ଫେଡେରେସନ୍ କପ୍‌ରେ ଦୂତି ଆକର୍ଷଣ

ଭୁବନେଶ୍ବର: ଶୁକ୍ରବାରଠାରୁ ପାତିଆଲାର ଜାତୀୟ କ୍ରୀଡ଼ା ସଂସ୍ଥାନ (ଏନ୍‌ଆଇଏସ୍‌)ଠାରେ ୨୩ତମ ଫେଡେରେସନ୍ କପ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବ। ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା‌ରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଦୂତିଙ୍କ ଛଡ଼ା ଅମୀୟ ମଲ୍ଲିକ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମଙ୍କ ଭଳି ଖେଳାଳି ମଧ୍ୟ ଓଡ଼ିଶା ଅଭିଯାନରେ ସା‌ମିଲ ରହିବେ। ଦୂତି ମହିଳା ୧୦୦ ଓ ୨୦୦ ମିଟର, ଅମୀୟ ପୁରୁଷ ୧୦୦ ଓ ୨୦୦ ମିଟର, ପୂର୍ଣ୍ଣିମା ହେପ୍ଟାଥଲନ, ଜଉନା ୪୦୦ ମିଟର ଓ ୪୦୦ ମିଟର ବାଧାଦ‌ୌଡ଼ରେ ନିଜ ନିଜ କମାଲ ଦେଖାଇବାକୁ ଚେଷ୍ଟା କରିବେ। ତା’ ସହ ଲମ୍ବଡିଆଁରେ ଆଶିଷ କୁମାର ପାତ୍ର, ଜାଭେଲିନରେ ଚିନ୍ମୟ ରଞ୍ଜନ ଜେନା, କିଶୋର କୁମାର ଜେନା ଓ ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ପ୍ରକାଶ ସାହୁ ପଦକ ଜିତିବା ପ୍ରଚେଷ୍ଟା କରିବେ। ଦୂତି ଶୁକ୍ରବାର ସକାଳେ ୨୦୦ ମିଟର ହିଟ୍‌ ଏବଂ ୧୭ ତାରିଖରେ ୧୦୦ ମିଟର ହିଟ୍‌ରେ ଅବତୀର୍ଣ୍ଣ ହେବେ। ଏହା ପୂର୍ବରୁ ପାତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧‌ର ୧୦୦ ମିଟରରେ ଦୂତି ସ୍ବର୍ଣ୍ଣ ଜିତିଥିଲେ। ସେହିଭଳି ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୨ର ୨୦୦ ମିଟରରେ ସ୍ବର୍ଣ୍ଣ ଜିତିବା ସହ ଏପ୍ରିଲ ମାସ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କାତାରର ‌ଦୋହାରେ ଖେଳା ଯିବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଅମୀୟ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର