ପୋଲାଣ୍ଡ୍‌କୁ ୩-୦ରେ ହରାଇଲା କଲମ୍ବିଆ

କାଜାନ : ଚଳିତ ଫିଫା ବିଶ୍ୱକପ୍‌ରେ ରବିବାର ଗ୍ରୁପ୍‌ ‘ଏଚ୍‌’ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ ୩-୦ ଗୋଲ୍‌ରେ ପୋଲାଣ୍ଡକୁ ହରାଇ ପ୍ରଥମ ବିଜୟ ସହ ଆଶା ଉଜ୍ଜୀବିତ ରଖିଛି। ୟୁରୋପୀୟ ଦେଶ ପୋଲାଣ୍ଡ କିନ୍ତୁ ୨ରୁ ୨ ପରାଜୟ ସହିତ ପ୍ରି-କ୍ୱାର୍ଟର ଦୌଡ଼ରୁ ବାଦ୍‌ ପଡ଼ିଛି। ପୂର୍ବରୁ ଏହି ଗ୍ରୁପ୍‌ରେ ଜାପାନ-ସେନେଗାଲ୍‌ ୨-୨ ଗୋଲ୍‌ରେ ପଏଣ୍ଟ୍‌ ବାଣ୍ଟିଥିଲେ। ଇଂଲଣ୍ଡ କିନ୍ତୁ ଗ୍ରୁପ୍‌ ‘ଜି’ରେ ପ୍ରଥମ ପଦାର୍ପଣକାରୀ ପାନାମାକୁ ୬-୧ରେ ଧରାଶାୟୀ କରି ପ୍ରିକ୍ୱକାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଥିଲା।

କାଜାନ ଆରେନା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରବିବାର ଦ୍ୱିତୀୟ ରାଉଣ୍ଡ୍‌ ଲିଗ୍‌ର ଏହି ଶେଷ ମ୍ୟାଚ୍‌ରେ ପୋଲାଣ୍ଡଠାରୁ ଯେଭଳି ପ୍ରଦର୍ଶନ ଆଶା କରାଯାଉଥିଲା ସେଭଳି ମିଳିନଥିଲା। ବିଶେଷ କରି ଅଭିଜ୍ଞ ତାରକା ଲିଓ୍ଵଣ୍ଡସ୍କିଙ୍କ କ୍ଲାନ୍ତଭରା ଦୌଡ଼ ପ୍ରଶଂସକଙ୍କୁ ନିରାଶ କରିଥିଲା। ସେନେଗାଲ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌ ଭଳି ପ୍ରଥମାର୍ଧରେ ମଧ୍ୟ ଗୋଟିଏ ବି ସଟ୍‌ ଗୋଲ୍‌ ମୁହଁରେ ଖେଳିନଥିଲା ପୋଲାଣ୍ଡ। ଅନ୍ୟପକ୍ଷରେ କଲମ୍ବିଆ ଏହାର ଫାଇଦା ଉଠାଇବା ସହିତ ଘନ ଘନ ଆକ୍ରମଣ କରିଥିଲା। ଏହି ଦେଶ ଏକାଧିକ ଗୋଲ୍‌ର ହକ୍‌ଦାର ଥିଲା। କିନ୍ତୁ ୪୦ତମ ମିନିଟ୍‌ରେ ଦଳକୁ ପ୍ରଥମ ଗୋଲ୍‌ ମିଳିଥିଲା ୟେରି ମିନାଙ୍କ ହେଡର୍‌ ଜରିଆରେ। ଏହା ବାସ୍ତବରେ ଥିଲା ଏକ ସୁନ୍ଦର ଦଳଗତ ଖେଳର ଗୋଲ୍‌। କର୍ନର ବଲ୍‌କୁ ଜେମ୍‌ସ ରଡ୍ରିଗେ୍ଵଜ୍‌ ଏକ ସର୍ଟ ପାସ୍‌ ଜରିଆରେ ଜୁଆନ୍‌ କୁଆଡ୍ରାଡୋଙ୍କୁ ବଲ୍‌ ଦେଇଥିଲେ। ଏହା ଗଡ଼ି ଗଡ଼ି ଜୁଆନ୍‌ କ୍ୟୁଣ୍ଟେରୋଙ୍କ ପାଖରେ ପହଞ୍ଚିଥିଲା। ପୋଲାଣ୍ଡ ରକ୍ଷଣଭାଗ ଭେଦ କରିବା ଅବସରରେ ରଡ୍ରିଗେ୍ଵଜଙ୍କଠାରୁ ଆସିଥିବା ଉଡ଼ନ୍ତା ବଲକୁ ମିନା ୬ ଗଜ ଦୂରରୁ ହେଡ୍‌ ଜରିଆରେ ପୋଲାଣ୍ଡ ଗୋଲରକ୍ଷକ େଓ୍ଵଜେଜିଏକଙ୍କୁ ପରାସ୍ତ କରିଥିଲେ। ଏହି ଗୋଲ୍‌ ସହିତ ପ୍ରଥମାର୍ଧରେ କଲମ୍ବିଆ ୨-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଧରେ କଲମ୍ବିଆ ଆକ୍ରମଣ ଅଧିକ ଶାଣିତ ଓ ତୀବ୍ର ହୋଇଥିଲା। ଫଳତଃ ଦଳ ପୋଲିସ୍‌ ଗୋଲ୍‌ ମୁହଁରେ ବାରମ୍ବାର ପହଞ୍ଚୁଥିଲା। ୭୦ତମ ମିନିଟ୍‌ରେ ଦଳର ତାରକା ଖେଳାଳି ଫାଲକାଓଙ୍କ ପ୍ରଥମ ବିଶ୍ୱକପ ଗୋଲ୍‌ କଲମ୍ବିଆ ଅଗ୍ରଣୀକୁ ଦ୍ୱିଗୁଣିତ କରିଦେଇଥିଲା। ଆହତ କାରଣରୁ ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରୁ ବଞ୍ଚିତ ରାଦାମେଲ୍‌ ଫାଲକାଓ ନିଜ କ୍ଲବ୍‌ ମୋନାକୋ ପାଇଁ ୩୬ ମ୍ୟାଚ୍‌ରୁ ୨୪ ଗୋଲ୍‌ ଦେଇ ଏଥର ବିଶ୍ୱକପ୍‌ ଆସିଥିଲେ। ଏହି ଗୋଲ୍‌ର ୫ ମିନିଟ୍‌ ପରେ ଜୁଆନୋ କୁଆଡ୍ରାଡୋଙ୍କୁ (୭୫ ମିନିଟ୍‌) ଗୋଲ୍‌ ଦେବାରେ ମଧ୍ୟ ପୁଣି ଥରେ ଅଭିଜ୍ଞ ଜେମ୍‌ସ ରଡ୍ରିଗେ୍ଵଜ୍‌ଙ୍କ ଅବଦାନ ରହିଥିଲା। ଶେଷକୁ କଲମ୍ବିଆ ଗୋଲ୍‌ରକ୍ଷକ ଡେଭିଡ୍‌ ଓସ୍‌ପିନାଙ୍କର ପ୍ରଦର୍ଶନ ବଳରେ ମଧ୍ୟ କଲମ୍ବିଆ କ୍ଲିନ୍‌ ସିଟ୍‌ (ଗୋଲ୍‌ ବରଣ ନ କରିବା)ରେ ଅଭିଯାନ ଶେଷ କରିଥିଲା। ଦଳର ୩ ଗୋଲ୍‌ରୁ ୨ଟିରେ ସହୟତା ରଖିଥିବାରୁ ଜେମ୍‌ସ ରଡ୍ରିଗେ୍ଵଜ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ଜେମ୍‌ସ ରଡ୍ରିଗେ୍ଵଜ୍‌ ୭ ବିଶ୍ୱକପ୍‌ ଖେଳି ୧୦ଟି ଗୋଲ୍‌ରେ ନିଜ ସମ୍ପୃକ୍ତି ରଖିଥିଲେ। ୬ଟି ଗୋଲ୍‌ ସେ ନିଜେ ଦେଇଥିବାବେଳେ ଅନ୍ୟ ୪ଟିରେ ସହାୟତା କରିଛନ୍ତି।

ସମ୍ବନ୍ଧିତ ଖବର