ଦାଉଦ ଇରାକକୁ ଦେଲେ ବିଜୟ

କୋଲକାତା: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ବୁଧବାର ଖେଳା ଯାଇଥିବା ଚାରିଟି ମ୍ୟାଚ୍‌ରେ ଫ୍ରାନ୍ସ, ଇଂଲଣ୍ଡ, ଇରାକ ଏବଂ ହଣ୍ଡୁରାସ ବିଜୟୀ ହୋଇଛନ୍ତି। ଦୁଇଟି ସଂଧ୍ୟା ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଜାପାନକୁ ଏବଂ ଇଂଲଣ୍ଡ ୩-୨ ଗୋଲ୍‌ରେ ମେକ୍ସିକୋକୁ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ରାତିରେ ଖେଳା ଯାଇଥିବା ଦୁଇଟି ମୁକାବିଲାରେ ହଣ୍ଡୁରସ୍‌ ୫-୦ରେ ନ୍ୟୁ କଲେଡୋନିଆ ଏବଂ ଇରାକ ୩-୦ରେ ଚିଲିକୁ ଚକ୍‌ମା ଦେଇଥିଲା।
କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ପଡ଼ିଆରେ ଖେଳା ଯାଇଥିବା ଇରାକ ଚିଲି ଗ୍ରୁପ୍‌-ଏଫ୍‌ ମ୍ୟାଚ୍‌ରେ ଇରାକ ଏକତରଫା ବିଜୟ ହାସଲ କରିଥିଲା। ଏହି ଏସୀୟ ରାଷ୍ଟ୍ରର ଚମକପ୍ରଦ ବିଜୟରେ ଅଗ୍ରଭାଗ ଖେଳାଳି ମହମ୍ମଦ ଦାଉଦ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଏକାକି ଦୁଇଟି ଗୋଲ୍‌ ଦେଇଥିଲେ। ଇରାକ ତୃତୀୟ ଗୋଲ୍‌ଟି ପ୍ରତିପକ୍ଷ ଖେଳାଳି ଡିଏଗୋ ଭାଲେନସିଆଙ୍କ ଆତ୍ମଘାତୀ ଗୋଲ୍‌ରୁ ପାଇଥିଲା। ଅସଜଡ଼ା ଚିଲି ରକ୍ଷଣଭାଗରୁ ଲାଭ ଉଠାଇ ଦାଉଦ ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ହିଁ ଇରାକକୁ ଆଗୁଆ କରି ଦେଇଥିଲେ। ପ୍ରଥମ ୪୫ ମିନିଟ୍‌ ଖେଳରେ ଉଭୟ ଦଳ ଆଉ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ପ୍ରଥମାର୍ଧ ସୁଦ୍ଧା ଇରାକ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧର ୨୩ ମିନଟ୍‌ରେ ଦାଉଦ ଦ୍ୱିତୀୟ ବାର ସଫଳ ହୋଇଥିଲେ। ଫଳରେ ଇରାକ ସପକ୍ଷରେ ସ୍ଥିତି ୨-୦ ହୋଇଥିଲା। ୮୧ ମିନିଟରେ ଭାଲେନସିଆ ଆତ୍ମଘାତୀ ଗୋଲ୍‌ ଦେବା ପରେ ଇରାକ ୩-୦ରେ ବିଜୟୀ ହୋଇଥିଲା। ଇରାକ ଏବେ ଦୁଇଟି ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ପ୍ରି-କ୍ୱାର୍ଟର ଯିବା ଆଶା ଉଜ୍ଜୀବିତ ରଖିଛି। ମେକ୍ସକୋ ବିପକ୍ଷ ପ୍ରଥମ ମୁକାବିଲାକୁ ଏହି ଦଳ ୧-୧ରେ ଅମୀମାଂସିତ ରଖିଥିଲା।
ପ୍ରି-କ୍ୱାର୍ଟରରେ ଇଂଲଣ୍ଡ
ବୁଧବାରର ଉତ୍କଣ୍ଠପୂର୍ଣ୍ଣ ଗ୍ରୁପ୍‌-ଏଫ୍‌ ମୁକାବିଲାରେ ମେକ୍ସିକୋକୁ ୩-୨ ଗୋଲ୍‌ରେ ପରାସ୍ତ କରି ଇଂଲଣ୍ଡ ଚଳିତ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟବଲର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଧରେ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଦ୍ୱିତୀୟାର୍ଧରେ ମେକ୍ସିକୋ ତାକୁ କଡ଼ା ଟକ୍କର ଦେଇଥିଲା। ପ୍ରଥମ ମ୍ୟାଚ୍‌ରେ ଚିଲିକୁ ୪-୦ ଗୋଲ୍‌ରେ ହରାଇଥିବା ଇଂଲଣ୍ଡ ଏକଦା ୩-୦ରେ ଆଗୁଆ ଥିଲା। ହେଲେ ମେକ୍ସିକୋ ଚମତ୍କାର ପ୍ରତ୍ୟାବର୍ତନ ସହ ୭ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଇଂଲଣ୍ଡକୁ ଅଡ଼ୁଆରେ ପକାଇଥିଲା। ତେବେ ଶେଷ ୧୮ ମିନିଟ୍‌ର ଖେଳରେ ପ୍ରତିପକ୍ଷ ଦଳର ଏକାଧିକ ପ୍ରୟାସକୁ ବିଫଳ କରି ଇଂଲଣ୍ଡ ବିଜୟର ସ୍ୱାଦ ଚାଖିଥିଲା। ପ୍ରଥମାର୍ଧର ଏକମାତ୍ର ଗୋଲ୍‌ ହିଁ ଇଂଲଣ୍ଡକୁ ବିଜୟୀ କରାଇଥିଲା।
କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧର ଏକମାତ୍ର ଗୋଲ୍‌ ଇଂଲଣ୍ଡର ରିଆନ୍‌ ବ୍ରିୟୁଷ୍ଟର ଦେଇଥିଲେ। ୨୬ ଗଜ ଦୂରରୁ ମିଳିଥିବା ଫ୍ରିକିକ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସେ ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ। ଦ୍ୱିତୀୟାର୍ଧରେ କିନ୍ତୁ ଚାରିଟି ଗୋଲ୍‌ ଦେଖିବାକୁ ମିଳିଥିଲା। ଉଭୟ ଇଂଲଣ୍ଡ ଏବଂ ମେକ୍ସିକୋ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଫଳରେ ପ୍ରଥମାର୍ଧରେ ଦେଇଥିବା ଗୋଲ୍‌ ବଳରେ ଇଂଲଣ୍ଡ ଲଗାତାର ଦ୍ୱିତୀୟ ବିଜୟ ସହ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଦ୍ୱିତୀୟାର୍ଧରେ ଇଂଲଣ୍ଡ ପକ୍ଷରୁ ଫିଲିପ ଫୋଡେନ୍‌ (୪୮) ଓ ଜାଡନ ସାଞ୍ଚୋ (୫୫) ଗୋଲ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ମେକ୍ସିକୋ ପାଇଁ ଡିଏଗୋ ଲାନେଜ (୬୫, ୭୨) ଦୁଇଟି ଯାକ ଗୋଲ୍‌ ଦେଇଥିଲେ।

ଗୋଉରିଙ୍କ ଯୁଗଳରେ ଫ୍ରାନ୍ସ ବିଜୟୀ
ଗୌହାଟୀ: ଆମିନେ ଗୋଉରିଙ୍କ ଯୁଗଳ ଗୋଲ୍‌ ବଳରେ ଚଳିତ ଫିଫା ୧୭ ବର୍ଷରୁ କମ୍‌ ଗ୍ରୁପ୍‌-ଇ ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଛି। ତା’ ସହ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ପ୍ରି-କ୍ୱାର୍ଟରରେ ସ୍ଥାନ ପକ୍କା କରି ନେଇଛି। ଗ୍ରୁପ୍‌-ଇ’ରେ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଫ୍ରାନ୍ସ ଗୌହାଟୀରେ ହଣ୍ଡୁରାସକୁ ଏବଂ ଜାପାନ କୋଲକାତାରେ ନ୍ୟୁ କାଲେଡେନିଆକୁ ଭେଟିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଆରମ୍ଭରୁ ଗୋଉରିଙ୍କ ସହ ଭିନସେଣ୍ଟ କୋଲେଟ ଜାପାନ ଉପରେ ଚାପ ସୃଷ୍ଟି କରିଥିଲେ। ହେଲେ ଗୋଉରି ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ। ତ୍ରୟୋଦଶ ମିନିଟ୍‌ରେ ଜାପାନ ଗୋଲ୍‌ ରକ୍ଷକ କୋସେଇ ତାନିଙ୍କ ଦୁଇ ଗୋଡ଼ ଭିତରେ ଥିବା ଫାଙ୍କ ଦେଇ ଗୋଲ୍‌ ପୋଷ୍ଟ ଭିତରକୁ ବଲ୍‌ ପଠାଇଦେବା ସହ ସେ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ଏଥିରେ ଡରି ନଯାଇ ଜାପାନ ତା’ର ସ୍ୱାଭିବିକ ଖେଳ ଖେଳିଥିଲା। ଫଳରେ ପ୍ରଥମାର୍ଧରେ ଫ୍ରାନ୍ସ ଆଉ ଗୋଲ୍‌ କରିବାକୁ ସକ୍ଷମ ହୋଇ ନଥିଲା ହେଲେ ଦ୍ୱିତୀୟାର୍ଧର ୨୬ ମିନିଟ୍‌ରେ ଗୋଉରି ପୁଣି ଥରେ ତାନିଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ବ୍ୟକ୍ତିିଗତ ଭାବେ ଦ୍ୱିତୀୟ ଗୋଲ୍‌ ଦେଇ ସେ ନିଜ ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ। ଦୁଇ ମିନିଟ୍‌ ପରେ ଜାପାନ ତାସେଇ ମିଆସିରୋଙ୍କ ପେନାଲ୍ଟି ଗୋଲ୍‌ ବଳରେ ସେଥି ମଧ୍ୟରୁ ଗୋଟିକୁ ଶୁଝି ଦେଇଥିଲେ। ହେଲେ ବଳକା ୧୯ ମିନିଟ୍‌ ଖେଳରେ ଆଉ ଗୋଲ୍‌ ଦେଇ ନ ପାରି ୨-୧ରେ ପରାଜିତ ହୋଇଥିଲା।
ହଣ୍ଡୁରାସ ପଏଣ୍ଟ ଖାତା ଖୋଲିଲା
ଚଳିତ ବିଶ୍ୱକପ୍‌ରେ ହଣ୍ଡୁରାସ ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଗ୍ରୁପ୍‌-ଇ’ର ଏକ ମ୍ୟାଚ୍‌ରେ ହଣ୍ଡୁରାସ ୫-୦ ଗୋଲ୍‌ରେ ନ୍ୟୁ କାଲେଡୋନିଆକୁ ପରାସ୍ତ କରିଛି। ଫଳରେ ହଣ୍ଡୁରାସର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ଖେଳିବା ଆଶା ସଂଚାର ହୋଇଛି। ଦଳ ପକ୍ଷରୁ ମେଜିଆ (୨୫, ୪୨ ମିିନିଟ୍‌) ଏବଂ ପାଲାସିଓସ୍‌ (୫୧, ୮୮ ମିନିଟ୍‌) ଦୁଇଟି ଲେଖାଏଁ ଏବଂ କାନାଲେସ୍‌ (୨୭ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର