ଏଫ୍‌ଆଇଏଚ୍‌ ପ୍ୟାନେଲ୍‌ରେ ବିଶ୍ୱ

କଟକ: ଓଡ଼ିଶାର ପୂର୍ବତନ ହକି ଖେଳାଳି ତଥା ଆନ୍ତର୍ଜାତିକ ମ୍ୟାଚ ରେଫରୀ ବିଶ୍ୱରଂଜନ ଷଡ଼ଙ୍ଗୀ ଏଫ୍‌ଆଇଏଚ୍‌ ବୈଷୟିକ ଅଧିକାରୀ ପ୍ୟାନେଲ୍‌ରେ ସ୍ଥାନ ପାଇଛନ୍ତି। ଏଭଳି ସ୍ଥାନରେ ପହଞ୍ଚିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଏଫ୍‌ଆଇଏଚ୍‌ ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା ହୋଇଥିଲାବେଳେ ବିଶ୍ୱରଂଜନଙ୍କ ସହିତ ପଞ୍ଜାବର ବଲଜିତ ହିରା ମଧ୍ୟ ବୈଷୟିକ ଅଧିକାରୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଛତିଶଗଡ଼ର ତରୁଣ ଯାଦବ ଓ ମହାରାଷ୍ଟ୍ରର ଶ୍ୱେତା ପାଟିଲ୍‌ ଆନ୍ତର୍ଜାତିକ ଅମ୍ପାୟାର ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଟକର ବିଡ଼ାନାସୀସ୍ଥିତ ବାସିନ୍ଦା ବିଶ୍ୱରଂଜନ ବର୍ତ୍ତମାନସୁଦ୍ଧା ୮୦ରୁ ଉର୍ଦ୍ଧ୍ୱ ଜାତୀୟ ମ୍ୟାଚ ପରିଚାଳନା କରିଥିଲାବେଳେ ବାଂଲାଦେଶରେ ହୋଇଥିବା ଏସିଆ କପ୍‌, ମାଲେସିଆରେ ହୋଇଥିବା ସୁଲତାନ ଆଜଲାନ୍‌ସାହା କପ୍‌, ବ୍ୟାଙ୍କକ୍‌ରେ ହୋଇିବା ୟୁଥ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ଭୋପାଳରେ ହୋଇଥିବା ଏସୀୟ ସ୍କୁଲ୍‌ କ୍ରୀଡ଼ାରେ ସଫଳତାର ସହ ମ୍ୟାଚ ପରିଚାଳନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ବିଶ୍ୱରଂଜନ ପୂର୍ବରୁ ଓଡ଼ିଶା ପାଇଁ ଗୋଟିଏ ମ୍ୟାଚରେ ଜାତୀୟ ହକି ପ୍ରତିଯୋଗିତାରେ ଖେଳିଥିଲେ। ଏବେ ଓଡ଼ିଶାରୁ ପ୍ରଥମ ବ୍ୟକ୍ତି ଭାବେ ଆନ୍ତର୍ଜାତିକ ବୈଷୟିକ ପ୍ୟାନେଲ୍‌ରେ ରହିବା ପରେ ସେ ଏହି ନୂଆ ଦାୟିତ୍ୱକୁ ସୂଚାରୁରୂପେ ନିଭାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର