ପ୍ରି-କ୍ୱାର୍ଟରରେ ଫ୍ରାନ୍‌ସ, ଜାପାନ, ହଣ୍ଡୁରାସ୍‌

ଗୌହାଟୀ/କୋଲ୍‌କାତା: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ଗ୍ରୁପ୍‌-ଇ‘ରୁ ଫ୍ରାନ୍‌ସ, ଜାପାନ ଓ ହଣ୍ଡୁରାସ୍‌ ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଗୌହାଟୀର ଇନ୍ଦିରା ଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍‌ସ ୫-୧ ଗୋଲ୍‌ର ବଡ଼ ବ୍ୟବଧାନରେ ହଣ୍ଡୁରାସ୍‌କୁ ପରାସ୍ତ କରି ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିଲା। ପ୍ରଥମାର୍ଧରେ ୩ ଗୋଲ୍‌ ଦେଇଥିବା ଫ୍ରାନ୍‌ସ ଦ୍ୱିତୀୟାର୍ଧରେ ଆଉ ୨ ଗୋଲ୍‌ ଲଦି ଦେଇଥିଲା। ମ୍ୟାଚ୍‌ର ଦଶମ ମିନିଟ୍‌ରେ ମେଜିଆଙ୍କ ଗୋଲ୍‌ ବଳରେ ହଣ୍ଡୁରାସ୍‌ ଆଗୁଆ ରହିଥିଲେ ମଧ୍ୟ ଫ୍ରାନ୍‌ସ ପ୍ରତ୍ୟାବର୍ତନ କରି ଲାଗ ଲାଗ ୫ ଗୋଲ୍‌ କରିଥିଲା। ପ୍ରଥମ ୧୦ ମିନିଟ୍‌ ପରେ ପୂରା ମ୍ୟାଚ୍‌ରେ ଆଧିପତ୍ୟ ଜମାଇଥିବା ଫ୍ରାନ୍‌ସ ପକ୍ଷରୁ ୧୪ ମିନିଟ୍‌ରେ ଓ୍ଵିଲ୍‌ସନ୍‌ ଇସିଡୋର୍‌ ପ୍ରଥମ ଗୋଲ୍‌ କରି ସ୍ଥିତି ସମାନ କରିଦେଇଥିଲେ। ଏହାପରେ ଫ୍ଲିପ୍‌ସ (୨୩ ଓ ୬୪ ମିନିଟ୍‌) କ୍ରମାଗତ ଦୁଇଟି ଗୋଲ୍‌ ଦେଇଥିଲା ବେଳେ ଅମିନେ ଗୌରୀ (୮୬ ମିନିଟ୍‌) ଓ ୟାସିନେ ଆଦ୍‌ଲି (୯୦+୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଫ୍ରାନ୍‌ସକୁ ସହଜ ବିଜୟ ଭେଟି ଦେଇଥିଲେ। ଏଥି ସହିତ ଗ୍ରୁପ୍‌ ପର୍ଯ୍ୟାୟରେ ୩ ମ୍ୟାଚ୍‌ରୁ ୩ ବିଜୟ ପାଇ ଫ୍ରାନ୍‌ସ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ସହ ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା। ପ୍ରି-କ୍ୱାର୍ଟରରେ ଫ୍ରାନ୍‌ସର ମୁକାବିଲା ଗ୍ରୁପ୍‌-ଡି’ର ଦ୍ୱିତୀୟ ସ୍ଥାନ ପାଇଥିବା ସ୍ପେନ୍‌ ସହ ହେବ। ଅନ୍ୟପକ୍ଷରେ ଫ୍ରାନ୍‌ସ ନିକଟରୁ ହାରିବା ସତ୍ତ୍ୱେ ୩ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୨ ପରାଜୟ ସହ ୩ ପଏଣ୍ଟରେ ରହି ହଣ୍ଡୁରାସ୍‌ ଅନ୍ୟତମ ଶ୍ରେଷ୍ଠ ତୃତୀୟ ଦଳ ଭାବେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ପ୍ରି-କ୍ୱାର୍ଟରରେ ହଣ୍ଡୁରାସ୍‌ର ମୁକାବିଲା ଗ୍ରୁପ୍‌-ସି ବିଜେତା ବ୍ରାଜିଲ୍‌ ସହ ହେବ।
ସେହିପରି ଶନିବାର କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ଏହି ଗ୍ରୁପ୍‌ର ଦ୍ୱିତୀୟ ମ୍ୟାଚ୍‌ ଜାପାନ ଓ ନ୍ୟୁ କାଲେଡୋନିଆ ସହ ଅମୀମାଂସିତ ରଖିଛି। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ କିଟୋ ନାକାମୁରା ପ୍ରଥମେ ଗୋଲ୍‌ କରି ଜାପାନକୁ ଅଗ୍ରଣୀ ଦେଇଥିଲା ବେଳେ ୮୩ ମିନିଟ୍‌ରେ ଜେକୋବ୍‌ ଜିନୋଙ୍କ ଗୋଲ୍‌ ନ୍ୟୁ କାଲେଡୋନିଆ ପାଇଁ ସ୍ଥିତି ସମାନ କରିଦେଇଥିଲା। ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହେବାରୁ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ। ଫଳରେ ଜାପାନ ୩ ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତ ବଳରେ ୪ ପଏଣ୍ଟ ପାଇ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନ ପାଇଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଜାପାନର ମୁକାବିଲା ଗ୍ରୁପ୍‌-ଏଫ୍‌ ବିଜେତା ସହ ହେବ। ଅନ୍ୟପକ୍ଷରେ ନ୍ୟୁକାଲେଡୋନିଆ ଗୋଟିଏ ଅମୀମାଂସିତ ଓ ୨ ପରାଜୟ ସହ ମାତ୍ର ୧ ପଏଣ୍ଟରେ ଅଭିଯାନ ଶେଷ କରିଥିଲା। ଏଥି ସହିତ ନ୍ୟୁ କାଲେଡୋନିଆ ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି। ତେବେ ବି ନିଜର ପଦାର୍ପଣ ବିଶ୍ୱକପ୍‌ ଖେଳିଥିବା ନ୍ୟୁକାଲେଡୋନିଆ ପ୍ରଥମ ପଏଣ୍ଟ୍‌ ଅକ୍ତିଆର କରି ଇତିହାସ ରଚିଛି।

ସ୍ତବ୍‌ଲି ପ୍ରଥମ ମହିଳା ରେଫରି

ସ୍ୱିଜରଲାଣ୍ଡ୍‌ର ଇସ୍ତର୍‌ ସ୍ତବ୍‌ଲି ପ୍ରଥମ ମହିଳା ରେଫରି ଭାବେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପରିଚାଳନା କରି ନୂଆ ଅଧ୍ୟାୟ ସଂଯୋଗ କରିଛନ୍ତି। କୋଲ୍‌କାତାର ସଲ୍‌ଟଲେକସ୍ଥିତ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଜାପାନ ବନାମ ନ୍ୟୁ କାଲେଡୋନିଆ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ‘ଇ’ର ଶେଷ ଲିଗ୍‌ ମ୍ୟାଚ୍‌ ପରିଚାଳନା କରି ସ୍ତବ୍‌ଲି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ୩୮ ବର୍ଷୀୟ ସ୍ତବ୍‌ଲିଙ୍କୁ ସାମିଲ କରି ଫିଫା ମଧ୍ୟ ନିଜ ମହିଳା ବିକାଶର ପ୍ରମାଣ ଦେଇଛି।

ସମ୍ବନ୍ଧିତ ଖବର