ଭବିଷ୍ୟତ ବିଶ୍ବକପ୍‌ ତାରକା

ଲଣ୍ଡନ୍‌: ବିଶ୍ବକପ୍‌ର ଆଗାମୀ ସଂସ୍କରଣ‌ ୨୦୨୩ ମସିହାରେ ଭାରତରେ ଆୟୋଜିତ ହେବ। ୨୫ ଜଣ ଯୁବ ଖେଳାଳିଙ୍କ ମଧ୍ୟରୁ ଆଗାମୀ ବିଶ୍ବକପ୍‌ରେ ବଡ଼ ଭୂମିକା ତୁଲାଇବାର ସମ୍ଭାବନା ଥିବା ୧୧ ଜଣଙ୍କୁ ନେଇ ଭବିଷ୍ୟତ ଏକାଦଶ ବଛାଯାଇଛି। ଏଥିରେ ପାକିସ୍ତାନ ଓ ୱେଷ୍ଟ୍‌ଇଣ୍ଡିଜ୍‌ରୁ ୩ ଲେଖାଏଁ ଏବଂ ବାଂଲାଦେଶ, ଇଂଲଣ୍ଡ, ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ଭାରତର ଜଣେ ଲେଖାଏଁ ରହିଛନ୍ତି। ଇମାମ-ଉଲ୍‌-ହକ୍‌ (ପାକିସ୍ତାନ): ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବିଶ୍ବକପ୍‌ରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ସେ ୮ ମ୍ୟାଚ୍‌ ଖେଳି ୩୦୫ ରନ୍‌ ସଂଗ୍ରହ କରିଛନ୍ତି। ଅଭିସ୍କା ଫର୍ନାଣ୍ଡୋ (ଶ୍ରୀଲଙ୍କା): ‌ଫର୍ନାଣ୍ଡୋ ଚଳିତ ବିଶ୍ବକପ୍‌ରେ ୪ ମ୍ୟାଚ୍‌ ‌ଖେଳି ୨୦୩ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ।

ବାବର ଆଜମ (ପାକିସ୍ତାନ): ବାବର ଆଜମଙ୍କ ବ୍ୟାଟିଂ ପାଇଁ ପାକିସ୍ତାନର ସେମିଫାଇନାଲ୍‌ ଖେଳିବା ଅଶା ବଢ଼ିଥିଲା। ଘରୋଇ ପରିବେଶ ଅନୁଭବ ହେଉଥିବା ଭାରତରେ ୨୦୨୩ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ସେ ହିଁ ପାକିସ୍ତାନର ନେତୃତ୍ବ ନେବାର ସମ୍ଭାବନା ରହିଛି। ସେ ୮ ମ୍ୟାଚ୍‌ ଖେଳି ୪୭୪ ରନ୍‌ କରିଥିଲେ। ସାଇ ହୋପ୍‌, ୱେଷ୍ଟ୍‌ଇଣ୍ଡିଜ୍‌ (ଅଧିନାୟକ, ୱିକେଟ୍‌ରକ୍ଷକ): ‌‌ୱେଷ୍ଟ୍‌ଇଣ୍ଡିଜ୍‌ର ସେ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଯିଏ ୩ ନମ୍ବର ସ୍ଥାନରେ ସ୍ଥିର ତଥା ସଂଗତିପୂର୍ଣ୍ଣ ପ୍ରଦର୍ଶନ ଦେଇଥିଲେ। ତାଙ୍କ ପାଖରେ ମଧ୍ୟ ନେତୃତ୍ବ ନେବାର ଗୁଣ ରହିଛି। ବୋଲରମାନଙ୍କୁ ସେ ‌ୱିକେଟ୍‌ ପଛରେ ରହି ପଥ ପ୍ରଦର୍ଶନ ଦେଇଥାନ୍ତି। ସେ ୯ ମ୍ୟାଚ୍‌ରୁ ୨୭୪ ରନ୍‌ କରିଥିଲେ।

ସିମ୍ରନ ହେଟମେୟର (ୱେଷ୍ଟ୍‌ଇଣ୍ଡିଜ୍‌): ସିମ୍ରନଙ୍କ ପାଖରେ ଥିବା ଲୁକ୍‌କାୟିତ ଗୁଣ ହିଁ ଆଗାମୀ ବିଶ୍ବକପ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ପାଇଁ ଗୁରୁତ୍ବ ଭୂମିକା ତୁଲାଇବ। ବିଦାୟୀ ବିଶ୍ବକପ୍‌ରେ ସେ ୯ ମ୍ୟାଚ୍‌ରୁ ୨୫୭ ରନ୍‌ କରିଛନ୍ତି।

ନିକୋଲାସ ପୁରନ (ୱେଷ୍ଟଇଣ୍ଡିଜ୍‌): ଏହି ବାମହାତୀ ଖେଳାଳି ଦଳ ଉପରେ ଚାପ ଥିଲା ବେଳେ ଅଭିଜ୍ଞ ଖେଳାଳି ଭଳି ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ପରିସ୍ଥିତିରେ ଭଲ କରିଥିବା ପୁରନ ପରବର୍ତୀ ବିଶ୍ବକପ୍‌ରେ ଦଳ ପାଇଁ ଉପଯୋଗୀ ରହିବେ। ସେ ୯ ମ୍ୟାଚ୍‌ରୁ ୩୬୭ ରନ୍‌ କରିଛନ୍ତି।

ଋଷବ ପନ୍ତ (ଭାରତ): ଚଳିତ ବିଶ୍ବକପ୍‌ରେ ଅଭିଜ୍ଞତା ହାସଲ କରିଛନ୍ତି ଋଷବ ପନ୍ତ୍‌। ଅଫ୍‌ସାଇଡ୍‌ ଗେମ୍‌ରେ ଅଧିକ ପାରିଦର୍ଶିତା ହାସଲ ପାଇଁ ତାଙ୍କ ପାଖରେ ଆହୁରି ୪ ବର୍ଷ ରହିଛି। ଏଥିରେ ଉନ୍ନତି ଆଣିବ‌ାର ଆଶା ରଖିଛନ୍ତି ୪ ବିଶ୍ବକପ୍‌ ମ୍ୟାଚ୍‌ ଖେଳି ୧୧୬ ରନ୍‌ କରିଥିବା ପନ୍ତ।

ମହମ୍ମଦ ସାଇଫୁଦ୍ଦିନ୍‌ (ବାଂଲ‌ାଦେଶ): ସକିବ ଅଲ୍‌ ହାସନଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏହି ଯୁବ ଅଲ୍‌ରାଉଣ୍ଡର। ସେ ୭ ମ୍ୟାଚ୍‌ରୁ ୮୭ ରନ୍‌ କରିବା ସହ ୧୩ ଓ୍ବିକେଟ୍‌ ଦଖଲ କରିଛନ୍ତି।
ଜୋଫ୍ରା ଆର୍ଚର (ଇଂଲଣ୍ଡ): ବ୍ୟାଟ୍ସମ୍ୟାନ୍‌ଙ୍କୁ ଉଭୟ ପେସ୍‌ ଓ ବାଉନ୍ସରେ ଅଡ଼ୁଆରେ ପକାଉଥିବା ଆର୍ଚର ଆଗାମୀ ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ପ୍ରମୁଖ ଭୂମିକା ତୁଲାଇବେ। ସେ ୧୧ ମ୍ୟାଚ୍‌ରୁ ୧୯ ୱିକେଟ୍‌ ଅକ୍ତିଆର କରିଥିଲେ।

ସାହିନ ଆଫ୍ରିଦି (ପାକିସ୍ତାନ): ୱାସିମ ଆକ୍ରମ ଓ ମହମ୍ମଦ ଆମିରଙ୍କ ଭଳି ‌ଆଫ୍ରିଦି ଉଭୟ ଦ୍ରୁତ ବୋଲିଂ ସାଙ୍ଗକୁ ସ୍ବିଙ୍ଗ୍‌ କରିବାରେ ମାହିର। ସେ ୫ ମ୍ୟାଚ୍‌ ‌ଖେଳି ୧୬ ୱିକେଟ୍‌ ପାଇଥିଲେ।
ରସିଦ ଖାନ୍‌ (ଆଫ୍‌ଗାନିସ୍ତାନ): ଏହି ଲେଗ୍‌ ସ୍ପିନର ପରବର୍ତ୍ତି ବିଶ୍ବକପ୍‌ରେ ଗୁରୁତ୍ବ ଭୂମିକା ନେବେ। ଏହି ଚାରି ବର୍ଷର ବ୍ୟବଧାନ ମଧ୍ୟରେ ନିଜର ବୋଲିଂକୁ ଆହୁରି ଶାଣିତ କରିନେବାର ଆଶା ରଖିଛନ୍ତି। ସେ ୯ ମ୍ୟାଚ୍‌ରୁ ୬ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର