ଟର୍ଫରେ ପଡ଼ିଲା ତାଳି, ୨୫ରୁ ପହଞ୍ଚିବେ ଦଳ

ଭୁବନେଶ୍ବର: ବିଶ୍ବକପ୍‌ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା ‘ଏଫ୍‌ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ’ ଆୟୋଜିତ ହେବାକୁ ଯାଉଛି। ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପରେ କଳିଙ୍ଗ ଷ୍ଟାଡିୟମରୁ ଅନ୍ୟତ୍ର ସ୍ଥାନାନ୍ତର ହେବାର ଆଶଙ୍କା ଥିଲା। କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ଫନି ପାଇଁ କିଛିଟା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ୮ ଦଳୀୟ ପ୍ରତିଯୋଗିତା ପୂର୍ବଭଳି ଭୁବନେଶ୍ବରରେ ଆୟୋଜିତ ହେବ ବୋଲି ହକି ଇଣ୍ଡିଆ ସହ ରାଜ୍ୟ ସରକାର ଦୃଢ଼ତାର ସହ କହିଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପୂର୍ବରୁ ହକି ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳ ଯୁଗ୍ମ ନିର୍ଦେଶକ ବିଏନ୍ ଭୂଷଣ କୁମାର ଓ ବରିଷ୍ଠ ପ୍ରବନ୍ଧକ (ପ୍ରତିଦ୍ବନ୍ଦ୍ବିତା ଓ ବିକାଶ) ବିକ୍ରମ ପାଲ ଷ୍ଟାଡିୟମ ଅନୁଧ୍ୟାନ ପାଇଁ ଆସିଥିଲେ। ବୁଧବାର କେନ୍ଦ୍ର ସରକାରଙ୍କ ଆଉ ଏକ ପ୍ରତିନିଧି ମଣ୍ଡଳ ଷ୍ଟାଡିୟମ ଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ତା’ ସହ ଆଜି ହିଁ ଫନିରେ ଖଣ୍ଡିଆ ଖାବରା ହୋଇ ଯାଇଥିବା କଳିଙ୍ଗ ଷ୍ଟାଡିୟମ ନୀଳ ଟର୍ଫର ମରାମତି କରାଯାଇଛି। ଫନି ପାଇଁ ଅନ୍ୟୁନ ୧୦ଟି ସ୍ଥାନରେ ଟର୍ଫ କଟି ଯିବା ସହ ନଷ୍ଟ ‌ହୋଇଥିଲା। ନଷ୍ଟ ହୋଇ ଯାଇଥିବା ଟର୍ଫକୁ କାଟି ଦିଆଯାଇ ସେହି ସ୍ଥାନରେ ନୂଆ ଟର୍ଫ ଯୋଡ଼ି ତାଳି ପକା ଯାଇଛି। ସବୁଠାରୁ ବେଶି କ୍ଷତି ହୋଇଥିବା ପୂର୍ବ ଷ୍ଟାଣ୍ଡର ଡାହାଣ କୋଣରେ ପାଖାପାଖି ୪ ଫୁଟର ପ୍ୟାଚ୍ ପଡ଼ିଛି। ଯାହା ଫଳରେ ଟର୍ଫ ଟିକିଏ ଅସମତଳ ହୋଇ ଯାଇଛି। ତେବେ ସମୟକ୍ରମେ ଏହା ଠିକ୍ ହୋଇଯିବ ବୋଲି ଆଶା କରାଯାଉଛି। ସେହିଭଳି ହକି କଂପ୍ଲେକ୍ସ ପ୍ରବେଶ ସୌଧର କାଚ ଝରକା ସବୁ ଭାଙ୍ଗି ଯାଇଥିଲା ବେଳେ ଏହାର ମରାମତି କାର୍ଯ୍ୟ ବି ଆରମ୍ଭ ହୋଇଛି। ପୂର୍ବ ଷ୍ଟାଣ୍ଡରେ ଖେଳାଳିଙ୍କ ଗ୍ରିନ୍ ରୁମ୍ ପଟ କାଚ କବାଟ ଭାଙ୍ଗି ଯାଇଥିଲା ବେଳେ ଏହାକୁ ମଧ୍ୟ ବଦଳା ଯାଉଛି। ଉତ୍ତର ଷ୍ଟାଣ୍ଡର ଭାଙ୍ଗି ଯାଇଥିବା କିଛି ଚେୟାରକୁ କାଢ଼ି ଦିଆଯାଇଥିଲା ବେଳେ ମିଡିଆ ଗ୍ୟାଲେରି ପଟ ଇଟା ଯୋଡ଼େଇ କାର୍ଯ୍ୟ ଖୁବ୍‌ ଜୋରରେ ଚାଲିଛି। କାମ ଆସନ୍ତା ୭ ଦିନ ଭିତରେ ସରିଯିବ ବୋଲି ଦାୟିତ୍ବରେ ଥିବା ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି। ବୁଧବାର କେନ୍ଦ୍ରୀୟ ଦଳ ସହ କ୍ରୀଡ଼ା ସଚିବ ବିଶାଳ ଦେବ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ଶିଳ୍ପ ସଚିବ ସଂଜୀବ ଚୋପ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଟର୍ଫ ଓ ହକି କଂପ୍ଲେକ୍ସର କ୍ଷୟକ୍ଷତିକୁ ବୁଲି ଦେଖିଥିଲେ। ଏଫଆଇଏଚ୍ ସିରିଜ୍ ଫାଇନାଲ୍ ଲାଗି ଆସନ୍ତା ୨୫ରୁ ଦଳ ପହଞ୍ଚିବା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର