ବିଦା ହେଲା ‘ଚାମ୍ପିଅନ୍‌’ ଜର୍ମାନି

କାଜାନ : ୨୦୧୪ ବିଶ୍ୱକପ୍‌ର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନିର ମସ୍କୋ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇଯାଇଛି। ବୁଧବାରର କର ବା ମର ମ୍ୟାଚ୍‌ରେ ଦକ୍ଷିଣ କୋରିଆଠାରୁ ଏହି ତାରକା ଖଚିତ ଦଳ ଆଶ୍ଚର୍ଯ୍ୟଜନକ ଭାବେ ୦-୨ ଗୋଲ୍‌ରେ ହାରି ବିଦାୟ ନେଇଛି। ଚଳିତ ବିଶ୍ୱକପ୍‌ର ଅନ୍ୟତମ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଜର୍ମାନି ତିନିଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇବା ପରେ ଗ୍ରୁପ୍‌-ଏଫ୍‌ର ସବାଶେଷ ସ୍ଥାନରେ ରହିଛି। ଆଜି କୋରିଆ ବିପକ୍ଷ ମୁକାବିଲାର ୯୦ ମିନିଟ୍‌ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଗୋଲ୍‌ ବରଣ କରି ନଥିବା ଜର୍ମାନି ଷ୍ଟପେଜ୍‌ ଟାଇମ୍‌ରେ ଲଗାତାର ଦୁଇଟି ଗୋଲ୍‌ ବରଣ କରି ୮୦ ବର୍ଷ ପରେ ଲିଗ୍‌ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେଇଛି। ଡିଫେଣ୍ଡିଙ୍ଗ୍‌ ଚାମ୍ପିଅନ୍‌ ଭାବେ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବାରେ ଗତ ପାଞ୍ଚଟି ବିଶ୍ୱକପରେ ଜର୍ମାନି ଚତୁର୍ଥ ଦଳ ହୋଇଥିଲା। ସେହିଭଳି ୧୯୩୮ ମସିହା ପରେ ଦ୍ୱିତୀୟ ଥର ପାଇଁ ଲିଗ୍‌ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନଥିଲା। ସେପଟେ ଗ୍ରୁପ୍‌-ଏଫ୍‌ର ତୃତୀୟ ସ୍ଥାନରେ ରହି କୋରିଆ ଅନୁରୂପ ଭାବେ ବିଦାୟ ନେଇଛି। ହେଲେ ଜର୍ମାନି ଭଳି ଦଳ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିବାର ସୁଃଖଦ ଅନୁଭବ ସହ ମସ୍କୋ ଅଭିଯାନ ଶେଷ କରିଛି।

ସମ୍ବନ୍ଧିତ ଖବର