ପ୍ରି-କ୍ୱାର୍ଟରରେ ଫେଡେରର୍‌, ଜୋକୋଭିକ୍‌, ସାରାପୋଭା 

କେର୍ବର, କ୍ୱିତୋଭା,  କାରୋଲିନେ, ଓସ୍ତାପେଙ୍କୋ ବିଦା

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାରେ ଶନିବାର ମହିଳା ଏକକ ବର୍ଗରେ ଚାରିଟି ବିପର୍ଯ୍ୟୟ ଘଟିଥିଲା ବେଳେ ପୁରୁଷ ବର୍ଗରେ ରୋଜର ଫେଡେରର୍‌ (ଦ୍ୱିତୀୟ) ଓ ନୋଭାକ୍‌ ଜୋକୋଭିକ୍‌ (ଷଷ୍ଠ) ମାନ୍ୟତା ମୁତାବକ ପ୍ରଦର୍ଶନ ଜାରି ରଖି ପ୍ରିକ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୁରୁଷ ଏକକ ତୃତୀୟ ପର୍ଯ୍ୟାୟରେ ୫ ଥର ବିଜେତା ସ୍ୱିଜରଲାଣ୍ଡ୍‌ ତାରକା ଫେଡେରର୍‌ ସିଧାସଳଖ ୬-୪, ୬-୧ ଓ ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ୍‌ଙ୍କୁ ଏବଂ ଦୁଇ ଥର ବିଜେତା ସର୍ବିଆ ତାରକା ଜୋକୋଭିକ୍‌ ଫ୍ରାନ୍‌ସର ରିଚାର୍ଡ ଗାସ୍‌କ୍ୱେଟ୍‌ଙ୍କୁ ୬-୨, ୬-୩ ଓ ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଗାସ୍‌କ୍ୱେଟ୍‌ଙ୍କ ବିପକ୍ଷରେ ଚତୁର୍ଦଶ ମୁହାଁମୁହିଁରୁ ଜୋକୋଭିକ୍‌ଙ୍କର ଏହା ଥିଲା ତୟୋଦଶ ବିଜୟ। ଉଭୟ ଜୋକୋଭିକ୍‌ ଓ ଫେଡେରର୍‌ ନିଜ ନିଜର ପ୍ରିକ୍ୱାର୍ଟର ଫାଇନାଲ୍‌ ଜିତିଲେ କ୍ୱାର୍ଟର ଫାଇନାଲ୍‌ରେ ଭେଟାଭେଟି ହେବାର ସମ୍ଭାବନା ରହିଛି। ମହିଳା ଏକକରେ ପୂର୍ବତନ ବିଜୟିନୀ ତଥା ଏଠାରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଆଞ୍ଜେଲିକ୍‌ କେର୍ବର ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ ପେଟ୍ରା କ୍ୱିତୋଭା ତୃତୀୟ ରାଉଣ୍ଡ୍‌ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ଚଳିତ ବର୍ଷ ଓ୍ଵିମ୍ବିଲଡନ୍‌ ବିଜେତା ହୋଇଥିବା ଜର୍ମାନି ଲଳନା କେର୍ବର ୟୁଏସ୍‌ ଓପନ୍‌ ଜିତି ଗତ ୨୦ ବର୍ଷ ଭିତରେ ଆମେରିକୀୟ ଓ୍ଵିଲିୟମ୍‌ସ ଭଉଣୀ ସେରେନା ଓ ଭେନସ୍‌ଙ୍କ କୀର୍ତିମାନର ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଥିଲେ। ଗତ ୨୦ ବର୍ଷ ମଧ୍ୟରେ କେବଳ ସେରେନା ଓ ଭେନସ୍‌ ଗୋଟିଏ ଋତୁରେ ଓ୍ଵିମ୍ବିଲଡନ୍‌ ଓ ୟୁଏସ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତିବାର କୀର୍ତିମାନ ଏପର୍ଯ୍ୟନ୍ତ ଅତୁଟ ରଖଛନ୍ତି। ତେବେ କେର୍ବରଙ୍କ ସେହି ଆଶା ଧୂଳିସାତ୍‌ ହୋଇଗଲା। ଶନିବାର ମହିଳା ଏକକ ତୃତୀୟ ରାଉଣ୍ଡ୍‌ରେ ତାଙ୍କୁ ୩-୬, ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରି ସ୍ଲୋଭାକିଆର ଡୋମିନିକା ସିବୁଲ୍‌କୋଭା ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଫଳରେ ଚଳିତ ୟୁଏସ୍‌ ଓପନ୍‌ରେ ବିଶ୍ୱ ମାନ୍ୟତାର ଦୁଇ ଶ୍ରେଷ୍ଠ ସିମୋନା ହାଲେପ୍‌ ଓ କାରୋଲିନେ ଓ୍ଵଜ୍‌ନିଆକିଙ୍କ ପରେ କେର୍ବର ସଅଳ ବିଦାୟ ନେଇଗଲେ। ସେହିପରି ପଞ୍ଚମ ମାନ୍ୟତା କ୍ୱିତୋଭା, ଷଷ୍ଠ ମାନ୍ୟତା କାରୋଲିନେ ଗାର୍ସିଆ ଏବଂ ଦଶମ ମାନ୍ୟତା ଜେଲିନା ଓସ୍ତାପେଙ୍କୋଙ୍କ ପରାଜୟ ଶନିବାରର ଆଉ ତିନିଟିି ବିପର୍ଯ୍ୟୟ ଥିଲା। ଗତବର୍ଷ କ୍ୱାର୍ଟର ଫାଇନାଲ୍‌ ଖେଳିଥିବା ଚେକ୍‌ଗଣରାଜ୍ୟର କ୍ୱିତୋଭା ଶନିବାର ଆର‍୍ୟାନା ସାବଲେଙ୍କାଙ୍କ ନିକଟରୁ ସିଧାସଳଖ ୫-୭ ଓ ୧-୬ ସେଟ୍‌ରେ ହାରି ବିଦାୟ ନେଇଥିଲା ବେଳେ ଫ୍ରାନ୍‌ସ ଲଳନା ଗାର୍ସିଆଙ୍କୁ ୫-୭, ୬-୪ ଓ ୭-୬ ସେଟ୍‌ରେ ପରାସ୍ତ କରି ସ୍ପେନ୍‌ ଲଳନା କାର୍ଲା ସୁଆରେଜ୍‌ ନାଭାରୋ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ପ୍ରିକ୍ୱାର୍ଟର ଫାଇନାଲ୍‌ରେ ଗାର୍ସିଆଙ୍କ ମୁକାବିଲା ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭାଙ୍କ ସହ ହେବ। ସାରାପୋଭା ଶନିବାର ମୁକାବିଲାରେ ପୂର୍ବତନ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଲାଟିଭିଆର ଜେଲେନା ଓସ୍ତାପେଙ୍କୋଙ୍କୁ ସିଧାସଳଖ ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରିଦେଇଛନ୍ତି। ତେବେ ଆମେରିକାର ମାଡିସନ୍‌ କେୟସ, ଜାପାନର ନାଓମି ଓସାକା ନିଜ ନିଜର ବିଜୟ ସହ ପ୍ରିକ୍ୱାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ସମ୍ବନ୍ଧିତ ଖବର