ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ପ୍ରତିଯୋଗିତାରେ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଭାରତ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ତଥା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ବର୍ଷ ପ୍ରୋ-ଲିଗ୍ ପଦାର୍ପଣ କରିଥିବା ଭାରତ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛି। ଘରୋଇ ଷ୍ଟାଡିୟମରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳକୁ ହରାଇପାରିଛି। ତୃତୀୟ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତି ୫ ପଏଣ୍ଟ୍ କରାୟତ୍ତ କରିଥିଲା। ଏହା ପରେ ଶୀର୍ଷ ତଥା ବିଶ୍ବବିଜେତା ବେଲ୍ଜିୟମକୁ ଗୋଟିଏରେ ହରାଇଥିଲା ବେଳେ ଅନ୍ୟଟିରେ ପରାଜୟ ବରଣ କରି ୩ ପଏଣ୍ଟ୍ ହାତେଇ ନେଇଥିଲା। ଫଳରେ ଭାରତ ୪ ମ୍ୟାଚ୍ରୁ ୮ ପଏଣ୍ଟ୍ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ୪ ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ୍ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ବେଲ୍ଜିୟମଠୁ ଏହି ଦଳ ହାରିଥିଲା ବେଳେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା।
ସଂପ୍ରତି ଭାରତୀୟ ଦଳର ପ୍ରଦର୍ଶନ ସ୍ଥିର ରହିଛି। ଫଳରେ ଏହି ଧାରା ଜାରି ରଖି ଅଷ୍ଟ୍ରେଲିଆକୁ ମାତ୍ ଦେବା ଲକ୍ଷ୍ୟରେ ରହିବ। ଦଳର ଅଧିନାୟକ ମନ୍ପ୍ରୀତ ସିଂହ (ଶ୍ରେଷ୍ଠ ଖେଳାଳି) ଓ ଯୁବ ତାରକା ବିବେକ ସାଗର (ଉଦୀୟମାନ ଖେଳାଳି) ନିକଟରେ ଏଫ୍ଆଇଏଚ୍ ପୁରସ୍କାର ପାଇଛନ୍ତି। ଉଭୟଙ୍କୁ ନେଇ ଭାରତୀୟ ଦଳ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଦର୍ଶନ ସେତେଟା ଭଲ ନାହିଁ। ଉଭୟ ଦଳ ମୋଟ ୧୨୮ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୨୩ ଥର ଜିତିଛି ଓ ୮୪ ଥର ହାରିଛି। ୨୧ ମ୍ୟାଚ୍ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। କେବଳ ଦୁଇଟି ନକ୍ଆଉଟ୍ ମ୍ୟାଚ୍ (୧୯୬୦, ୧୯୬୪ ଅଲିମ୍ପିକ୍ସ)ରେ ଅଷ୍ଟ୍ରେଲିଆକୁ ହରାଇ ପାରିଛି ଭାରତ। ଶେଷ ଥର ଲାଗି ଏଫ୍ଆଇଏଚ୍ର ବଡ଼ ପ୍ରତିଯୋଗିତା ମଧ୍ୟରେ ଭାରତ କେବଳ ଚାମ୍ପିଅନ୍ସ ଟ୍ରଫି (୨୦୦୨)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ୧୯୯୩ ପରଠୁ ଅଷ୍ଟ୍ରେଲିଆ ବିପକ୍ଷରେ ୭ ଶୃଙ୍ଖଳା ଖେଳିଥିଲା ବେଳେ କେବଳ ଗୋଟିଏ ଜିତି ପାରିଛି। ୨୦୧୦ରୁ ୨୦୧୯ ମଧ୍ୟରେ ଉଭୟ ଦଳ ୩୯ ମ୍ୟାଚ୍ ଖେଳିଥିଲା ବେଳେ ଭାରତ ମାତ୍ର ୭ ବିଜୟ ପାଇଛି। ଏହି ପ୍ରଦର୍ଶନକୁ ଦେଖିଲେ ଅଷ୍ଟ୍ରେଲିଆଠୁ ଭାରତ ବହୁ ପଛରେ ରହିଛି। ତଥାପି ଘରୋଇ ପଡ଼ିଆରେ ଖେଳୁଥିବାରୁ ଭାରତ ବିଜୟ ଆଶାରେ ରହିଛି।
ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ: ବ୍ୟାଚ୍
ଭାରତ ବିପକ୍ଷରେ ଆମର ପୂର୍ବ ପ୍ରଦର୍ଶନ ଭଲ ରହିଛି ସତ ହେଲେ ସଂପ୍ରତି ଏହି ଦଳ ତା’ ପ୍ରଦଶର୍ନରେ ଉନ୍ନତି କରିବାରେ ଲାଗିଛି। ବିଶ୍ବ ବିଜେତା ବେଲ୍ଜିୟମ ବ୍ୟତୀତ ନେଦରଲାଣ୍ଡକୁ ପରାସ୍ତ କରିଛି। ନିଜ ଘରୋଇ ମାଟିରେ ଭାରତକୁ ହରାଇବା ସହଜ ନୁହେଁ। ଶୁକ୍ରବାର ଓ ଶନିବାର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ମୋର ଆଶା ରହିଛି। ଆମେ ମଧ୍ୟ ଜିତିବା ଲକ୍ଷ୍ୟରେ ଆସିଛୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଶିକ୍ଷକ କଲିନ ବ୍ୟାଚ୍।ସ୍ଥିତି ବଦଳିଛି: ରିଡ୍
ଆମ ପିଲାମାନେ ଚଳିତ ପ୍ରୋ-ଲିଗ୍ରେ ଭଲ ପ୍ରଦର୍ଶନ ଦେଇ ଆସିଛନ୍ତି। ଆସନ୍ତା ଦୁଇ ଦିନ ଏହି ଧାରା ଜାରି ରଖିବେ ବୋଲି ଆଶା ରହିଛି। ମ୍ୟାଚ୍ର ସ୍ଥିତିକୁ ଦେଖି ଆମର ଯୋଜନା ପ୍ରସ୍ତୁତ କରିବୁ। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆମର ପ୍ରଦର୍ଶନ ଭଲ ନାହିଁ। ଏବେ ସ୍ଥିତି ବଦଳିଛି। ଆଗକୁ ଅଲିମ୍ପିକ୍ସ ଥିବାରୁ ଆମର ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ଭାରତୀୟ ପ୍ରଶିକ୍ଷକ ଗ୍ରାହମ ରିଡ୍ କହିଛନ୍ତି।