ଟାଟା ଉତ୍କଳିକା କପ୍‌ ସେମିରେ ଫୁଲ୍‌ବାଣୀ ଏକାଦଶ

ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ ମଙ୍ଗଳବାରଠୁ ଆରମ୍ଭ ହୋଇଛି। ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉଦ୍‌ଘାଟିତ ପ୍ରତିଯୋଗିତାର ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଜିତି ଫୁଲବାଣୀ ଏକାଦଶ ସେମିଫାଇନାଲ୍‌ ସ୍ଥାନ ପକ୍କା କରି‌ନେଇଛି। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଫୁଲ୍‌ବାଣୀ ଦଳ ୧-୦ ଗୋଲ୍‌ରେ ଓଡ଼ିଶା ପୁଲିସ ଦଳକୁ ପରାସ୍ତ କରିଥିଲା। ମଧ୍ୟାନ୍ତର ଗୋଲ୍‌ ଶୂନ୍ୟ ରହିବା ପରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ଦ୍ବିତୀୟାର୍ଧରେ ରଜତ ନାଗ (୫୯ ମିନିଟ୍‌) କରିଥିଲେ। ଗୋଲ୍‌ ଶୁଝିବାର ସୁଯୋଗ ପୁଲିସ ଦଳକୁ ମିଳିଥିଲେ ମଧ୍ୟ ବଲ୍‌ କ୍ରସ୍‌ ବାର୍‌ରେ ବାଜି ବାହାରକୁ ଚାଲିଯାଇଥିଲା। ରଜତ ନାଗ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଉଦ୍‌ଘାଟନୀ ଉତ୍ସବରେ ଅନଗୁଳ-ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲିପ କୁମାର ସାମନ୍ତରାୟ, ଟାଟା ଷ୍ଟିଲ୍‌ର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଦେବାଶିଷ ଜେନା, ସ୍କୁଲ୍‌ ପ୍ରଧାନ ଶିକ୍ଷକ ମଧୁସୁଦନ ମଲ୍ଲିକ, ଅମୀୟକାନ୍ତ ମିଶ୍ର, ପ୍ରିୟନାଥ ମିଶ୍ର, ନରେନ୍ଦ୍ର ସେଠୀ, ଦେବେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ୟୁନିଟ୍‌-୬ ଦୌଡ଼କୁଦ ସଂଘ ଏବଂ ଫାଓ ଏକାଦଶ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର