ଆସନ୍ତାକାଲିଠୁ ଭୁବନେଶ୍ୱରରେ ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲର ସହଯୋଗରେ ତଥା ସେଇସିନ୍‌କାନ କରାଟେ ସଂଘ ଆନୁକୁଲ୍ୟରେ ୧୬ ତମ ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା ଶନିବାର ଠାରୁ ସ୍ଥାନୀୟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମରେ ଆରମ୍ଭ ହେବ। ଦୁଇ ଦିବସୀୟ ପ୍ରତିଯୋଗିତାରେ ୧୨ଟି ରାଜ୍ୟରୁ ୬୫୦ ଜଣ ପ୍ରତିଯୋଗି ଭାଗ ନେବେ ବୋଲି ଉତ୍କଳ କରାଟେ ସ୍କୁଲରେ ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ କରାଟେ ସଂଘର ଜଜ, କରାଟେ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ସିହାନ ପ୍ରେମଜିତ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଦେଶର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ଆୟୋଜନ କରାଗଲେ ପ୍ରତିଯୋଗିମାନଙ୍କ ଦକ୍ଷତାରେ ଉନ୍ନତି ହେବ।

କାରାଟେ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଉପ-ସଭାପତି ଡଃ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି, ପ୍ରତିଯୋଗିତାରେ ଓଡ଼ିଶାରୁ ୨୨୦ ଜଣ ପ୍ରତିଯୋଗୀ ଭାଗ ନେବେ। ସବ୍‌ଜୁନିୟର, କ୍ୟାଡେଟ୍‌, ଜୁନିୟର ଓ ସିନିୟର ବିଭାଗର ବାଳକ, ବାଳିକା, ପୁରୁଷ ଓ ମହିଳା ପ୍ରତିଯୋଗିତା ହେବ।

ପ୍ରତିଯୋଗିତାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଗନେବା ସହ ଜାତୀୟ ଓ ଏସୀୟ କରାଟେର ବିଚାରକ ମଣ୍ଡଳି ଦ୍ୱାରା ପରିଚାଳନା ହେବ। ସାମ୍ବାଦିକ ସମ୍ମିଳନୀରେ ଆସିଆନ କରାଟେ ଫେଡେରେସନର ଜଜ ସେନସେଇ ବାଳକୃଷ୍ଣ ଜମାନି ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର