ରଂଗାରଂଗ କାର୍ଯ୍ୟକ୍ରମ ସହିତ ଫିଫା ବିଶ୍ୱକପ୍‌ ୨୦୧୮ ଆରମ୍ଭ

ଆୟୋଜକ ରୁଷିଆ-ସାଉଦୀ ଆରବ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌

ମସ୍କୋ: ରଂଗାରଂଗ କାର୍ଯ୍ୟକ୍ରମ ସହିତ ଫିଫା ବିଶ୍ୱକପ୍‌ ୨୦୧୮ ଆରମ୍ଭ ହୋଇ ଯାଇଛି। ରୁଷିଆର ରାଜଧାନୀ ମସ୍କୋର ଲୁଜନିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ୨୧ତମ ସଂସ୍କରଣ ଫୁଟ୍‌ବଲ ମହାକୁମ୍ଭ ‘ଫିଫା ବିଶ୍ୱକପ୍‌’ରେ ବାଣ ଓ ଆତସବାଜୀ ପ୍ରଦର୍ଶନ ହୋଇଛି। ଉଦ୍‌ଘାଟନୀ ସମାରୋହରେ ବ୍ରିଟେନ୍‌ର ରକ୍‌ ମ୍ୟୁଜିକ୍‌ ଷ୍ଟାର ରବି ଉଲିୟମସ୍‌ ହୋଇଛନ୍ତି। ସେ ରୁଷିଆର ଏଡା ଗରିଫୁଲିନାଙ୍କ ସହିତ ପ୍ରସ୍ତୁତି ଦେଉଛନ୍ତି।

ସମାରୋହରେ ୫୦୦ ନୃତ୍ୟଶିଳ୍ପୀ ମଧ୍ୟ ପ୍ରସ୍ତୁତି ଦେଇଛନ୍ତି। ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ରୋନାଲଡୋ ମଧ୍ୟ ଉପସ୍ଥିତ ଅଛନ୍ତି। ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଆୟୋଜକ ରୁଷିଆ ଓ ସାଉଦୀ ଆରବ ମଧ୍ୟରେ ଖେଳାଯାଉଛି।

ଏକ ମାସ ଧରି ଚାଲିବାକୁ ଥିବା ମସ୍କୋ ମହାସମରରେ ୩୨ଟି ବଛା ବଛା ଦଳ ବିଜେତା ମୁକୁଟ ପିନ୍ଧିବା ଲାଗି ଲଢ଼େଇ କରିବେ। ଏଥର ବିଶ୍ୱକପ୍‌ରେ ମୋଟ ୬୪ ମ୍ୟାଚ୍‌ ଖେଳାଯିବ। ଫୁଟ୍‌ବଲ୍‌ର ଏହି ମହାକୁମ୍ଭ ରୁଷିଆର ୧୧ ସହରର ୧୨ ଷ୍ଟାଡିୟମରେ ଆୟୋଜିତ ହେବ। ଗୁରୁବାର ରାତି ୮ଟା ୩୦ରୁ ଆୟୋଜକ ରୁଷିଆ ଏବଂ ସାଉଦି ଆରବ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ।

ଫାଇନାଲ୍‌ ଜୁଲାଇ ୧୫ରେ ମସ୍କୋର ଲୁଝନିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ବିଶ୍ୱକପରେ ରେକର୍ଡ ୨୭୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସଂପ୍ରତି ବିଶ୍ୱମାନ୍ୟତାର ପ୍ରଥମ ପାଞ୍ଚ ସ୍ଥାନରେ ଥିବା ଜର୍ମାନି, ବ୍ରାଜିଲ, ବେଲଜିୟମ, ପର୍ତୁଗାଲ ଓ ଆର୍ଜେଣ୍ଟିନାକୁ ଚଳିତ ବିଶ୍ୱକପର ପ୍ରମୁଖ ଦାବିଦାର କୁହାଯାଉଛି। ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ଜର୍ମାନି ବିଶ୍ୱବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର