କ୍ୱାର୍ଟର କୁରୁକ୍ଷେତ୍ର

ପୁଣି ସେହି ୟୁରୋପ-ଦକ୍ଷିଣ ଆମେରିକା

ମସ୍କୋ: ମସ୍କୋ ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଶେଷ ହୋଇଛି। ଶୁକ୍ରବାରଠାରୁ ଶେଷ ୮ ଦଳକୁ ନେଇ କ୍ୱାର୍ଟର ଫାଇନାଲ୍‌ ଲଢ଼େଇ ଆରମ୍ଭ ହେବାକୁ ଯାଉଛି। ହେଲେ ଚିରାଚରିତ ଭାବେ ପୁଣି ଥରେ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ କେବଳ ୟୁରୋପ ଏବଂ ଦକ୍ଷିଣ ଆମେରିକୀୟ ଦଳ ରହି ଯାଇଛନ୍ତି। ଗତ ସାତଟି ବିଶ୍ୱକପ୍‌ରେ ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ କୌଣସି ଆଫ୍ରିକୀୟ, ଏସୀୟ କିମ୍ବା ଉତ୍ତର ଆମେରିକୀୟ ଦଳ ଦେଖିବାକୁ ମିଳିବେ ନାହିଁ। ମସ୍କୋ ମହାସମରର ଶେଷ ୮ ଦଳ ମଧ୍ୟରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, କ୍ରୋଏସିଆ, ସ୍ୱିଡେନ୍‌ ଏବଂ ଆୟୋଜକ ରୁଷିଆ ରୂପରେ ୬ ୟୁରୋପୀୟ ଦଳ ଅଛନ୍ତି। ସେହିଭଳି ସେମାନଙ୍କ ସାମନାରେ ବ୍ରାଜିଲ ଏବଂ ଉରୁଗୁଏ ଭଳି ମାତ୍ର ଦୁଇଟି ଦକ୍ଷିଣ ଆମେରିକୀୟ ଦଳ ଅଛନ୍ତି। ସେହି ଦୃଷ୍ଟିରୁ ଫୁଟବଲ୍‌ ପ୍ରଭୁତ୍ୱ ପାଇଁ ପୁଣି ଥରେ ୟୁରୋପ-ଦକ୍ଷିଣ ଆମେରିକା ମୁହାଁମୁହିଁ ହେବେ।

ଜର୍ମାନି, ସ୍ପେନ୍‌, ଆର୍ଜେଣ୍ଟିନା ଭଳି ବଡ଼ ବଡ଼ ଦଳ ବିଦାୟ ନେଇ ସାରିଥିବାରୁ ମସ୍କୋ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଅପେକ୍ଷାକୃତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଶୁକ୍ରବାରର ପ୍ରଥମ ମୁକାବିଲାରେ ୧୯୯୮ ବିଜେତା ଫ୍ରାନ୍ସ ଦୁଇଥର ବିଜେତା ଉରୁଗୁଏର ମୁକାବିଲା କରିବ। ଉରୁଗୁଏର ଦକ୍ଷ ରକ୍ଷଣଭାଗ ଚଳିତ ବିଶ୍ୱକପ୍‌ରେ ମାତ୍ର ଗୋଟିଏ ଗୋଲ୍‌ ବରଣ କରିଛି। ସେଥିପାଇଁ ଫ୍ରାନ୍ସ ବିଜୟ ସେତେଟା ସହଜ ହେବନି। ଉରୁଗୁଏ ପର୍ତୁଗାଲର ମହାନ ତାରକା କ୍ରିଷ୍ଟିଆନୋ ରୋନାଲଡୋଙ୍କ ବିଶ୍ୱକପ୍‌ ବିଜୟ ସ୍ୱପ୍ନକୁ ଧୂଳିସାତ୍‌ କରି କ୍ୱାର୍ଟର ଯାଇଛି। ଅନ୍ୟପକ୍ଷରେ ଫ୍ରାନ୍ସ ଚାରିଟି ଗୋଲ୍‌ ବର୍ଷା କରି ଆର୍ଜେଣ୍ଟିନାକୁ ଧରାଶାୟୀ କରି ଏହି ପର୍ଯ୍ୟାୟ ଲାଗି ଟିକେଟ ହାସଲ କରିଛି। ବ୍ରାଜିଲ-ବେଲ୍‌ଜିୟମ ମୁକାବିଲା ଉପରେ କିନ୍ତୁ ସମସ୍ତଙ୍କ ନଜର ରହିବ। ପାଞ୍ଚଥର ବିଜେତା ବ୍ରାଜିଲ ପାରମ୍ପରିକ ଭାବେ ଫୁଟ୍‌ବଲ୍‌ ପ୍ରେମୀଙ୍କର ଭରପୁର ମନୋରଞ୍ଜନ କରି ଆସିଛି। ଗତ ୨୫ ମ୍ୟାଚ୍‌ରେ ଏହି ଦଳ ମାତ୍ର ୬ ଗୋଲ୍‌ ବରଣ କରିଛି। ବେ୍‌ଲଜିୟମ ଫୁଟବଲ୍‌ ଦଳ ଅନ୍ୟପକ୍ଷରେ ତା’ର ସୁବର୍ଣ୍ଣ ସମୟ ଦେଇ ଗତି କରୁଛି। ଲଗାତାର ଚାରିଟି ମ୍ୟାଚ୍‌ ଜିତିଥିବା ବେଲ୍‌ଜିୟମ ଏ ପର୍ଯ୍ୟନ୍ତ ୧୨ ଗୋଲ୍‌ ଦେଇ ସାରିଲାଣି। ଜାପାନ ବିପକ୍ଷରେ ଦୁଇଟି ଗୋଲ୍‌ ପଛୁଆ ଥାଇ ମଧ୍ୟ ଏହି ଦଳ ଶେଷରେ ବିଜୟୀ ହୋଇଥିଲା। ଏହି ଦଳ ଶେଷ ଥର ପାଇଁ ୧୯୮୬ରେ ସେମିଫାଇନାଲ୍‌ ଯାଇଥିଲା। କଲମ୍ବିଆକୁ ପେନାଲ୍ଟି ସୁଟଆଉଟରେ ହରାଇ ଇଂଲଣ୍ଡ କ୍ୱାର୍ଟରକୁ ଯାଇଛି। ଏହି ଦଳର ଅଧିନାୟକ ହାରି କେନ୍‌ ୬ ଗୋଲ୍‌ ଦେଇ ସ୍ୱର୍ଣ୍ଣ ଜୋତା ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ଇଂଲଣ୍ଡ ବିଜୟୀ ହେଲେ ସ୍ୱିଡେନ କିମ୍ବା ରୁଷିଆକୁ ଭେଟିବ। ସ୍ୱିଡେନ୍‌ ୨୪ ବର୍ଷ ପରେ କ୍ୱାର୍ଟରକୁ ଯାଇଥିଲା ବେଳେ ରୁଷିଆ ସୋଭିଏତ୍‌ ସଂଘରୁ ଅଲଗା ହେବା ପରେ ପ୍ରଥମ ଥର ଏହି ପର୍ଯ୍ୟୟ ଖେଳିବ।

ସମ୍ବନ୍ଧିତ ଖବର