ପୋର୍ଟ ଏଲିଜାବେଥ୍ରେ ପଞ୍ଚମ ଲଢ଼େଇ:ବଡ଼ ଅଦଳ ବଦଳ ସମ୍ଭାବନା କମ୍
୧୦,୦୦୦ ରନ୍ ୪୬ ଦୂରରେ ଧୋନି: କୋହଲା ପାଗ କଷ୍ଟ ଦେବ
ପୋର୍ଟଏଲିଜାବେଥ୍ : ଲଗାତାର ତିନିଟି ବିଜୟ ଏବଂ ତା’ ପରେ ବର୍ଷା ପ୍ରଭାବିତ ଜୋହାନେସବର୍ଗ ଦିନିକିଆରେ ଅପ୍ରତ୍ୟାଶିତ ପରାଜୟ। ସୀମିତ ଓଭର ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାକୁ ହ୍ୟାଟ୍ରିକ୍ ଝଟ୍କା ଦେଇଥିବା ଭାରତ ଶନିବାରର ଚତୁର୍ଥ ଦିିନିକିଆକୁ ୫ ଓ୍ଵିକେଟ୍ରେ ହାରି ଐତିହାସିକ ଶୃଙ୍ଖଳା ବିଜୟ ସୁଯୋଗ ହାତଛଡ଼ା କରିଥିଲା। ଏବେ ବିରାଟ ବାହିନୀ ହାତପାହାନ୍ତାରେ ସେହି ପ୍ରତୀକ୍ଷିତ କୀର୍ତ୍ତିମାନକୁ ଛୁଇଁବା ଲାଗି ଆଉ ଏକ ସୁଯୋଗ ଉପନୀତ ହୋଇଛି। ମଙ୍ଗଳବାର ୬ ଟିକିଆ ଶୃଙ୍ଖଳାର ପଞ୍ଚମ ମୁକାବିଲାରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ପୁଣି ଥରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି। ପୋର୍ଟଏଲିଜାବେଥରେ ଚଳିତ ଗସ୍ତର ପୂର୍ବ ପରାକ୍ରମ ଦେଖାଇ ପାରିଲେ ଦକ୍ଷିଣ ଆଫ୍ରିକା ମାଟିରେ କୌଣସି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତିବାରେ କୋହଲି ବାହିନୀ ପ୍ରଥମ ଭାରତୀୟ ଦଳ ହେବ। ସେଥିପାଇଁ ଭାରତୀୟ ଖେଳାଳିଙ୍କଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଆଉ ଗୋଟିଏ ବିଜୟକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଜୋହାନେସବର୍ଗରେ ଜବରଦସ୍ତ ବିଜୟ ହାସଲ କରିବା ପରେ ପଞ୍ଚମ ଲଢ଼େଇକୁ ବି ସେହି ଶୈଳୀରେ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିବା ଲକ୍ଷ୍ୟରେ ରହିବ।
ଅଦିନିଆ ବର୍ଷା ଓ ଘଡ଼ଘଡ଼ି ଶନିବାର ଦକ୍ଷିଣ ଆଫ୍ରିକା ବିଜୟକୁ ସହଜ କରି ଦେଇଥିଲା। ବର୍ଷା ପାଇଁ ମ୍ୟାଚ୍ ବାରମ୍ବାର ବାଧାପ୍ରାପ୍ତ ହେବା ସହ ଡକ୍ଓ୍ଵର୍ଥ/ଲୁଇସ୍ ନିୟମରେ ବିଜୟ ଲକ୍ଷ୍ୟ କମିଯିବା ଘରୋଇ ଦଳକୁ ସୁହାଇଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ଫେରିବା ଏବଂ ନବାଗତ ଓ୍ଵିକେଟ୍ ରକ୍ଷକ ହେନରିକ କ୍ଲାସେନ ନିର୍ଭୟରେ ବ୍ୟାଟିଂ କରିବା ଘରୋଇ ଦଳକୁ ଶୃଙ୍ଖଳାର ପ୍ରଥମ ବିଜୟ ଉପହାର ଦେଇଥିଲା। ଅନ୍ୟପକ୍ଷରେ ପ୍ରଥମ ତିନି ଦିନିକିଆରେ ଭାରତକୁ ଏକତରଫା ବିଜୟ ଉପହାର ଦେଇଥିବା ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଓଦା ପିଚ୍ରେ ସ୍ୱାଭାବିକ ବୋଲିଂ କରି ନପାରିବା ଭାରତ ପାଇଁ କାଳ ହୋଇଥିଲା। ଠିକଣା ସମୟରେ ବିପଜ୍ଜନକ ଡେଭିଡ୍ ମିଲରଙ୍କ କ୍ୟାଚ୍ ହାତଛଡ଼ା କରିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦୁଇ ସ୍ପିନରଙ୍କୁ ଅଧିକ ସୁଯୋଗ ଦେବାକୁ ଯାଇ ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଯସପ୍ରୀତ ବୁମରାଙ୍କୁ ଅଧିନାୟକ କୋହଲି ଏକପ୍ରକାର ଭୁଲି ଯାଇଥିଲେ। ପୋର୍ଟଏଲିଜାବେଥରେ ଖେଳା ଯିବାକୁ ଥିବା ପଞ୍ଚମ ଦିନିକିଆରେ ଏହି ସବୁ ଭୁଲ୍ ଭଟ୍କାକୁ ଦୂର କରିବାକୁ ଭାରତ ଚେଷ୍ଟା କରିବ। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେବ।
ସେଣ୍ଟ୍ଜର୍ଜରେ ଭାରତ ଖାତା ଖୋଲିନି
ପୋର୍ଟ ଏଲିଜାବେଥର ସେଣ୍ଟଜର୍ଜସ ପାର୍କରେ ଭାରତ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଦିନିକିଆ ଜିତି ନାହିଁ। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଚାରିଟି ଦିନିକିଆ ସହ କେନିଆଠାରୁ ମଧ୍ୟ ଭାରତ ହାରିଛି। ଅନ୍ୟୁନ ଦୁଇଟି ଦିନିକିଆ ଖେଳିଥିବା କୌଣସି ପଡ଼ିଆରେ ଭାରତ ଗୋଟିଏ ହେଲେ ବି ମ୍ୟାଚ୍ ନଜିତିବାର ଏହା ଏକମାତ୍ର ଘଟଣା। ଏଠାରେ ଭାରତ ୧୯୯୨ରେ ପ୍ରଥମ ଦିନିକିଆ ଖେଳିଥିଲା। ତାକୁ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍ରେ ଜିତି ନେଇଥିଲା। ସେହିଭଳି ୧୯୯୭ରେ ସଚିନ ତେନ୍ଦୁଲକରଙ୍କ ଦଳକୁ ସେହି ୬ ଓ୍ଵିକେଟ୍, ୨୦୦୬ରେ ବୀରେନ୍ଦ୍ର ସେହବାଗଙ୍କ ଦଳକୁ ୮୦ ରନ୍ରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ଡି/ଏଲରେ ୪୮ ରନ୍ରେ ହରାଇଥିଲା ଦକ୍ଷିଣ ଆଫ୍ରିକା। ୨୦୦୧ରେ ଭାରତ, ଦକ୍ଷିଣ ଆଫ୍ରିକା ଓ କେନିଆକୁ ନେଇ ଖେଳା ଯାଇଥିବା ଦିନିକିଆ ତ୍ରିକୋଣୀୟ ଶୃଙ୍ଖଳାରେ କେନିଆ ଏହିଠାରେ ଭାରତକୁ ୭୦ ରନ୍ରେ ହରାଇ ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୋର୍ଟ ଏଲିଜାବେଥରେ ମଙ୍ଗଳବାର ଖେଳାଯିବାକୁ ଥିବା ପଞ୍ଚମ ଦିନିକିଆରେ ଉଭୟ ଦଳରେ ବଡ଼ ଧରଣର ଅଦଳ ବଦଳ ହେବା ସମ୍ଭାବନା କମ୍ ରହିଛି। କେଦାର ଯାଦବ ଆହତ ହେବା ପରେ ଶ୍ରେୟସ୍ ଆୟର ଆସନ୍ତାକାଲି ଆଉ ଏକ ସୁଯୋଗ ପାଇ ପାରନ୍ତି। ସେଣ୍ଟ ଜର୍ଜ ପିଚ୍ ସ୍ପିନରଙ୍କୁ ସୁହାଇବାର ଥିବାରୁ ଶେଷ ମୁହୂର୍ତରେ ଭାରତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବି ଦଳରେ ନେଇପାରେ। ତେବେ ଏଥିନେଇ କୌଣସି ସୂଚନା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କିମ୍ବା ଅଧିନାୟକ ବିରାଟ କୋହଲି ଦେଇ ନାହାନ୍ତି। ଦକ୍ଷିଣ ଆଫ୍ରିକା ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବା ଲାଗି ଲୁଙ୍ଗି ଏନଗିଡ଼ି କିମ୍ବା ଆଦିଲ ଫେଲୁଖୋଓ୍ଵାଙ୍କୁ ବଳି ଦେଇପାରେ ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟର/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯସପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଏଦେନ ମର୍କରାମ (ଅଧିନାୟକ), ହାସିମ ଆମଲା, ଜେପି ଡୁମିନି, ଏବି ଡିଭିଲିୟର୍ସ, ଡେଭିଡ୍ ମିଲର, ହେନରିକ କ୍ଲାସେନ, କ୍ରିସ୍ ମୋରିସ୍, ଆନ୍ଦିଲ ଫେଲୁଖୋଓ୍ଵା, କାଗିସୋ ରବାଦା, ମନି ମର୍କେଲ, ଲୁଙ୍ଗି ଏନଗିଡି/ଇମ୍ରାନ ତାହିର।
ପୋର୍ଟଏଲିଜାବେଥ୍ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ବର୍ତମାନର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଏହି ମ୍ୟାଚ୍ରେ ୪୬ ରନ୍ କରି ପାରିଲେ ଦ୍ୱାଦଶ ଖେଳାଳି ଭାବେ ଧୋନି ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିବେ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ପରେ ଏହି ମାଇଲଖୁଣ୍ଟ ଛୁଇଁବାରେ ଧୋନି ଚତୁର୍ଥ ଭାରତୀୟ ହେବେ। ଅନ୍ୟପକ୍ଷରେ ଆଉ ୬୨ ରନ୍ କରି ପାରିଲେ କୋହଲି ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳା (୬ ପାଳିରେ)ରେ ସର୍ବାଧିକ ରନ୍ କରିବାର ନିଅରା ସଫଳତା ହାସଲ କରିବେ। ଏହି କ୍ରମରେ ସେ ଇଂଲଣ୍ଡର କେଭିନ ପିଟରସନ୍ (୪୫୪)ଙ୍କୁ ଅତିକ୍ରମ କରିବେ।
ମ୍ୟାଚ୍ ପୂର୍ବଦିନ ଅର୍ଥାତ୍ ସୋମବାର ପୋର୍ଟଏଲିଜାବେଥ୍ ପାଗ ବେଶ୍ କୋହଲା ଥିଲା। ମଙ୍ଗଳବାର ମ୍ୟାଚ୍ ଆରମ୍ଭ ବେଳକୁ ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିବ ବୋଲି ସେଠାକାର ପାଣିପାଗ ବିଭାଗ ଭବିଷ୍ୟବାଣୀ କରିଛି। ସେଥିପାଇଁ ସ୍ଥାନୀୟ ସେଣ୍ଟ ଜର୍ଜସ୍ ଷ୍ଟାଡିୟମ୍ ପିଚ୍ରେ ବ୍ୟାଟିଂ କରିବା ଆଦୌ ସହଜ ହେବନି। ବଡ଼ ପାଳି ପାଇଁ ଏଠାରେ ବ୍ୟାଟ୍ସମ୍ୟାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସେଣ୍ଟଜର୍ଜସରେ ଖେଳା ଯାଇଥିବା ଗତ ଦୁଇ ଦିନିକିଆରେ ମାତ୍ର ୧୮୧ ଓ ୧୬୭ ରନ୍ ହେବା ମଧ୍ୟ ଭାରତୀୟ ଦଳ ପାଇଁ ଏକ ସତର୍କ ଘଣ୍ଟି। ଏହି ଦୁଇ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ ତାହିର ଓ ଜେଜେ ସ୍ମଟ୍ସ ଭଲ ବୋଲିଂ କରିଥିଲେ। ଯାହା କୁଲଦୀପ ଏବଂ ଚହଲଙ୍କ ପାଇଁ ଉତ୍ସାହ ଜନକ ଖବର। ପିଚ୍ ଧିମା ରହିବାର ଆଶଙ୍କା ଥିବାରୁ ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟ ଏଠାରେ ବ୍ୟାଟିଂ କରିବା ସହଜ ହେବନି।
କୋହଲିଙ୍କ ରୋହିତ ଚିନ୍ତା
ପ୍ରଥମ ତିନି ଦିନିକିଆରେ ଅଧିନାୟକ କୋହଲିଙ୍କ ସହ ପ୍ରାରୀମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ଚମତ୍କାର ବ୍ୟାଟିଂ କରିଛନ୍ତି। ହେଲେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଲଗାତାର ବିଫଳତା କୋହଲିଙ୍କୁ ଚିନ୍ତାରେ ପକାଇଛି। ଚଳିତ ଗସ୍ତରେ ଟେଷ୍ଟ ଶୃଙ୍ଖଳାକୁ ମିଶାଇ ମାତ୍ର ୪୭ ରନ୍ର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସହ ରୋହିତ ୮ ପାଳିରୁ ୬ଥର କାଗିସୋ ରବାଦାଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି। ମଙ୍ଗଳବାର ରୋହିତଙ୍କୁ ନିଜ ପୁରୁଣା ଲୟ ଫେରି ପାଇବାର ଆଉ ଏକ ସୁଯୋଗ ମିଳିବ। ହେଲେ ସେ ଏହାକୁ କାମରେ ଲଗାଇବେ କି ନାହିଁ ତାହା ସମୟ ହିଁ କହିବ।
ଦକ୍ଷିଣ ଆଫ୍ରିକା ଅସ୍ତ୍ର ‘ସୁଇପ୍ ସଟ୍’
ଚହଲ ଏବଂ କୁଲଦୀପଙ୍କ ବିରୋଧରେ ସଂଘର୍ଷ କରି ଆସୁଥିବା ଦକ୍ଷିଣ ଆଫ୍ରିକା ବ୍ୟାଟର ଶନିବାର ଏକ ନୂଆ ରଣନୀତି ଆପଣାଇଥିଲେ। ଏଥିରେ ସଫଳ ବି ହୋଇଥିଲେ। ଦୁଇ ମଣିବନ୍ଧ ସ୍ପିନରଙ୍କୁ ମୁକାବିଲା କରିବା ଲାଗି ସବୁ ପ୍ରକାର ସୁଇପ୍ ସଟକୁ ସେମାନେ ଅସ୍ତ୍ର କରିଥିଲେ। ମଙ୍ଗଳବାର ମଧ୍ୟ ସେମାନେ ସେହି କୌଶଳ ଅବଲମ୍ବନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବି ଡିଭିଲିୟର୍ସ ନିଜେ ଭଲ ସୁଇପ୍ ସଟ୍ ଖେଳୁଥିଲା ବେଳେ ଘରୋଇ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ତାଙ୍କୁ ଅନୁସରଣ କରିବାକୁ ପଛାଉ ନାହାନ୍ତି।