ଫିକା ପଦାର୍ପଣ: ହ୍ୟାଟି୍ରକ୍‌ ପରାଜୟ ସହ ଭାରତର ବିଦାୟ

ନୂଆଦିଲ୍ଲୀ: ଭାରତର ଫିଫା ବିଶ୍ୱକପ ପଦାର୍ପଣ ନିରାଶାରେ ଶେଷ ହୋଇଛି। ଆୟୋଜକ ଦେଶ ଭାବେ ୧୭ ବର୍ଷରୁ କମ୍‌ ବିଶ୍ୱକପରେ ଖେଳିବାର ସୁଯୋଗ ପାଇଥିବା ଭାରତୀୟ ଯୁବ ଫୁଟବଲ୍‌ ଦଳ ଲଗାତାର ତୃତୀୟ ପରାଜୟ ବରଣ କରିବା ସହ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ୦-୩ରେ ପରାଜିତ ହୋଇଥିବା ଭାରତ ଦ୍ୱିତୀୟ ମୁକାବିଲାରେ କଲମ୍ବିଆଠାରୁ ୧-୨ ଗୋଲ୍‌ରେ ହାରି ଯାଇଥିଲା। ଗୁରୁବାର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ପୂର୍ବ ବିଜେତା ଘାନାଠାରୁ ୦-୪ ଗୋଲ୍‌ରେ ହାରି ଦୁଃଖଦ ବିଦାୟ ନେଇଛି। ପ୍ରତିଯୋଗିତାରେ ଘରୋଇ ଦଳ ୯ ଗୋଲ୍‌ ବରଣ କରିଥିଲା ବେଳେ ମାତ୍ର ଗୋଟିଏ ଗୋଲ୍‌ ଦେବାକୁ ସକ୍ଷମ ହୋଇଛି। ତେବେ ଭାରତୀୟ ଯୁବ ଫୁଟବଲ୍‌ ପ୍ରତିଭାମାନେ ବିଶ୍ୱକପ୍‌ ଭଳି ବୃହତ୍‌ ପ୍ରତିଯୋଗିତା ଖେଳିବାର ଅନନ୍ୟ ଅଭିଜ୍ଞତା ହାସଲ କରିଛନ୍ତି। ମଣିପୁରୀ ତାରକା ଜାକସନ୍‌ ସିଂହ ଥୋନାଉଜାମ ପ୍ରଥମ ଭାରତୀୟ ଖେଳାଳି ଭାବେ କୌଣସି ପ୍ରକାର ଫୁଟ୍‌ବଲ୍‌ ବିଶ୍ୱକପରେ ଗୋଲ୍‌ ଦେବାର ବିରଳ କୀର୍ତ୍ତିମାନ ଲାଭ କରିଛନ୍ତି। ତାଙ୍କ ସଫଳତା ହିଁ ଭାରତ ପାଇଁ ଏକମାତ୍ର ସାନ୍ତ୍ୱନା ହୋଇଛି।

ସ୍ଥାନୀୟ ଜବାହରଲାଲ ନେହରୁ ଷ୍ଟାଡିୟମରେ ଗୁରୁବାର ଶକ୍ତିଶାଳୀ ଘାନା ବିପକ୍ଷ ଶେଷ ମ୍ୟାଚ୍‌ ଭାରତ ପାଇଁ ଆଦୌ ସହଜ ହେବ ନାହିଁ ବୋଲି ସମସ୍ତେ ଜାଣିଥିଲେ। ହେଲେ ଏହା ପୂରା ଏକତରଫା ହେବ ବୋଲି ବିଶ୍ୱାସ ନଥିଲା। ତେବେ ଏହା ହିଁ ହୋଇଥିଲା। ଘାନା ଉଭୟାର୍ଧରେ ଦୁଇଟି ଲେଖାଏଁ ଗୋଲ୍‌ ଦେଇ ୪-୦ରେ ବିଜୟୀ ହେବା ସହ ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନରେ ରହି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା। ଘାନା ପକ୍ଷରୁ ଏରିକ ଆୟା (୪୩, ୫୨ ମିନିଟ୍‌) ପ୍ରଥମାର୍ଧରେ ଦୁଇଟି ଗୋଲ୍‌ ଦେଇଥିଲେ। ଦ୍ୱିତୀୟାର୍ଧରେ ରିଚାର୍ଡ ଦାନସୋ (୮୬) ଏବଂ ଏମାନୁଏଲ ଟୋକୁ (୮୭) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବିଜୟ ମୁଣ୍ଡି ମାରିଥିଲେ। ଭାରତ ବିନା ପଏଣ୍ଟରେ ଏବଂ ଖାଲି ହାତରେ ତା’ର ବିଶ୍ୱକପ୍‌ ଅଭିଯାନ ଶେଷ କରିଥିଲା। ଗ୍ରୁପ୍‌ ଏ’ର ଅନ୍ୟତମ ଦଳ ଭାବେ କଳମ୍ବିଆ ପ୍ରି-କ୍ୱାର୍ଟରକୁ ଯାଇଥିଲା। ଗୁରୁବାର ଗ୍ରୁପ୍‌-‘ଏ’ର ଅନ୍ୟଏକ ମ୍ୟାଚ୍‌ କଲମ୍ବିଆ ୩-୧ରେ ଆମେରିକାକୁ ପରାସ୍ତ କରିଛି। ପରାଜୟ ସତ୍ତ୍ୱେ ଆମେରିକା ମଧ୍ୟ କ୍ୱାର୍ଟର ଫାଇନାଲ ପହଞ୍ଚି ଯାଇଛି।

 

ପ୍ରି-କ୍ୱାର୍ଟର୍‌ରେ ପାରାଗୁଏ ଓ ମାଲି

ଗ୍ରୁପ୍‌-‘ବି’ରୁ ପାରାଗୁଏ ଓ ମାଲି ଶ୍ରେଷ୍ଠ ଦୁଇ ଦଳ ଭାବେ ପ୍ରି-କ୍ୱାର୍ଟରରେର ପହଞ୍ଚିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ପାରାଗୁଏ ଅପରାଜେୟ ରହିଛି। ୩ ମ୍ୟାଚ୍‌ରୁ ୩ ବିଜୟ ପାଇଛି ପାରାଗୁଏ । ମୁମ୍ବାଇରେ ଗୁରୁବାର ପାରାଗୁଏ ୩-୧ ଗୋଲ୍‌ରେ ତୁର୍କିକୁ ମାତ୍‌ ଦେଇଛି। ପ୍ରଥମାର୍ଧ ସୁଦ୍ଧା ଜିଓଭାନ୍ନି ବୋଗାଡୋ (୪୧ ମିନିଟ୍‌) ଏବଂ ଫର୍ନାଣ୍ଡୋ କାର୍ଡୋଜୋ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ପାରାଗୁଏକୁ ଆଗୁଆ କରିଥିଲେ। ଆଣ୍ଟୋନିଓ ଗାଲିଆନୋ (୬୧ ମିନିଟ୍‌) ଦଳ ପାଇଁ ତୃତୀୟ ଗୋଲ୍‌ ଦେଇଥିଲେ। ତୁର୍କିର କେରିମ୍‌ କେସାଇନ୍‌ ଦ୍ୱିତୀୟାର୍ଧର ଅତିରିକ୍ତ ସମୟରେ ଗୋଟିଏ ଗୋଲ୍‌ ଦେଇ ଦଳ ପାଇଁ ସାନ୍ତ୍ୱନା ଆଣିଥିଲେ। ପାରାଗୁଏ ଅପରାଜେୟ ସହ ମୋଟ ୯ ପଏଣ୍ଟ୍‌ ପାଇଥିଲା ବେଳେ ତୁର୍କି ୩ ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ୍‌ ପାଇ ଗ୍ରୁପ୍‌ର ଶେଷ ସ୍ଥାନରେ ଅଭିଯାନ ଶେଷ କରିଛି।
ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରି ମାଲି ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନ ଦଖଲ କରିନେଇଥିଲା। ଏଥିସହିତ ମାଲି ୩ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇ ଦ୍ୱିତୀୟ ସ୍ଥାନ ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ୍‌ ପାଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ୧୮ ମିନିଟ୍‌ରେ ସଲାମ୍‌ ଜିଦୁଙ୍କ ଗୋଲ୍‌ ମାଲିକୁ ପ୍ରଥମାର୍ଧରେ ଆଗୁଆ କରିଥିଲା। ଜିମୌସା ତ୍ରାଓରେ (୫୦ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ସହଜ ବିଜୟର ନିକଟତର କରାଇଥିଲେ। ନ୍ୟୁଜିଲାଣ୍ଡ୍‌ର ଚାର୍ଲେସ୍‌ ସ୍ପ୍ରାଗ୍‌ ୭୨ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ସ୍ଥିତି ୧-୨କୁ ଆଣିଥିଲେ। ମ୍ୟାଚ୍‌ ଶେଷ ହେବାର ୧୦ ମିନିଟ୍‌ ପୂର୍ବରୁ ଲାସାନା ଏନ୍‌’ଦିଆଏ (୮୦ ମିନିଟ୍‌) ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ତୃତୀୟ ଗୋଲ୍‌ କରି ମାଲିକୁ ବିଜୟ ଭେଟି ଦେଇଥିଲେ। ୩-୧ ଗୋଲ୍‌ ବିଜୟ ସହ ୨୦୧୫ ଚିଲି ବିଶ୍ୱକପ୍‌ ଉପବିଜେତା ମାଲି ନକ୍‌ଆଉଟ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେଇଥିଲା।

ସମ୍ବନ୍ଧିତ ଖବର