ବିଦା ହେଲେ ଆର୍ଜେଣ୍ଟିନା, ପର୍ତୁଗାଲ୍‌ : ଫ୍ରାନ୍‌ସ-ଉରୁଗୁଏ କ୍ୱାର୍ଟରରେ ମୁହାଁମୁହିଁ, ଫିକା ପଡ଼ିଲେ ମେସି, ରୋନାଲ୍‌ଡୋ

କାଜାନ/ସୋଚି : ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଓ ପର୍ତୁଗାଲ୍‌ର ଅଭିଯାନ ଶେଷ ହୋଇଛି। ଏଥିସହିତ ଲିଓନେଲ୍‌ ମେସି ଓ କ୍ରିଷ୍ଟିଆନ୍‌ ଲୋନାଲ୍‌ଡୋଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ମୁହାଁମୁହିଁର ଯେଉଁ ଆକଳନ ଲାଗିଥିଲା ତାହା ମଧ୍ୟ ଧୂଳିସାତ୍‌ ହୋଇଗଲା। ଆର୍ଜଣ୍ଟିନାକୁ ୪-୩ ଗୋଲ୍‌ରେ ଫ୍ରାନ୍‌ସ ଏବଂ ପର୍ତୁଗାଲ୍‌କୁ ୨-୧ରେ ଉରୁଗୁଏ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ଫ୍ରାନ୍ସର କିଲିଆନ୍‌ ଏମ୍‌ବାପେ (୨ ଗୋଲ୍‌) ଏବଂ ଉରୁଗୁଏର ଏଡିସନ୍‌ କାଭାନି (୨ ଗୋଲ୍‌) ଆଜି ନିଜ ନିଜ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉଭୟ ଫ୍ରାନ୍‌ସ ଓ ଉରୁଗୁଏ କ୍ୱାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ।

ଶନିବାର କାଜାନରେ ଖେଳାଯାଇଥିବା ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲରେ ୟୁରୋପୀୟ ଶକ୍ତି ଫ୍ରାନ୍ସ ଦକ୍ଷିଣ ଆମେରିକୀୟ ଆର୍ଜେଣ୍ଟିନାକୁ ୪-୩ ଗୋଲ୍‌ରେ ହରାଇ ବିଦାୟର ରାସ୍ତା ଦେଖାଇ ଦେଇଥିଲା। ଆର୍ଜେଣ୍ଟିନା ବିଦା ହେବା ଯୋଗୁଁ ଏହି ଦଳର ମହାନ ଖେଳାଳି ମେସିଙ୍କ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ମେସି ମଧ୍ୟ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ବିଶ୍ୱକପ୍‌ ଜିତି ନ ପାରିବାର ଅବସୋସ ସହ ମସ୍କୋକୁ ଅଲବିଦା କହିଛନ୍ତି। ସେପଟେ ୧୯ ବର୍ଷୀୟ ତାରକା କିଲିଆନ୍‌ ଏମ୍‌ବାପେଙ୍କ ଯୁଗଳ ଗୋଲ୍‌ ବଳରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ୧୯୯୮ ବିଜେତା ଫ୍ରାନ୍ସ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇାନଲରେ ପ୍ରବେଶ କରିଥିଲା।

ଅନ୍ୟପକ୍ଷରେ ସୋଚିରେ ଖେଳାଯାଇଥିବା ଶନିବାର ବିଳମ୍ବିତ ରାତିର ମ୍ୟାଚ୍‌ରେ ପର୍ତୁଗାଲ୍‌ ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ଉରୁଗୁଏଠୁ ହାରିଗଲା। ବିଶେଷକରି ନିୟଂତ୍ରଣ ତଥା ଚମକହୀନ ପ୍ରଦର୍ଶନ ହିଁ ପର୍ତୁଗାଲ୍‌ ପରାଜୟର କାରଣ ହୋଇଥିଲା ବେଳେ ଏଡିସନ୍‌ କାଭାନିଙ୍କ ଯୁଗଳ ଗୋଲ୍‌ ଉରୁଗୁଏକୁ ବିଜୟ ଭେଟିଦେଲା। ଏହି ମ୍ୟାଚ୍‌ରେ ପର୍ତୁଗାଲ୍‌ ୩ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା ବେଳେ ଉରୁଗୁଏ ଗୋଟିଏ ପରିବର୍ତନ କରିଥିଲା। ଉରୁଗୁଏ କୋଟେସ୍‌ଙ୍କ ବଦଳରେ ଗିମିନେଜ୍‌ଙ୍କୁ ଖେଳାଇଥିଲା। ତେବେ ଉରୁଗୁଏ ଆରମ୍ଭରୁ ପର୍ତୁଗାଲ୍‌କୁ ଚାପରେ ରଖିଥିଲା। ଯାହାର ଫାଇଦା ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ହିଁ ଦଳକୁ ମିଳିଥିଲା। ଏଡିସନ୍‌ କାଭାନି ସପ୍ତମ ମିନିଟ୍‌ରେ ଚମତ୍କାର ଗୋଲ୍‌ କରି ଉରୁଗୁଏକୁ ଆଗେଇ ନେଇଥିଲେ। ତାରକା ଖେଳାଳି ଲୁଇସ୍‌ ସୁଆରେଜ୍‌ ପର୍ତୁଗାଲ୍‌ ବକ୍ସର ବାମ ପଟୁ ମାରିଥିବା ସଠିକ୍‌ ତଥା ନିୟଂତ୍ରିତ ସଟ୍‌କୁ କାଭାନି ହେଡର୍‌ ଜରିଆରେ ଗୋଲ୍‌ ଭିତରକୁ ପଠାଇବାରେ କୌଣସି ତ୍ରୁଟି କରିନଥିଲେ। ଉଭୟ ଦଳକୁ ଏହାପରେ ମିଳିଥିବା କେତୋଟି କର୍ନରକୁ କେହି ବି ଗୋଲ୍‌ କରିବାରେ ସମର୍ଥ ହୋଇନଥିଲେ। ତାରକା ଖେଳାଳି ରୋନାଲ୍‌ଡୋ ଗୋଲ୍‌ ଶୁଝିବା ପାଇଁ ପ୍ରାଣପଣେ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଯାହା ଫଳରେ ପ୍ରଥମାର୍ଧ ୧-୦ରେ ଉରୁଗୁଏ ସପକ୍ଷରେ ଶେଷ ହୋଇଥିଲା।

ହେଲେ ଦ୍ୱିତୀୟାର୍ଧରେ ପର୍ତୁଗାଲ୍‌ ଆକ୍ରମଣକୁ ଜୋର୍‌ଦାର କରି ସଫଳତା ପାଇଥିଲା। ୫୫ ମିନିଟ୍‌ରେ ପେପେଙ୍କ ଗୋଲ୍‌ ସ୍ଥିତି ବରାବରା କରିଦେଇଥିଲା। ପର୍ତୁଗାଲ୍‌ ପାଇଥିବା ଏକ କର୍ନରରୁ ପେପେ ଗୋଲ୍‌ କରିଦେଇଥିଲେ। ରାଫେଲ ଗୁଏରିରୋ ବାମ ପାଦରେ ମାରିଥିବା କ୍ରସ୍‌କୁ ପେପେ ମୁଣ୍ଡରେ ଜୋର୍‌ରେ ମାରି ଗୋଲ୍‌ କରିଥିଲେ। ଫଳରେ ୫୫ ମିନିଟ୍‌ ଧରି ନିରବ ପଡ଼ିଯାଇଥିବା ପର୍ତୁଗାଲ୍‌ ଶିବିରରେ ଉଲ୍ଲାସ ଭରି ଯାଇଥିଲା। ହେଲେ ପର୍ତୁଗାଲ୍‌ର ଏହି ଆନନ୍ଦକୁ ବେଶି ସମୟ ତିଷ୍ଠିବାକୁ ଉରୁଗୁଏ ଦେଇନଥିଲା। ଏହାର ୭ ମିନିଟ୍‌ ପରେ ତଥା ୬୨ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ କରି କାଭାନି ଉରୁଗୁଏକୁ ପୁନର୍ବାର ଅଗ୍ରଣୀ ଦେଇଥିଲେ। ଅବଶ୍ୟ ଏଥର କାଭାନି ମୁଣ୍ଡରେ ନୁହେଁ ଡାହାଣ ପାଦରେ ବଲ୍‌କୁ ମାରି ଗୋଲ୍‌ କରିଥିଲେ। ଆଉ ଉରୁଗୁଏ ପ୍ରଶଂସକ ଷ୍ଟାଡିୟମ୍‌ରେ ଖୁସି ମନାଇଥିଲେ। କାଭାନି ଏଥି ସହିତ ନିଜ ନାମରେ ୫ ବିଶ୍ୱକପ୍‌ ଗୋଲ୍‌ କରିନେଲେ। ସେ ଓସ୍କାର୍‌ ମିଗୁଏଜ୍‌ (୮), ଲୁଇସ୍‌ ସୁଆରେଜ୍‌ (୭) ଓ ଡିଆଗୋ ଫୋର୍‌ଲାନ୍‌ (୬)ଙ୍କ ପଛକୁ ରହିଲେ। ତେବେ ମ୍ୟାଚ୍‌ର ଶେଷ ଅଧଘଣ୍ଟା ଗୋଲ୍‌ଶୂନ୍ୟ ରହିବାରୁ ଉରୁଗୁଏ ବିଜୟ ବାନା ଉଡାଇଲା। ପର୍ତୁଗାଲ୍‌ ପରାଜୟ ଗ୍ଲାନିରେ ରହିଥିଲା ବେଳେ ତାରକା ରୋନାଲ୍‌ଡୋଙ୍କୁ ୯୩ ମିନିଟ୍‌ରେ ହଳଦିଆ କାର୍ଡ ମିଳିବା ଦଳର ଦୁଃଖ ଦୁଇଗୁଣା କରିଦେଇଥିଲା। ରେଫରିଙ୍କ ସହ ଯୁକ୍ତିତର୍କ କରିବା ଯୋଗୁଁ ରୋନାଲ୍‌ଡ ହଳଦିଆ କାର୍ଡ ପାଇବାରୁ ପରବର୍ତୀ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ। ତେବେ ପର୍ତୁଗାଲ୍‌ ଆଉ ଆଗକୁ ବଢ଼ି ପାରିନଥିବାରୁ ରୋନାଲ୍‌ଡୋ ବର୍ତିଗଲେ।

ସମ୍ବନ୍ଧିତ ଖବର