ବିଶ୍ୱକପ୍‌ ପ୍ରସ୍ତୁତିରେ ଏଫ୍‌ଆଇଏଚ୍‌ ସନ୍ତୁଷ୍ଟ:‘ହକି ହକ୍‌’କୁ ଧ୍ୟାନଚାନ୍ଦଙ୍କ ପୁଅ ଦେଲେ ସମର୍ଥନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର କାର୍ଯ୍ୟକ୍ରମ ନିର୍ଦେଶକ ଗାବ୍ରିଏଲ ଭାନ୍‌ ଜ୍ୱିତେନ ସୋମବାର ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ ପ୍ରସ୍ତୁତି ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ବିଶ୍ୱକପ୍‌ ପ୍ରସ୍ତୁତି ତଦାରଖ ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଗାବ୍ରିଏଲ୍‌ ଏଥିନେଇ ସନ୍ତାଷ ଜାହିର କରିଛନ୍ତି। ଆଜି ସେ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଓ ଅନ୍ୟ କେତେକ ଅଧିକାରୀଙ୍କ ସହ କଳିଙ୍ଗ ଷ୍ଟାଡିୟମ୍‌ ଯାଇ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ। ସେହିଭଳି ଏହି ଅବସରରେ ଗାବ୍ରିଏଲ୍‌ କ୍ରୀଡ଼ା ସଚିବ ବିଶାଲ ଦେବ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ମଧ୍ୟ ବୈଠକ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖି ମୋତେ ବହୁତ ଖୁସି ଲାଗୁଛି। ନିର୍ଧାରିତ ସମୟ ମଧ୍ୟରେ ଷ୍ଟାଡିୟମର ସବୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଓଡ଼ିଶା ସରକାର ଏବଂ ହକି ଇଣ୍ଡିଆର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଗାବ୍ରିଏଲ୍‌ କହିଥିଲେ।
ନୂଆଦିଲ୍ଲୀ, ୨୫|୬: ହକିକୁ ଜାତୀୟ ଖେଳର ସରକାରୀ ମାନ୍ୟତା ପାଇଁ ସାରା ଦେଶରେ ଏବେ ଚର୍ଚା ଚାଲିଛି। ଏହାକୁ ସମର୍ଥନ କରିଛନ୍ତି ହକି କିମ୍ବଦନ୍ତୀ ଧ୍ୟାନ୍‌ଚାନ୍ଦଙ୍କ ପୁଅ ଅଶୋକ କୁମାର। ଗତ ୨୦ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଜାତୀୟ ଖେଳ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯାନକୁ ସବୁ ମହଲରେ ପ୍ରଶଂସା ମିଳିଥିଲା। ସୋମବାର ଶ୍ରୀ କୁମାର ଏହି ବିଷୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତ କରି ଅଶୋକ କହିଛନ୍ତି, ହକିର ମାନ ସୁଧାରିବା ଲାଗି କେନ୍ଦ୍ର ସରକାର ସେଭଳି ଅର୍ଥ ଖର୍ଚ୍ଚ କରୁନାହାନ୍ତି। ବିନା ପ୍ରାୟୋଜକ ଏବଂ ସରକାରୀ ସହାୟତା ବିନା ହକି ଆଗକୁ ବଢ଼ି ପାରିବ ନାହିଁ। ହକି ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ସେପରି କିଛି ସୁବିଧାର ବ୍ୟବସ୍ଥା ନାହିଁ। ଫଳରେ ହକିର ମାନ ଦିନକୁ ଦିନ କମିବାକୁ ଲାଗିଛି। ହକିର ଉନ୍ନତି ପାଇଁ ସରକାରୀ ତହବିଲରୁ ଅଧିକରୁ ଅଧିକ ଅର୍ଥ ପ୍ରଦାନ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ବୋଲି ସେ କହିଥିଲେ। ଯଦି ସରକାର ହକିକୁ ଜାତୀୟ ମାନ୍ୟତା ଦେଉନାହାନ୍ତି, ତେବେ ଅନ୍ୟ କେଉଁ ଖେଳକୁ ଦିଅନ୍ତୁ ନାହିଁ ବୋଲି ଅଶୋକ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ, ଗୋଟିଏ ହକି ଷ୍ଟିକ୍‌ର ଦାମ୍‌ ୧୦,୦୦୦ ଟଙ୍କା। ସେହିଭଳି ମାତ୍ର ୫ କୋଟି ଟଙ୍କା ହୋଇଗଲେ ଯେ କୌଣସି ପଡ଼ିଆର ଉନ୍ନତି ହୋଇଯିବ। ଏତେ କମ୍‌ ଟଙ୍କା ଖର୍ଚ ପାଇଁ ସରକାର କ’ଣ ପାଇଁ ପଛଘୁଞ୍ଚା ଦେଉଛନ୍ତି ଜଣା ପଡ଼ୁନି।

ସମ୍ବନ୍ଧିତ ଖବର