ଭାରତକୁ ଝଟ୍‌କା ଦେବାର ଶ୍ରେଷ୍ଠ ସୁଯୋଗ: ଫିଞ୍ଚ୍‌

ବ୍ରିସବନ୍: ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ନରଙ୍କ ଅନୁପସ୍ଥିତି ପାଇଁ ଏବେକାର ଅଷ୍ଟ୍ରେଲିଆ ଦଳ ତୁଳନାତ୍ମକ ଭାବେ ଦୁର୍ବଳ ବୋଲି ଅନେକ କ୍ରିକେଟ୍ ବିଶେଷଜ୍ଞ ମତ ରଖିଛନ୍ତି। ହେଲେ କଙ୍ଗାରୁ ଦଳର ଅଧିନାୟକ ଆରୋନ ଫିଞ୍ଚ ଭିନ୍ନ ମତ ପୋଷଣ କରିଛନ୍ତି। ବୁଧବାର ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଓ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳିବ ବୋଲି ଭାରତକୁ ସେ ଚେତାବନୀ ଦେଇଛନ୍ତି। ଫିଞ୍ଚ କହିଛନ୍ତି, ଆମେ ୟୁଏଇରେ ପାକିସ୍ତାନଠାରୁ ହାରିଗଲୁ, ହେ‌ଲେ ଟ୍ବେଣ୍ଟି-୨୦ରେ ଆମେ କାହାଠୁ କମ୍ ନୁହଁ। ମୋତେ ଲାଗୁଛି ଯେ ଆମେ ଜିମ୍ବାୱେରେ ଭଲ କ୍ରିକେଟ୍ ଖେଳିଥିଲୁ। ଆମ ଦଳର ଆତ୍ମବିଶ୍ବାସ ଢେର ଉଚ୍ଚରେ ରହିଛି। ଭାରତ ଏବେ ସବୁ ଫର୍ମାଟରେ ଭଲ ଖେଳୁଛି। ଆମ ପାଇଁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାର ଏହା ଶ୍ରେଷ୍ଠ ସୁଯୋଗ। ଆମେ ଭାରତକୁ କଡ଼ା ଟକ୍କର ଦେବୁ। ଗାବା ଷ୍ଟାଡିୟମରେ ଉଚ୍ଛାଳ ଏବଂ ଗତି ମିଳିଥାଏ। ଭାରତୀୟ ବ୍ୟାଟ୍ସମ୍ୟାନ୍ ଏକଥା ଜାଣିଛନ୍ତି। ଏଣୁ ରଣନୀତିରେ କିଛିଟା ଅଦଳ ବଦଳ କରିବୁ।

ସମ୍ବନ୍ଧିତ ଖବର