୟାଁଙ୍କୁ ଆପଣ କିଭଳି ଭାବେ ଆକଳନ କରିବେ?
ଯୋଶେପ: ଦୁଇ ଜଣ ଯାକ ଯୁବ ଖେଳାଳି, ଶୁଭମ୍ ୧୦ରୁ ୧୨ ଆଇଏସଏଲ୍ ମ୍ୟାଚ୍ ଖେଳି ସାରିଲେଣି। ତାଙ୍କ ଉପରେ ଦଳର ଢେର ଭରସା ରହିଛି। ଆମେ ତାଙ୍କ ଦକ୍ଷତାକୁ ଆହୁରି ଶାଣିତ କରୁଛୁ। ଅଙ୍କିତଙ୍କୁ ମାତ୍ର ୧୭ ବର୍ଷ, ସେ ଜଣେ ପ୍ରତିଭାଶାଳୀ ଏବଂ ଉଦୀୟମାନ ଗୋଲରକ୍ଷକ। ଉଚ୍ଚତା ଓ ବଳିଷ୍ଠ ଚେହେରା ତାଙ୍କର ସକାରାତ୍ମକ ଦିଗ। ହେଲେ ଆମେ ତାଙ୍କୁ ଏବେ ସଂରକ୍ଷିତ ଗୋଲ୍ ରକ୍ଷକ ଭାବେ ନେଉଛୁ। ତାଙ୍କ ପାଖରେ ବହୁତ ସମୟ ଅଛି। ସେ ନିଶ୍ଚିତ ଭାବେ ଆଗକୁ ଭଲ କରିବେ।
ପ୍ରଶ୍ନ: ଆଇଏସ୍‌ଏଲ୍‌ର ଗତ ଋତୁରେ ଦିଲ୍ଲୀ ଡାଇନାମସ୍ ଅଷ୍ଟମ ସ୍ଥାନରେ ରହିଥିଲା। ଏଥର ଓଡ଼ିଶା ଏଫ୍‌ସି ତା’ଠାରୁ ଉଚ୍ଚ ସ୍ଥାନ ଅଧିକାର କରିବ ବୋଲି ଭାବୁଛନ୍ତି କି?
ଯୋଶେପ: ଆମ ପାଖରେ ବହୁତ ଭଲ ଖେଳାଳି ଅଛନ୍ତି। ବିଦେଶୀ ଖେଳାଳିଙ୍କ ସହ ଘରୋଇ ଖେଳାଳିଙ୍କ ଆତ୍ମବିଶ୍ବାସ ମଧ୍ୟ ଢେର ଉଚ୍ଚରେ ରହିଛି। ଚଳିତ ଋତୁରେ ଆମେ ପୂର୍ବଋତୁ ଅପେକ୍ଷା ନିଶ୍ଚିତ ଭାବେ ଭଲ କରିବୁ ବୋଲି ଭାବୁଛି।
ପ୍ରଶ୍ନ: ‘ଓଡ଼ିଶା ଏଫ୍‌ସି’ର ଗଠନ ପରେ ଓଡ଼ିଶା କ୍ରୀଡ଼ାରେ କିଭଳି ପରିବର୍ତନ ଆସିବ ବୋଲି ଭାବୁଛନ୍ତି?
ଯୋଶେପ: ଅନେକ କିଛି ବଦଳିବ। ଏଠାରୁ ଆହୁରି ଅନେକ ଶୁଭମ୍ ଷଡ଼ଙ୍ଗୀ ସୃଷ୍ଟି ହେବେ। ଫୁଟବଲ୍ ପ୍ରତି ଭଲ ପାଇବା ମଧ୍ୟ ଯଥେଷ୍ଟ ବଢ଼ିବ। ଓଡ଼ିଶାରେ ଫୁଟ୍‌ବଲକୁ ଅଧିକ ଲୋକପ୍ରିୟ କରିବା ଲାଗି ଆମେ ମଧ୍ୟ ସ୍କୁଲ୍, କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବୁ। ତୃଣମୂଳ ସ୍ତରରୁ ଫୁଟ୍‌ବଲର ବିକାଶ ଲାଗି ଚେଷ୍ଟା କରିବୁ। ଗତବର୍ଷ ଆମେ ବହୁତ ଗୋଲ୍ ବରଣ କରିଥିଲୁ। ୧୭ ଦିନରେ ୬ ମ୍ୟାଚ୍ ଖେଳିଥିଲୁ। ଏଥର ଏହି ଦୁର୍ବଳତା ଦୂର କରିବାକୁ ଚେଷ୍ଟା କରିବୁ। ଆମେ କେତେକ ଭଲ ମ୍ୟାଚ୍ ମଧ୍ୟ ଜିତିଥିଲୁ। ସାହାଯ୍ୟ ଏବଂ ସମର୍ଥନ ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି।

ସମ୍ବନ୍ଧିତ ଖବର