ଫେଡେରେସନ୍‌ କପ୍‌ ଦୌଡ଼କୁଦ, ଦୂତିଙ୍କ ସ୍ବର୍ଣ୍ଣ ଅମଳ ଜାରି, ଜଉନାଙ୍କୁ କାଂସ୍ୟ

କଟକ: ପାତିଆଲାସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନ (ଏନଆଇଏସ୍)ରେ ଆୟୋଜିତ ଫେଡେରେସନ୍‌ କପ୍‌ ବରିଷ୍ଠ ଦୌଡ଼କୁଦରେ ଓଡ଼ିଆ ତାରକା ଦୂତି ଚାନ୍ଦ ମହିଳା ୨୦୦ ମିଟରରେ ସୂର୍ଣ୍ଣ ପଦକ ଜିତିଛନ୍ତି। ଇଣ୍ଡିଆନ୍ ଗ୍ରାଁପ୍ରିର ପ୍ରଥମ ଦୁଇ ରାଉଣ୍ଡରେ ଦୁଇଟି ସ୍ବର୍ଣ୍ଣ ଜିତିଥିବା ଦୂତିଙ୍କର ଚଳିତ ଋତୁର ଏହା ତୃତୀୟ ସ୍ବର୍ଣ୍ଣ ପଦକ ହୋଇଛି। ତାଙ୍କ ପଛକୁ ତାମିଲନାଡୁର ରେବତି ଭି ୨୩.୮୦ ସେକେଣ୍ତ ଓ ଧନଲକ୍ଷ୍ମୀ ଏସ୍‌ ୨୪.୦୫ ସେକେଣ୍ତ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ କା˚ସ୍ୟ ପଦକ ଜିତିଥିଲେ। ଦୂତି ରବିବାର ୧୦୦ ମିଟର ହିଟ୍‌ରେ ଅବତୀର୍ଣ୍ଣ ହେବେ। ସେଥିପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ତାଙ୍କ ପାଖରେ ଯୁଗଳ ସ୍ବର୍ଣ୍ଣ ସାଉଣ୍ଟିବାର ସୁଯୋଗ ରହିଛି। ଏହି ସଫଳତା ପରେ ସହଯୋଗ ଓ ସମର୍ଥନ ପାଇଁ ଦୂତି ପ୍ରଶିକ୍ଷକ ଏନ୍ ରମେଶ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଗୋପୀଚାନ୍ଦ ଏକାଡେମି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ୪୦୦ ମିଟର ମହିଳା ବାଧାଦୌଡ଼ରେ ଅନ୍ୟତମ ଓଡ଼ିଶା ତାରକା ଜଉନା ମୁର୍ମୁ ୫୭.୮୫ ସେକେଣ୍ଡ ସମୟ ସହ କାଂସ୍ୟ ପଦକ ହାସଲ କରିଛନ୍ତି। ତେବେ ସେ କାତାରର ‌ଦୋହାଠାରେ ଆୟୋଜିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଏହି ଇଭେଣ୍ଟରେ ଯୋଗ୍ୟତା ସମୟ ୫୭.୫୦ ସେକେଣ୍ତ ରହିଥିଲା ବେଳେ ପ୍ରଥମ ଦୁଇଜଣ କିନ୍ତୁ ଏହାକୁ ପାର‌୍‌ କରିଯାଇଥିଲେ। ହେଲେ ଜଉନା .୦୮ ସେକେଣ୍ଡ ଅଧିକ ସମୟ ନେଇଥିବାରୁ ଏସୀୟ ଯୋଗ୍ୟତା ହରାଇଥିଲେ। ଏହି ଇଭେଣ୍ଟରେ ଗୁଜୁରାଟର ସରିତାବେନ୍‌ ଗାଏକଵାର୍ଡ ୫୭.୨୧ ସେକେଣ୍ତ ସହ ନୂତନ ମିଟ୍‌ କୀର୍ତ୍ତିମାନ ଏବ˚ କର୍ଣ୍ଣାଟକର ଅର୍ପିତା ଏମ୍‌ ୫୭.୪୫ ସେକେଣ୍ତ ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସାଙ୍ଗକୁ ଏସୀୟ ଯୋଗ୍ୟତା ହାସଲ କରିଥିଲେ। ଏବେ ଓଡ଼ିଶାର ଉପରୋକ୍ତ ଦୁଇ କ୍ରୀଡ଼ାବିତ୍‌ ସେମାନଙ୍କର ସ୍ପଳ୍ପ ଦୂରତା ଇଭେଣ୍ଟରେ ଏସୀୟ ଯୋଗ୍ୟତା ପାଇବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ପୁରୁଷ ଜାଭେଲିନ୍‌ରେ କିଶୋର କୁମାର ଜେନା ଫାଇନାଲ୍‌ରେ ପ୍ରବେଶ କରିଥିଲେ ବି ଶ୍ରେଷ୍ଠ ୮ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିନଥିଲେ। ରବିବାର ୧୦୦ ମିଟର ହିଟ୍ସରେ ଦୂତି ଓ ସୋମବାର ୪୦୦ ମିଟର ଦୌଡ଼ର ଫାଇନାଲ୍‌ରେ ଜଉନା ପ୍ରତିଦ୍ବନ୍ଦିତା କରିବେ। ଏଥିସହିତ ରବିବାର ମହିଳା ହେପ୍ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌, ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞାପ୍ରଶାନ୍ତି ସାହୁ, ୧୦୦ ମିଟର ପୁରୁଷ ଦୌଡ଼ରେ ଅମୀୟ କୁମାର ମଲ୍ଲିକ, ଲମ୍ବଡିଆଁରେ ଆଶିଷ କୁମାର ପାତ୍ରଙ୍କ ଇଭେଣ୍ଟ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର